ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ମତଦାନରେ ଜନତା ବିଜେଡି ସପକ୍ଷରେ ବିପୁଳ ମତଦାନ କରିଛନ୍ତି। ରାଜ୍ୟରେ ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଚଳିତ ଥର ବିଜେଡିର ଲୋକପ୍ରିୟତା ବଢ଼ିଛି। ଏହି କାରଣରୁ ବିଜେଡି ୮୬ ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଜୋନ୍ରେ ବିଜୟୀ ଅଥବା ଆଗୁଆ ରହିଛି। ବିଜେଡି ପଞ୍ଚାୟତ ନିର୍ବାଚନ ପାଇଁ ଭଲ ରଣନୀତି କରିଥିବା ବେଳେ କଂଗ୍ରେସ ଓ ବିଜେପିର ରଣନୀତି ମଜବୁତ ନଥିବାରୁ ଏପରି ଅବସ୍ଥା ହୋଇଛି। ଆଜି ତୃତୀୟ ଦିନରେ ମଧ୍ୟ ଭୋଟ ଗଣତି ଜାରି ଥିବା ବେଳେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେଡି ୩ଟି ଜିଲ୍ଲାରେ ବିରୋଧୀଙ୍କୁ ମୂଳପୋଛ କରିଛି। ଏଗୁଡ଼ିକ ହେଲା ଦେବଗଡ଼, ଝାରସୁଗୁଡ଼ା ଓ ଯାଜପୁର।
ସେହିପରି ବିଜେପି ୧୦ଟି ଜିଲ୍ଲାରେ ଖାତା ଖୋଲି ପାରିନାହିଁ। ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଂଜ, ନବରଂଗପୁର ଓ ରାୟଗଡ଼ାରେ ବିଜେପିର ନେତା କୌଣସି ଜୋନ୍ରେ ବିଜୟୀ ହୋଇପାରି ନାହାନ୍ତି। ସେହିପରି କଂଗ୍ରେସର ପ୍ରାର୍ଥୀମାନେ ୧୮ଟି ଜିଲ୍ଲାରେ କୌଣସି ଜିଲ୍ଲା ପରିଷଦ ଜୋନ୍କୁ ନିଜ ଅଧିନକୁ ଆଣିପାରି ନାହାନ୍ତି। ଏଥିରେ ଅନୁଗୁଳ, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେବଗଡ଼, ଗଂଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ସାମିଲ ରହିଛି।
ଭଦ୍ରକ ଜିଲ୍ଲାରେ ବିଜେପିର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବଡ଼ ବଡ଼ ଟାଣୁଆ ନେତା ଥିଲେ ବି ସେମାନେ ପଦ୍ମ ଫୁଟାଇ ପାରି ନାହାନ୍ତି। କଂଗ୍ରେସକୁ ମଧ୍ୟ ଅନେକ ଜିଲ୍ଲା ପରିଷଦ ଜୋନ୍ ହାତଛଡ଼ା କରିବାକୁ ପଡ଼ିଛି। ଭଦ୍ରକ ଜିଲ୍ଲାର ମୋଟ ୨୮ଟି ଜିଲ୍ଲା ପରିଷଦ ଜୋନ୍ ବିଜେଡି ହାତରେ ରହିଛି। ୨୦୧୭ ନିର୍ବାଚନରେ ଏଠାରେ ବିଜେଡି ୨୪ଟି ଜୋନ୍ରେ ଜିତିଥିଲା। ବିଜେପି ଧାମନଗର ନିର୍ବାଚନ ମଣ୍ଡଳୀର ସମସ୍ତ ୪ଟି ଜୋନ୍ରେ ଜିତିଥିଲା। ସେଠାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଥିବା ବେଳେ ବିଜେପିକୁ ଭଲ ପ୍ରଦର୍ଶନ ମିଳିଥିଲା। ଏଥର କିନ୍ତୁ ବିଜେପି ଏଠାରେ ନିଜର ସ୍ଥିତିକୁ ହରାଇଛି।
ଦେବଗଡ଼ରେ ବିଜେପିର ଗଡ଼ ଭାଙ୍ଗିଛି। ୨୦୧୭ ବିଜେଡିକୁ କେବଳ ଗୋଟିଏ ଜୋନ ମିଳିଥିଲା। ଏଠାରେ ବିଜେପି ୬ଟି ଜୋନକୁ ହାତେଇଥିଲା। ଏଥର କିନ୍ତୁ ବିଜେଡି ହାତରେ ମୋଟ ୭ଟି ଜୋନ୍ ରହିବାକୁ ଯାଉଛି। ଏପର୍ଯ୍ୟନ୍ତ ମୋଟ ୬ଟି ଜୋନ୍ରେ ବିଜେଡି ଜିତି ସାରିଥିବା ବେଳେ ବାରକୋଟ ଜୋନ୍-୩ରେ ବିଜେଡି ପ୍ରାର୍ଥିନୀ ଆଗୁଆ ଅଛନ୍ତି। ଯେତେହୁ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ ବିଜେପି ବିଧାୟକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ନିଜର ଗଡ଼ ସୁରକ୍ଷା କରିବାରେ ଫେଲ ମାରିଛନ୍ତି।
ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବିଜେଡିକୁ ବଡ଼ ସଫଳତା ମିଳିଛି। ଏଠାରେ ୯ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି କ୍ଲିନ ସୁଇପ୍ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଝାରସୁଗୁଡ଼ାରେ ବିଜେଡି ଖାତା ଖୋଲି ନଥିଲା। ବିଜେପିକୁ ଗୋଟିଏ ଓ ବାକି ୮ଟି ଜୋନ୍ କଂଗ୍ରେସ ହାତକୁ ଯାଇଥିଲା। ମନ୍ତ୍ରୀ ନବଦାସ ଦାସଙ୍କ ଅଞ୍ଚଳ ହୋଇଥିବାରୁ ଏଠାରେ ବିଜେଡି ଉପରେ ଭରସା କରି ମତଦାତା ଭୋଟ ଦେଇଛନ୍ତି।
ବିଜୁ ଜନତା ଦଳ ଯାଜପୁର ଜିଲ୍ଲାରେ ଅନ୍ୟତମ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହି ଜିଲ୍ଲାରେ ୩୯ ଜଣ ଜିଲ୍ଲା ପରିଷଦ ସଭ୍ୟ ମୂଳପୋଛ କରିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଯାଜପୁରରେ ବିଜେଡିକୁ ୩୩ ଜୋନ୍ ମିଳିଥିଲା। ଅପରପକ୍ଷେ ବିଜେପିକୁ ୬ଟି ଜୋନରେ ବିଜୟ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/a02eea0d-872e-4c02-8abd-2da4e18770c6.jpg)