ବାଲେଶ୍ୱରରୁ ସ୍ୱରୂପ, ତିର୍ତ୍ତୋଲରୁ ବିଜୟ ବିଜେଡି ପ୍ରାର୍ଥୀ
କଂଗ୍ରେସ ତାଲିକାରେ ବାଲେଶ୍ୱରରେ ମମତା, ତିର୍ତ୍ତୋଲରେ ହିମାଂଶୁ
ନବୀନଙ୍କ ନିଷ୍ପତ୍ତିରେ ସମସ୍ତେ ବିସ୍ମିତ, ପ୍ରାର୍ଥୀ ବି
ଭୁବନେଶ୍ୱର : ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବାଲେଶ୍ବର ପାଇଁ ସ୍ବରୂପ କୁମାର ଦାସ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସ ଉପନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ ବାଲେଶ୍ବରରେ ନୂଆ ମୁହଁ ଭାବେ ମମତା କୁଣ୍ଡୁଙ୍କ ନାଁ ରହିଥିବାବେଳେ ତିର୍ତ୍ତୋଲରେ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି।
ବାଲେଶ୍ବର ସଦର ଆସନରେ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ବାଲେଶ୍ବର ଜିଲ୍ଲା ବିଜେଡିର ଦୁଇ ପାରମ୍ପରିକ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏମିତି ଜଣେ ନେତାଙ୍କୁ ମଇଦାନରେ ଅବତୀର୍ଣ୍ଣ କରିଛନ୍ତି, ଯାହା ରାଜ୍ୟ ଓ ଜିଲ୍ଲାବାସୀଙ୍କୁ ତ ଆଚମ୍ବିତ କରିଛି, ଖୋଦ୍ ନିଜେ ପ୍ରାର୍ଥୀ ଶ୍ରୀ ଦାସ ବି ଗଣମାଧ୍ୟମ ସାମ୍ନାରେ ବିସ୍ମୟ ପ୍ରକାଶ କରିଛନ୍ତି। ଜଣେ ନିର୍ବିବାଦୀୟ ଚେହେରା ସାମ୍ନାକୁ ଆଣିବାକୁ ଯାଇ ନବୀନ ଏଭଳି ଗୋଟିଚାଳନା କରିଥିବା କୁହାଯାଉଛି। ସ୍ବରୂପ ହେଉଛନ୍ତି ବାଲେଶ୍ବର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଅନୁପ ଦାସ(କୁନା)ଙ୍କ ସାନଭାଇ। ସ୍ବରୂପ ମଧ୍ୟ ପୌରପାଳିକାର କାଉନସିଲର ଥିଲେ। ସ୍ବରୂପଙ୍କ ପାଇଁ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ନବୀନ ନିବାସରୁ ଆଜି ଟିକେଟ୍ ନେଇଛନ୍ତି। ସେପଟେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେଡି ରାଜ୍ୟ ସଭାପତିଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିବା ସହିତ ସ୍ୱରୂପଙ୍କ ସମର୍ଥନରେ ସେ ଅଛନ୍ତି ବୋଲି କହିଛନ୍ତି।
ଏପଟେ ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ଟିକେଟ୍ ମିଳିଛି। ସେ ଏମିତି ବି ଦୌଡ଼ରେ ଆଗରେ ଥିଲେ। ତାଙ୍କ ପାଇଁ ବିଧାୟକ ପ୍ରଶାନ୍ତ ମୁଦୁଲି ନବୀନ ନିବାସରୁ ଟିକେଟ୍ ନେଇ ଯାଇଛନ୍ତି। ଦଳର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତିରେ ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ଆସନ ପାଇଁ ଟିକେଟ୍ ଦିଆଯାଇଥିଲା।
ଅନ୍ୟପକ୍ଷରେ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। ବାଲେଶ୍ବରରୁ ମମତା କୁଣ୍ଡୁଙ୍କୁ ଏବଂ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ଆଜି ବିଳମ୍ବିତ ରାତିରେ ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ଓ୍ବାସ୍ନିକ୍ ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି।
କଂଗ୍ରେସ ବିଧାୟକ ତାରା ପ୍ରସାଦା ବାହିନୀପତି କହିଛନ୍ତି, ଜଣେ ସମାଜସେବୀ ଭାବେ ବାଲେଶ୍ବରରେ ପରିଚିତ ଶ୍ରୀମତୀ କୁଣ୍ଡୁ ନିକଟରେ କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ସେ ଆମ ଆଦମୀ ପାର୍ଟିରୁ ବାଲେଶ୍ବର ସାଂସଦ ପାଇଁ ନିର୍ବାଚନ ଲଢ଼ି ହାରିଥିଲେ। ସେହିପରି ହିମାଂଶୁ ଭୂଷଣ ମଲ୍ଲିକ ପେସାରେ ଜଣେ ଇଞ୍ଜିନିୟର। ଦୁବାଇରେ ଇଞ୍ଜିନିୟର ଭାବେ ଚାକିରି କରିବା ପରେ ରାଜ୍ୟକୁ ଫେରି ସାମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।