ଭୁବନେଶ୍ବର : ପଦ୍ମପୁର ଉପ-ନିର୍ବାଚନ ସମୟରେ ବିଜେପି ନେତାମାନେ ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଥିଲେ। ଏବେ ଝାରସୁଗୁଡ଼ା ଉପ-ନିର୍ବାଚନରେ ମଧ୍ୟ ବିଜେପି ନେତାମାନେ ସମାନ ରଣନୀତି ଆପଣାଇ ଦୀପାଳି ଦାସଙ୍କୁ ବ୍ୟକ୍ତିଗତ ଆକ୍ଷେପ ଓ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ବିଜେପିର ଏଭଳି ହୀନ ରାଜନୀତିକୁ ବିଜୁ ଜନତା ଦଳ ପକ୍ଷରୁ ନିନ୍ଦା କରାଯାଇଛି।

Advertisment

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ପଦ୍ମପୁର ଉପ-ନିର୍ବାଚନ ସମୟରେ ବର୍ଷା ସିଂ ବରିହାଙ୍କୁ ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ ପ୍ରଭୃତି ତଳ ସ୍ତରକୁ ଯାଇ ବ୍ୟକ୍ତିଗତ ଆକ୍ଷେପ କରିଥିଲେ। ମାତ୍ର ନିର୍ବାଚନରେ ଲଢ଼ିବା ପାଇଁ ଏହା ବର୍ଷାଙ୍କୁ ଅଧିକ ସଶକ୍ତ କରିଥିଲା। ପଦ୍ମପୁର ଉପ-ନିର୍ବାଚନରେ କରିଥିବା ତ୍ରୁଟିରୁ ବିଜେପି ନେତାମାନେ କିଛି ଶିକ୍ଷା ଲାଭ କରିପାରିଲେନି। ଏବେ ପ୍ରଦୀପ ପୁରୋହିତଙ୍କ ଭଳି ବିଜେପିର ବରିଷ୍ଠ ନେତା ଝାରସୁଗୁଡ଼ା ଉପ-ନିର୍ବାଚନ ଲଢ଼ୁଥିବା ଦୀପାଳି ଦାସଙ୍କ ବିରୋଧରେ ବିଦ୍ବେଷପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି। ବିଜେପି ନେତାମାନଙ୍କ ମହିଳା ସଦସ୍ୟଙ୍କ ବିରୋଧରେ ଯଦି କେହି ଏଭଳି ମନ୍ତବ୍ୟ ଦିଏ ସେମାନଙ୍କୁ କିଭଳି ଅନୁଭବ ହେବ ? ରାଜ୍ୟର ମହିଳାମାନଙ୍କୁ ଏଭଳି ଲାଞ୍ଛିତ କରୁଥିବା ବିଜେପିର ନେତାମାନଙ୍କୁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ ବୋଲି ଶ୍ରୀମତୀ ମିଶ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।