ଭୁବନେଶ୍ବର: ଗତକାଲି ପହଣ୍ଡି ବେଳେ ବଡ଼ଠାକୁର ଚାରମାଳ ଉପରେ ହାମୁଡ଼େଇ ପଡ଼ିବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ମାନସିକ ଆଘାତ ଦେଇଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ବିଜେଡି ଓ କଂଗ୍ରେସ। ଏହାକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଏକ ସାମାନ୍ୟ ଘଟଣା କହିବା ଦୁର୍ଭାଗ୍ୟଜନକ ବୋଲି ଉଭୟ ଦଳ କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ କହିଲେ, ରଥଯାତ୍ରାରେ ଏଭଳି ଅଘଟଣ କାହିଁକି ହେଲା, ଏଥିପାଇଁ କିଏ ଦାୟୀ ଏସବୁର ତଦନ୍ତ ହେବା ଆବଶ୍ୟକ। ତଦନ୍ତ କମିସନ ବସାଇ ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଆଣିବା ଦରକାର। ବରିଷ୍ଠ ମୁଖପାତ୍ର ମନୋରଂଜନ ଦାସ କହିଥିଲେ, ପହଣ୍ଡି ସମୟରେ ବଡ଼ଠାକୁର ହାମୁଡ଼େଇ ପଡ଼ିବା ଏକ ବିରଳ ଘଟଣା। ଅତୀତରେ ଏହା କେବେ ଦେଖିବାକୁ ମିଳି ନ ଥିଲା। ଏଥିପାଇଁ ରାଜ୍ୟ ସରକାର ଦୁଃଖ ପ୍ରକାଶ କରିବା ବଦଳରେ ଏହାକୁ ସାମାନ୍ୟ ଘଟଣା, ଏହା ମହାପ୍ରଭୁଙ୍କ ଏକ ଲୀଳା ବୋଲି କହିବା ଦ୍ବାରା ନିଜ ଭିତରେ ଥିବା ଅହଙ୍କାରକୁ ପ୍ରକାଶ କରିଛନ୍ତି। ଏହାକୁ ଜଗନ୍ନାଥପ୍ରେମୀ କଦାପି ବରଦାସ୍ତ କରିବେ ନାହିଁ। କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ଦାସ ଓ ଜୟୀନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ।
ସେହିପରି ଭୁବନେଶ୍ବର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ ମଧ୍ୟ ମହାପ୍ରଭୁ ବଳଭଦ୍ର ମୁହଁ ମାଡ଼ି ପଡ଼ିଯିବାକୁ ଅତ୍ୟନ୍ତ ନିନ୍ଦନୀୟ ଓ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି। ଶ୍ରୀମତୀ ଦାସ କହିଛନ୍ତି, ଏହି ଘଟଣା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ସମସ୍ତେ ମର୍ମାହତ, ଦୁଃଖିତ ଓ ଲଜ୍ଜିତ। ଏଭଳି ଅକ୍ଷୟମଣୀୟ ତ୍ରୁଟି କାହିଁକି ହେଲା ତାହାର ଅନୁଧ୍ୟାନ କରିବା ବଦଳରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି। ଏଭଳି ପ୍ରତିକ୍ରିୟା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ସମସ୍ତ କାର୍ଯ୍ୟକୁ ଠିକ୍ ଢଙ୍ଗରେ ସମାପନ କରିବା ଲାଗି ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।