ଭୁବନେଶ୍ବର: କାର୍ତ୍ତିକେୟନ୍ ପାଣ୍ଡିଆନ ଉଭୟ ଦଳ ଓ ରାଜ୍ୟ ପାଇଁ ବହୁତ କାମ କରିଛନ୍ତି। ସେ ୧୦ ମାସ ହେଲା ବିଜେଡି ଛାଡ଼ି ସାରିଛନ୍ତି। ସେ ଦଳର କୌଣସି କାମରେ ସଂପୃକ୍ତ ନାହାନ୍ତି। ତେଣୁ ବିଜେଡିର କୌଣସି ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା ବା ବଦନାମ କରାଯିବା ଉଚିତ ନୁହେଁ। ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଛଅ ଦିନ ଧରି ହଲଚଲ ହେଲା ପରେ ଆଜି ମୁହଁ ଖୋଲିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଆଉ ପାଣ୍ଡିଆନଙ୍କ ସୁରକ୍ଷା କବଚ ଭାବେ ହିଁ ସେ ଗଣମାଧ୍ୟମ ସାମନାକୁ ଆସିଛନ୍ତି। ପାଣ୍ଡିଆନଙ୍କୁ କେବଳ ପ୍ରଶଂସା କରିନାହାନ୍ତି, ବରଂ ତାଙ୍କୁ କୌଣସି ପ୍ରକାର ସମାଲୋଚନା ନ କରିବାକୁ ସେ ବିଜେଡି ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ମୋହରା ସଜାଇଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ। ତାଙ୍କରି ନାମ ନେଇ କହିଛନ୍ତି, ‘ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି।
ସେ କିଛି ବର୍ଷ ତଳେ ଦଳରୁ ବହିଷ୍କୃତ ହୋଇଛନ୍ତି। ଚିଟ୍ଫଣ୍ଡ୍ ମାମଲାରେ ସଂପୃକ୍ତି ଅଭିଯୋଗରେ ସେ ଜେଲ୍ ଯାଇଥିଲେ।’ ପ୍ରଭାତଙ୍କ ନାଁ ନେଇ ଅନ୍ୟ ସବୁ ନେତାଙ୍କୁ ପାଣ୍ଡିଆନଙ୍କୁ କିଛି ନକହିବା ପାଇଁ ନବୀନ ସତର୍କ କରାଇ ଦେଇଛନ୍ତି। କେବଳ ଏତିକିରେ ନବୀନ ଅଟକି ନାହାନ୍ତି। ବରିଷ୍ଠ ନେତାମାନଙ୍କୁ ନାଲି ଆଖି ଦେଖାଇଛନ୍ତି। ହୋଟେଲ୍ରେ କୌଣସି ଦଳୀୟ ବୈଠକ ପାଇଁ ସେ ଅନୁମତି ଦେଇ ନାହାନ୍ତି। ବୈଠକ କରିବା ପାଇଁ ଶଙ୍ଖ ଭବନରେ ପର୍ଯ୍ୟାପ୍ତ ଜାଗା ଅଛି। ସେଠାରେ ବୈଠକ ନ କରି ହୋଟେଲ୍ରେ ବୈଠକ କରିବା ଉଚିତ ନୁହେଁ ବୋଲି କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଯେଉଁ ପ୍ରସଙ୍ଗରେ ନେତାମାନେ ନବୀନଙ୍କଠାରୁ ସ୍ପଷ୍ଟୀକରଣ ଓ କାର୍ଯ୍ୟାନୁଷ୍ଠାନ ଚାହୁଥିଲେ, ତାହାକୁ ସେ ଛୁଇଁ ନାହାନ୍ତି। ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଶେଷ ମୁହୂର୍ତ୍ତରେ କିଏ ଓ କାହିଁକି ବଦଳାଇଥିଲେ, ସେ ସମ୍ପର୍କରେ ନବୀନ କିଛି କହିନାହାନ୍ତି।
ୱକଫ୍ ବିଲ୍ ପ୍ରସଙ୍ଗରେ ପାଟି ଫିଟାଇଲେନି
ପ୍ରଭାତଙ୍କ ନାଁ ନେଇ ବରିଷ୍ଠଙ୍କୁ ନାଲି ଆଖି
ହୋଟେଲ୍ ବୈଠକକୁ ଅନୁମତି ଦେଇନଥିଲେ
ଶଙ୍ଖ ଭବନରେ ବୈଠକ ପାଇଁ ପରାମର୍ଶ
