ଭୁବନେଶ୍ୱର: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଏହା ଏକ ଅଭିନବ କାର୍ଯ୍ୟକ୍ରମ। ଗ୍ରାମୀଣ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି ଓ ପଞ୍ଚାୟତକୁ ଡିଜିଟାଲ ସଂଯୋଗ କରାଯିବ। ଅକ୍ଟୋବର ୧୦ରୁ ନଭେମ୍ବର୧୦ ମଧ୍ୟରେ ଶେଷ କରିବା ଲାଗି ସମୟ ଧାର୍ଯ୍ୟ ହୋଇଥିଲା। ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାରେ ପ୍ରକଳ୍ପର ଅନୁମୋଦନ କରିଛନ୍ତି। ଗତକାଲି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଛି। ଓଡ଼ିଶାର ସବୁ ଜିଲ୍ଲାରେ ପ୍ରାୟ ୩୩୯୭ କୋଟି ଟଙ୍କା ବିନିଯୋଗ ହେବ। ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ମିଳିବ। ଗତକାଲି ସୁଦ୍ଧା ୯୦୬୫୦ ଗ୍ରାମୀଣ ପ୍ରକଳ୍ପ ଅନୁମୋଦନ ହୋଇଛି। ୧୮ ଶହରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଘୋଷଣା ହୋଇଥିବା ଅନ୍ୟ ପ୍ରକଳ୍ପ ସାରିବାକୁ ପଞ୍ଚାୟତିରାଜ ବିଭାଗ ପଦକ୍ଷେପ ନେଉଛି।

Advertisment

ଏଣେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି ଦଳର ମୁଖିଆଙ୍କ ପାଦ ତଳୁ ମାଟି ଖସିବା ଆରମ୍ଭ ହେଲାଣି। ସରକାରୀ ଯୋଜନାରେ ଶଙ୍ଖ ଚି଼ହ୍ନ ଲଗାଇବା ନେଇ ଆମେ ବି ପୂର୍ବରୁ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିସାରିଛୁ। ଆଇନ ପରାମର୍ଶଦାତାଙ୍କ ସହ ଆଲୋଚନା ପରେ ଆଗାମୀ ପନ୍ଥା ଆପଣେଇବ କଂଗ୍ରେସ।

ସେ ଆହୁରି କହିଛନ୍ତି, ବିଜେଡିର ନୂଆ ଯୋଜନା ନିର୍ବାଚନରେ ପ୍ରଭାବ ପକାଇବ ନାହିଁ। ଯେତେ ସାଇକଲ ବାଣ୍ଟି ରଙ୍ଗ ମାରିଲେ ବି ସେ ରଙ୍ଗ ଆଗାମୀ ନିର୍ବାଚନରେ ଛାଡ଼ିଯିବ। ବିଜେଡିର ମିଶନ ୧୩୦ କେବେ ସଫଳ ହେବ ନାହିଁ। ଏଥର ପରିବର୍ତ୍ତନ ସୁନିଶ୍ଚିତ।