ଭାଇ ମତେ ଫସେଇ ଦେଲ?

ସୁଶାନ୍ତ-ରଂଜିତାଙ୍କ ରିମାଣ୍ଡ ଶେଷ
ଉଭୟ ଦେଲେନି ଭଏସ୍‌ ସାମ୍ପୁଲ୍‌
୪ ଅପରାଧୀଙ୍କ ସଂପର୍କରେ ପୁଲିସ୍‌କୁ ସୂଚନା

କଟକ/ଫୁଲନଖରା : ମୁଁ କି ଭୁଲ୍‌ କରିଥିଲି…ଭାଇ ମତେ ତମେ କାହିଁକି ଫସେଇ ଦେଲ ? କର୍ପୋରେଟର ରଞ୍ଜିତା ବିଶ୍ୱାଳ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଆଜି ସଦର ଥାନାରେ ମୁହାଁମୁହିଁ ଜେରା ସମୟରେ ସୁଶାନ୍ତକୁ ଲକ୍ଷ୍ୟ କରି ରଂଜିତା ଏଭଳି ପ୍ରଶ୍ନ ପଚାରିଥିଲେ। କିନ୍ତୁ ସୁଶାନ୍ତ କୌଣସି ପ୍ରତିକ୍ରିୟା ନକରି ଚୁପ୍‌ଚାପ ବସିଥିଲେ। ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକକୁ ପିସ୍ତଲ ଓ ଗୁଳି ପାର୍ସଲ୍‌ ରଞ୍ଜିତା ଦେଇଥିବା ପୁଲିସ ସାମ୍‌ନାରେ ଆଜି ରିମାଣ୍ଡର ଶେଷ ଦିନରେ ସ୍ୱୀକାର କରିଥିଲେ । ବାଲେଶ୍ୱର ଜେଲ୍‌ରେ ଥିବା ସୁଶିଲକୁ ଭେଟିବାକୁ ରଞ୍ଜିତା ବାରମ୍ବାର ଯାଉଥିବା କଥା ମଧ୍ୟ ପୁଲିସକୁ କହିଥିଲେ। କିନ୍ତୁ ସେ କେବେ ସୁଶାନ୍ତକୁ ଭେଟିବାକୁ ଝାରପଡ଼ା ଜେଲ୍‌ ଯାଇ ନଥିଲେ। ଜେଲ୍‌ ଭିତରେ ଥାଇ ସୁଶିଲ ଫୋନ୍‌ରେ ରଂଜିିତା ସହିତ କଥା ବାର୍ତ୍ତା ହେଉଥିବା ସମ୍ପର୍କରେ ମଧ୍ୟ ରଂଜିତା ଜେରା ବେଳେ ସୂଚନା ଦେଇଛନ୍ତି । ସିଡିଏରେ ରହୁଥିବା ଧଳସାମନ୍ତର ବାପାଙ୍କ ଦେଖାଶୁଣା କରିବାକୁ ଅନେକ ସମୟରେ ରଂଜିତା ସିଡିଏ ଯାଇଥିବା କଥା ମଧ୍ୟ କହିିଥିଲେ । ଅନ୍ୟପଟେ ସୁଶାନ୍ତ ଚାରି ଜଣ ସହଯୋଗୀ ଅପରାଧୀଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତି ରଂଜିତାଙ୍କୁ ଆଣି ପିସ୍ତଲ, ଗୁଳି ଦେଇଥିଲା, ତା’ର ନାମ ବି ସେମାନେ ପୁଲିସକୁ କହିଛନ୍ତି। ପୁଲିସ ସେମାନଙ୍କୁ ଚିହ୍ନଟ କରିଥିବା ବେଳେ ଖୁବ୍‌ ଶୀଘ୍ର ଗିରଫ କରିବାକୁ ଯୋଜନା କରୁଛି। ଅନ୍ୟପଟେ କୋର୍ଟର ନିର୍ଦ୍ଦେଶ ମିଳିଥିବା ସତ୍ତ୍ୱେ ଉଭୟ ରଂଜିତା ଓ ସୁଶାନ୍ତ ଫରେନ୍‌ସିକ ସାଇନ୍ସ ଲାବ୍ରୋଟୋରୀକୁ ନିଜ ଭଏସ ସାମ୍ପୁଲ ଦେବାକୁ ମନା କରିଦେଇଛନ୍ତି।

