ରାୟଗଡ଼ା: ସୁପ୍ରିମୋଙ୍କ ହ୍ବିପ୍‌କୁ ବେଖାତିର କରିଛନ୍ତି ବିଜେଡିର ବିଦ୍ରୋହୀ କାଉନ୍‌ସିଲର। କଡ଼ା ଚେତାବନୀ ସତ୍ତ୍ବେ ରାୟଗଡ଼ା ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ୧୯ କାଉନ୍‌ସିଲର ଭୋଟ ଦେଇଛନ୍ତି। ତେବେ ହାଇକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଭୋଟ ଗଣତି ସହ ଫଳାଫଳ ସ୍ଥଗିତ ରହିଛି। ତେଣୁ ଭୋଟ ବାକ୍ସ ସିଲ୍‌ କରି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଟ୍ରେଜେରିରେ ରଖିଛନ୍ତି। ଅକ୍ଟୋବର ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ମିଳିଲେ ଗଣତି ସହ ଫଳାଫଳ ଘୋଷଣା ହେବ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଫଳାଫଳ ସ୍ଥଗିତ ରହିବାରୁ ଆଜି ରାୟଗଡ଼ା ପୌର କାର୍ଯ୍ୟାଳୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। କୋର୍ଟଙ୍କ ଆଦେଶର ସାର୍ଟିଫାଇଡ୍‌ କପି ଗ୍ରହଣ ହୋଇନଥିବା ବେଳେ ଗଣତିକୁ କିପରି ସ୍ଥଗିତ ରଖାଗଲା ବୋଲି ବିଜେଡିର ବିଦ୍ରୋହୀ କାଉନ୍‌ସିଲର ପ୍ରଶ୍ନ କରିଛନ୍ତି।

Advertisment

ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ 
ଭୋଟିଂ ହେଲା, ସ୍ଥଗିତ ରହିଲା ଗଣତି
ଅକ୍ଟୋବର ୧୫ରେ ପରବର୍ତ୍ତୀ ଶୁଣାଣି

ନିର୍ବାଚନ ଅଧିକାରୀଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗୁରୁବାର ରାୟଗଡ଼ା ପୌର କାର୍ଯ୍ୟାଳୟରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରିଷଦର ୨୧ କାଉନ୍‌ସିଲର ଉପସ୍ଥିତ ରହି ମତଦାନ କରିଥିଲେ। କେବଳ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କୁ ଛାଡ଼ିଦେଲେ ବିଜେଡିର ଅନ୍ୟ ୨୦ କାଉନ୍‌ସିଲର ଦଳୀୟ ହ୍ୱିପ୍‌ ସତ୍ତ୍ବେ ବିଜେଡି ଏଜେଣ୍ଟ ତଥା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କୁ କାହାକୁ ଭୋଟ ଦେଲେ ଦେଖାଇ ନଥିଲେ। ଭୋଟିଂ ପୂର୍ବରୁ ଶୁଭ୍ରା ପଣ୍ଡା ଅନାସ୍ଥା ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କାଉନସିଲର୍‌ମାନେ ତାଙ୍କ ବିରୋଧରେ ପାରିତ କରିଥିବା ପ୍ରସ୍ତାବର ନକଲ ପାଇନଥିବା ଦର୍ଶାଇ ଉପାଧ୍ୟକ୍ଷା ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଆବେଦନକୁ ବିଚାରକୁ ନେଇ ନିର୍ବାଚନ ପ୍ରକ୍ରିୟାର ଫଳାଫଳ ଘୋଷଣା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ନ ହେବା ଯାଏଁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଭୋଟ ଗଣତି କରି ଫଳାଫଳ ଘୋଷଣା କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ପାଖରେ କାଉନସିଲର୍‌ମାନେ ଦାବି କରିଥିଲେ। ନଚେତ କୋର୍ଟଙ୍କ ଆଦେଶ ଦେଖାଇବାକୁ ଜିଦ୍‌ ଧରିଥିଲେ। ଏ ସମ୍ପର୍କରେ ନିର୍ବାଚନ ଅଧିକାରୀ ଶ୍ରୀ ଜେନା କହିଛନ୍ତି, ସରକାରୀ ଓକିଲଙ୍କ ପରାମର୍ଶ ଅନୁସାରେ ଭୋଟ ଗଣତିକୁ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ ଯେ ରାୟଗଡ଼ା ପୌରପାଳିକାର ୨୪ଟି ୱାର୍ଡ ମଧ୍ୟରୁ ଗୋଟିଏ ୱାର୍ଡରେ କଂଗ୍ରେସ, ଦୁଇଟିରେ ବିଜେପି ଏବଂ ୨୧ଟି ୱାର୍ଡରେ ବିଜେଡି କାଉନ୍‌ସିଲର ନିର୍ବାଚିତ ହୋଇଛନ୍ତି।