ଆଜି ଗଣମାଧ୍ୟମକୁ ନବୀନଙ୍କ ପ୍ରତିକ୍ରିୟା ଦେବାର ଶୈଳୀ ବି ଆହୁରି ଆଶ୍ଚର୍ଯ୍ୟଜନକ ଥିଲା। କୌଣସି ଆଞ୍ଚଳିକ ଗଣମାଧ୍ୟମକୁ ସେଠାକୁ ଡକାଯାଇ ନଥିଲା। କେବଳ ଦୁଇଟି ଜାତୀୟ ଏଜେନ୍ସିକୁ ଡାକି ନବୀନ ନିବାସରେ ସେ ଏହି ପ୍ରତିକ୍ରିୟା ଦେଇଥିଲେ। ପରେ ଦଳ ପକ୍ଷରୁ ଏହି ଭିଡିଓ ଗଣମାଧ୍ୟମକୁ ଛଡ଼ାଯାଇଥିଲା। ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ନବୀନ ଦେଇ ନଥିଲେ। ସେ ନିଜେ ଯେତିକି ପ୍ରସ୍ତୁତ ହୋଇଆସିଥିଲେ, ସେତିକି କହିଲେ। ତାହା ପରେ ଭିତରକୁ ଚାଲିଗଲେ। ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ ଓ ପର୍ଯ୍ୟବେକ୍ଷକ ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ ନେଇ ଆଲୋଚନା କରିବାକୁ ନବୀନ ନିବାସ ଯାଇଥିଲେ। ହଠାତ ନବୀନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ପୋର୍ଟିକୋ ନିକଟକୁ ଆସିଲା ବେଳେ ସେମାନେ କିଛି ବୁଝିପାରି ନଥିଲେ। କେବଳ ନବୀନଙ୍କ ପଛରେ ଠିଆ ହୋଇ ସୁନା ପିଲା ପରି ସବୁ ଶୁଣିଥିଲେ। ୱକଫ୍ ବିଲ୍ ଭୋଟିଂ ପରଦିନଠାରୁ ଲଗାତାର ଭାବେ ବିଜେଡିର ନେତାମାନେ ଭିନ୍ନ ଭିନ୍ନ ଗୋଷ୍ଠୀ ହୋଇ ମେଳି କରୁଛନ୍ତି। ଆଜି ମଧ୍ୟ ତିନିଟି ଜାଗାରେ ନେତାମାନେ ଏକାଠି ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି ସମସ୍ତେ ଆନୁଗତ୍ୟ ପ୍ରକାଶ କରୁଥିଲେ ବି ଭିକେ ପାଣ୍ଡିଆନଙ୍କୁ ସହିବା ସ୍ଥିତିରେ ନାହାନ୍ତି ବୋଲି ଜଣାଇ ଦେଇଥିଲେ। କିନ୍ତୁ ଆଜି ଖୋଦ୍ ନବୀନ ଦଳୀୟ ନେତାମାନଙ୍କ ଆନୁଗତ୍ୟକୁ ଗୁରୁତ୍ବ ଦେଇ ନାହାନ୍ତି। ନବୀନଙ୍କ ଏପରି ଆଭିମୁଖ୍ୟ ପରେ ବରିଷ୍ଠ ନେତାମାନେ କ’ଣ କରିବେ, ତାହା ବୁଝିପାରୁ ନାହାନ୍ତି।
ଦଳର ନେତାମାନେ ଗଣମାଧ୍ୟମରେ ବୟାନବାଜି ନ କରିବାକୁ ଗତକାଲି ନବୀନ ତାଗିଦ କରିଥିଲେ। କିନ୍ତୁ ତାହା ସତ୍ତ୍ବେ ଆଜି ବିଭିନ୍ନ ସ୍ଥାନରେ ନେତାମାନେ ଦଳ ଦଳ ହୋଇ ଏକାଠି ହୋଇଥିଲେ। ଚନ୍ଦ୍ରଶେଖପୁରର ଏକ ହୋଟେଲ୍ରେ ବରିଷ୍ଠ ନେତାମାନେ ଏକାଠି ହୋଇଥିଲେ। ଅନଙ୍ଗଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଅଶୋକ ଚନ୍ଦ୍ର ପଣ୍ଡା, ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ପ୍ରଭାତ ତ୍ରିପାଠୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ନବୀନଙ୍କ ନେତୃତ୍ବକୁ ବାହ୍ୟ ଶତ୍ରୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତାହା କରାଯିବାକୁ ଦିଆଯିବ ନାହିଁ ବୋଲି ଗଣମାଧ୍ୟମରେ ଶଶୀଭୂଷଣ ବେହେରା କହିଥିଲେ। ଅନ୍ୟ ପଟେ ପ୍ରତାପ ଦେବଙ୍କ ଘରେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଏକାଠି ହୋଇଥିଲେ। ସାଂଗଠନିକ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ସେମାନେ କହିଥିଲେ। ବିଜେଡି ଏକ ମହାସମୁଦ୍ର। ନବୀନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି କାହାରି ପ୍ରଶ୍ନବାଚୀ ନାହିଁ। ତେଣୁ ଦଳ ଆଗକୁ ମଜଭୁତ ହେବ ବୋଲି ଅରୁଣ ଗଣମାଧ୍ୟମକୁ କହିଥିଲେ। ସେହିପରି ଗତକାଲି ମେଳି କରିଥିବା ଯୁବ ନେତାମାନଙ୍କୁ ଆଜି ମଧ୍ୟ ନବୀନଙ୍କୁ ଭେଟିବାକୁ ସମୟ ଦିଆଯାଇ ନଥିଲା। ତେବେ ସେମାନେ ସଭାପତିଙ୍କୁ ଚିଠି ଲେଖି ୱକଫ୍ ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଥିଲେ।
ନବୀନ ସ୍ବାଭାବିକ, ନେତା-କର୍ମୀ ବିଚଳିତ
ପ୍ରଭାତଙ୍କ ପ୍ରସଙ୍ଗରେ ମିଛ କହିଲେ
ପାଣ୍ଡିଆନଙ୍କ ଉପରେ ଆଞ୍ଚ ଆସିଲେ ନବୀନ କାହାରି ନୁହନ୍ତି
ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନ ତାଙ୍କର ଏକମାତ୍ର ବିଶ୍ବସ୍ତ ବ୍ୟକ୍ତି ଥିଲେ। ନିର୍ବାଚନ ପରାଜୟ ପରେ ବି ବିଶ୍ବସ୍ତ ଥିଲେ। ପରାଜୟର ୧୦ ମାସ ପରେ ମଧ୍ୟ ଅଛନ୍ତି। କ୍ଷମତାରେ ଥିଲା ବେଳେ ପାଣ୍ଡିଆନଙ୍କ ଉପରେ ଆଞ୍ଚ ଆସିଲେ, ନବୀନ ପଟ୍ଟନାୟକ କାହାର ମୁହଁ ଚାହୁ ନଥିଲେ। ଏବେ ବି ସେହି ଆଭିମୁଖ୍ୟ ବଦଳିନି। ଆଜି ପାଣ୍ଡିଆନଙ୍କ ପାଇଁ ନବୀନ ଓକିଲାତି କରିବାରେ କୌଣସି ଅସ୍ବାଭାବିକତା ନାହିଁ। ପାଣ୍ଡିଆନଙ୍କୁ ନେଇ ସେ ସ୍ଥିର ଓ ସ୍ବାଭାବିକ। ତେବେ ନେତା ଓ କର୍ମୀମାନେ ନିଜ ଭବିଷ୍ୟତ ନେଇ ବିଚଳିତ ହୋଇପଡ଼ିଛନ୍ତି। ପାଣ୍ଡିଆନଙ୍କ ପ୍ରତି ନବୀନଙ୍କ ମାତ୍ରାଧିକ ଦୁର୍ବଳତା ବିଜେଡିକୁ ତଳିତଳାନ୍ତ କରିଦେବନି କି ବୋଲି ସେମାନେ ପ୍ରଶ୍ନ ଉଠାଇଲେଣି। ଆଜି ପାଣ୍ଡିଆନଙ୍କ ପାଇଁ ଓକିଲାତି କରୁ କରୁ ନବୀନ ନିଜକୁ ଆହୁରି ସମାଲୋଚନା ଓ ସନ୍ଦେହର ବଳୟକୁ ଟାଣି ନେଇଛନ୍ତି। ତାଙ୍କ ବୟାନ ରାଜନୈତିକ ମହଲକୁ ଆଚମ୍ବିତ କରିଛି। ପ୍ରଭାତ ତ୍ରିପାଠୀଙ୍କ ପ୍ରସଙ୍ଗରେ ନବୀନଙ୍କ ଡାହା ମିଛ ଧରାପଡ଼ିଯାଇଛି। ଚିଟ୍ଫଣ୍ଡ୍ ମାମଲାରେ ଜେଲ୍ ଗଲା ପରେ ପ୍ରଭାତ ତ୍ରିପାଠୀଙ୍କୁ ୨୦୧୪ରେ ବିଜେଡି ନିଲମ୍ବନ କରିଥିଲା। କିନ୍ତୁ ୨୦୧୭ ନଭେମ୍ବରରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନିଆଯାଇଥିଲା। ତାହା ପରଠାରୁ ସେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି।
ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଦୁଇ ଦୁଇ ଥର ବିଜେଡି ଟିକେଟରେ ବାଙ୍କୀରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ନିଜେ ନବୀନ ବିଭିନ୍ନ ନିର୍ବାଚନୀ ସଭାରେ ପ୍ରଭାତଙ୍କ ସହ ଗୋଟିଏ ମଞ୍ଚରେ ଦେଖାଦେଇଛନ୍ତି। ତେଣୁ ପ୍ରଭାତ କେବେ ବିଜେଡିରୁ ବହିଷ୍କୃତ ହେଲେ, ତାହା ରାଜନୈତିକ ସମୀକ୍ଷକମାନେ ଜାଣିପାରୁ ନାହାନ୍ତି। ନବୀନଙ୍କର ଏହା ମନେ ନ ଥିଲା ନା ତାଙ୍କୁ କେହି ଭୁଲ୍ ତଥ୍ୟ ଦେଇ ଲୋକହସା କରୁଛନ୍ତି, ତାହା ଆଲୋଚନାର ବିଷୟ ହୋଇଛି। ନବୀନ ଚିଟ୍ଫଣ୍ଡ୍ ଅଭିଯୁକ୍ତ ବୋଲି ପ୍ରଭାତ ତ୍ରିପାଠୀଙ୍କୁ ଆକ୍ଷେପ କରିଛନ୍ତି। କିନ୍ତୁ ଚିଟ୍ଫଣ୍ଡ୍ ଘୋଟାଲା ତ ନବୀନଙ୍କ ଶାସନ ସମୟରେ ହିଁ ହୋଇଥିଲା। ବହୁ ନେତା, ଅଧିକାରୀଙ୍କ ନାଁ ସେଥିରେ ଯୋଡ଼ି ହୋଇଥିଲା। ଏପରିକି ନବୀନଙ୍କ ଆଖି, କାନ କୁହାଯାଉଥିବା ନବୀନ ନିବାସର ଜଣେ କର୍ମଚାରୀଙ୍କୁ ସିବିଆଇ ଜେରା କରିଥିଲା। ନବୀନ ସରକାର ବଦନାମ ହେବା ପଛରେ ଏହା ଗୋଟିଏ କାରଣ ଥିଲା। ଏ ପର୍ଯ୍ୟନ୍ତ ବି ଚିଟ୍ଫଣ୍ଡ୍ ଜମାକାରୀ ନ୍ୟାୟ ପାଇନାହାନ୍ତି। ତେଣୁ ନବୀନ ଏବେ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଯାଇ ଚିଟ୍ଫଣ୍ଡ୍ ପ୍ରସଙ୍ଗ ଉଠାଇବା ତାଙ୍କ ପାଇଁ ବୁମେରାଂ ହେବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଉଛି।
ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେବାକୁ ଯାଇ ନବୀନ କହିଛନ୍ତି ଯେ ବିଜେଡିର କୌଣସି ନିଷ୍ପତ୍ତିରେ ପାଣ୍ଡିଆନଙ୍କର ଭୂମିକା ନାହିଁ। ପ୍ରଶ୍ନ ଉଠୁଛି, ତେବେ କିଏ ୱକଫ୍ ବିଲ୍ ପ୍ରସଙ୍ଗରେ ସସ୍ମିତଙ୍କୁ ପରିବର୍ତ୍ତିତ ନିଷ୍ପତ୍ତି ଶୁଣାଇଲେ? ଏହା ଏବେ ନୂଆ ବିତର୍କ ସୃଷ୍ଟି କରିଛି। ପାଣ୍ଡିଆନଙ୍କୁ ସୁନାମୁଣ୍ଡା ବୋଲି ପ୍ରମାଣିତ କରିବାକୁ ନବୀନ କହିଛନ୍ତି, ସେ ଦଳ ଓ ରାଜ୍ୟ ପାଇଁ ବହୁତ କାମ କରିଛନ୍ତି। ରାଜନୈତିକ ସମୀକ୍ଷକମାନେ ତାଙ୍କର ଏହି ମନ୍ତବ୍ୟରେ ଚକିତ ହୋଇଛନ୍ତି। ଖୋଦ୍ ଦଳର ନେତା ଓ କର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଯଦି ପାଣ୍ଡିଆନ ଏତେ କାମ କରୁଥିଲେ, ତେବେ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେଲା କାହିଁକି? ନିଜେ ନବୀନ କାହିