ଟାର୍ଗେଟରେ ନେତା, ପୁଲିସ
Sambad is now on WhatsApp
Join and get latest news updates delivered to you via WhatsApp
କଟକ-ମହାନଦୀବିହାର : ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କଟକ ମହାନଗର ନିଗମର ୭ ନମ୍ବର ଓ୍ଵାର୍ଡ ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳ। ୨୮ ବର୍ଷ ବୟସ୍କା ଏହି ମହିଳା କର୍ପୋରେଟର ଏଭଳି ସଂଗୀନ ଅଭିଯୋଗରେ ଗିରଫ ହେବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ କହିବା ଅନୁଯାୟୀ ରଂଜିତା ହେଉଛନ୍ତି ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ। ବାଲିଘାଟ ଲିଜ୍ ନେଇଥିବା ବିଜୟ ପାଲଙ୍କୁ ହତ୍ୟା କରିବା ପାଇଁ ଫେବ୍ରୁଆରି ୨୩ ତାରିଖରେ ହୋଇଥିବା ଉଦ୍ୟମରେ ରଂଜିତାଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିଛି। ଏହି ଘଟଣାରେ ବିଡ଼ାନାସୀ ଦେଉଳସାହିର ରଂଜିତାଙ୍କ ସହିତ ମାନସିଂହପାଟଣାର କୁନା ଓରଫ ପୁପୁନ ଓରଫ ଶରତ ବେହେରାକୁ ମଧ୍ୟ ପୁଲିସ ଗିରଫ କରିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଧଳସାମନ୍ତ ନିର୍ଦ୍ଦେଶରେ ବିଜୟ ପାଲ ସମେତ ଅନ୍ୟ ୩ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ହତ୍ୟା ଯୋଜନା କରାଯାଇଥିବା ଘଟଣା ସଂପର୍କରେ ସୂଚନା ମିଳିଥିବା ବେଳେ ପୁଲିସ ଏବେ ଏ ସଂପର୍କରେ ଖୋଳତାଡ ଜାରି ରଖିଛି।
ପୁଲିସ ଦେଇଥିବା ସୂଚନା ଅନୁଯାୟୀ ବାଲିଘାଟ ବଟିକୁ ନେଇ ସଦର ଥାନା ସୁଭଦ୍ରାପୁର ଅଞ୍ଚଳର ବିଜୟ ପାଲଙ୍କ ସହ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତର ବିବାଦ ସୃଷ୍ଟି ହୋଇଥିଲା। ବିଜୟକୁ ହତ୍ୟା କରିବାକୁ ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ଥିବା ସୁଶାନ୍ତ ଧଳସାମନ୍ତ ନିର୍ଦ୍ଦେଶରେ ଯୋଜନା ପ୍ରସ୍ତୁତ ହୋଇଥିଲା। ଫେବ୍ରୁଆରି ୨୩ ତାରିଖ ରାତି ୯ଟାରେ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକ ଓ ସଦା ନାୟକ ବିଜୟଙ୍କ ଘରକୁ ଯାଇଥିଲେ। ସଦା ବାଇକ୍ ଧରି ଛିଡ଼ା ହୋଇଥିବା ବେଳେ ମିକୁ ବିଜୟଙ୍କୁ ଡାକିଥିଲା। ସେ ଘରୁ ବାହାରିବା ସମୟରେ ମିକୁ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ସେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁଳି ତାଙ୍କ ଆଲମିରାରେ ବାଜିଥିଲା। ପରେ ସେଠାରୁ ମିକୁ ଓ ସଦା ଫେରାର ହୋଇଯାଇଥିଲେ। ପୁଲିସ ମିକୁକୁ ଗିରଫ କରିଥିବା ବେଳେ ପୁଲିସ ଏନକାଉଣ୍ଟରରେ ସଦା ଆହତ ହୋଇଥିଲା। ଉଭୟଙ୍କୁ ପୁଲିସ ଜେରା କରିବା ସମୟରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା।
ସୂଚନା ଅନୁଯାୟୀ ମିକୁକୁ ରଂଜିତା ଓ କୁନାଙ୍କ ଜରିଆରେ ୨୩ ତାରିଖ ଦିନ ଏକ ପ୍ୟାକେଟ୍ ମିଳିଥିଲା। ସେହି ପ୍ୟାକେଟରେ ୩ଟି ପିସ୍ତଲ ଓ ୫୫ ରାଉଣ୍ଡ ଗୁଳି ରହିଥିଲା। ସେହି ପିସ୍ତଲ ଓ ଗୁଳିରେ ସେମାନଙ୍କୁ ବିଜୟ ପାଲଙ୍କୁ ହତ୍ୟା କରିବାକୁ ସୁଶାନ୍ତ ଧଳସାମନ୍ତର ନିର୍ଦ୍ଦେଶ ଥିଲା। ଏହି ତଥ୍ୟ ପ୍ରମାଣ ଜଣାପଡିବା ପରେ ରଂଜିତା ଓ କୁନାକୁ ସଦର ଥାନା ପୁଲିସ ଗିରଫ କରିଥିଲା। ୨୦୧୬, ଜାନୁଆରିରେ ଧଳସାମନ୍ତ ଭାଇ ଗିରଫ ହେବା ପରେ ସେତେବେଳେ ମଧ୍ୟ ପୁଲିସ୍ ରଂଜିତାଙ୍କୁ ସେମାନଙ୍କ ସହ ସଂପର୍କ ଥିବା ସନ୍ଦେହରେ ଦୁଇ ଥର ଥାନାକୁ ଡାକି ଜେରା କରିଥିଲା। କିନ୍ତୁ ସେତେବେଳେ ତାଙ୍କୁ ଗିରଫ କରାଯାଇ ନଥିଲା।