ଆଜି କଟକ ସଦର ଥାନାରେ ରଂଜିତା ଓ ସୁଶାନ୍ତ ଧଳସାମନ୍ତକୁ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପୃଥକ ଭାବେ ଜେରା କରାଯାଇଥିଲା । ପରେ ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁହାଁମୁହିଁ ଗୋଟିଏ ସ୍ଥାନରେ ବସାଇ ଜେରା କରାଯାଇଥିଲା। ଏଥିରେ ଏସିପି ପ୍ରମୋଦ ରଥଙ୍କ ସମେତ ଏସିପି ଦେବଦତ୍ତ କର, ନିମାଇଁ ସେଠୀ ଏବଂ ଅନିଲ ମିଶ୍ର ସାମିଲ ହୋଇଥିଲେ। ରିମାଣ୍ଡ ଅବଧିର ଆଜି ଶେଷ ଦିନରେ ବିଜେନ୍‌ ପାଲ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ରଂଜିତା ପୁଲିସକୁ ସତ କହିଥିଲେ । ସେ ସଦା ନାୟକ ଜରିଆରେ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକକୁ ପିସ୍ତଲ ଓ ଗୁଳି ପାର୍ସଲ ଦେଇଥିବା ସ୍ୱୀକାର କରିଥିଲେ। ପାର୍ସଲଟି ରଂଜିତାଙ୍କୁ ଧଳସାମନ୍ତର ଜଣେ ବିଶ୍ୱସ୍ତ ଲୋକ ଦେଇଥିବା ପୁଲିସକୁ କହିଛି। ଉକ୍ତ ବ୍ୟକ୍ତିର ପରିଚୟ ପୁଲିସ ସ୍ପଷ୍ଟ କରି ନଥିବା ବେଳେ ଖୁବ୍‌ ଶୀଘ୍ର ତାକୁ ଗିରଫ କରାଯିବାକୁ ଯୋଜନା କରାଯାଉଛି। ଗତକାଲି ରଞ୍ଜିତା ନିଜ ସାହିର ବୁମ୍ବୋ ଫସାଇଥିବା କହିଥିବା ବେଳେ ଆଜି ସୁଶାନ୍ତକୁ ଟାର୍ଗେଟ୍‌ କରିଥିଲେ। ଅନ୍ୟପଟେ କଟକ ଜେଏମ୍‌ଏଫ୍‌ସି(ରୁରାଲ)ଙ୍କ କୋର୍ଟରେ ଉଭୟ ସୁଶାନ୍ତ-ରଞ୍ଜିତାଙ୍କୁ ଭଏସ୍‌ ସାମ୍ପୁଲ ସଂଗ୍ରହ ପାଇଁ ଗତକାଲି ସଦର ଥାନା ପୁଲିସ ଆବେଦନ କରିଥିଲା।

ଆଜି କୋର୍ଟର ଅନୁମତି ମିଳିଲା ପରେ ସଦର ଥାନାରେ ସନ୍ଧ୍ୟାରେ ଜିଲ୍ଲା ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀର ଫରେନ୍‌ସିକ ଅଫିସର ସନ୍ଧ୍ୟାରାଣୀ ଭୂୟାଁଙ୍କ ସମେତ ଦୁଇ ଜଣିଆ ଟିମ୍‌ ଏବଂ ଭୁବନେଶ୍ୱର ରସୁଲଗଡ଼ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀରେ ଦୁଇ ଜଣ ଏକ୍ସପର୍ଟ ପହଞ୍ଚିଥିଲେ। କିନ୍ତୁ ଉଭୟ ରଂଜିତା ଓ ସୁଶାନ୍ତ ନିଜ ଭଏସ୍‌ ସାମ୍ପୁଲ୍‌ ଦେବାକୁ ମନା କରିଦେଇଥିଲେ। ଜେଲ୍‌ ଭିତରେ ଥାଇ ରଂଜିତା ଓ ସୁଶିଲଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡ଼ିଓ ପୁଲିସକୁ ମିଳିଥିବା ବେଳେ ପୁଲିସ ତାହାକୁ ଯାଞ୍ଚ କରିବାକୁ ସାମ୍ପୁଲ ସଂଗ୍ରହ ପାଇଁ ଯୋଜନା କରିଥିଲା । ଅନ୍ୟପଟେ ସୁଶାନ୍ତର ବୟାନ ଆଧାରରେ ପୁଲିସ ଗତକାଲି ଚାଉଳିଆଗଞ୍ଜ ଅଞ୍ଚଳର ଧଳସାମନ୍ତର ସାର୍ପ ସୁଟର୍‌ କୁହାଯାଉଥିବା କର୍ଣ୍ଣୋଲି ଓରଫ ଆଶିଷ ବେହେରାକୁ ଗିରଫ କରିଛି । ଆଜି ଉଭୟଙ୍କ ତିନି ଦିନିଆ ରିମାଣ୍ଡ ଶେଷ ହୋଇଥିବାରୁ ଆସନ୍ତାକାଲି ସେମାନଙ୍କୁ ସକାଳ ୯ଟା ବେଳେ ବଡ଼ ମେଡିକାଲରେ ପ୍ରଥମେ ଡାକ୍ତରୀ ପରୀକ୍ଷା କରାଯିବ। ପରେ ଦିନ ପ୍ରାୟ ୧୦ଟା ୩୦ରେ ଜେଏମ୍‌ଏଫ୍‌ସି(ରୁରାଲ) କୋର୍ଟରେ ହାଜର କରାଯିବ।

ସମ୍ବନ୍ଧିତ ଖବର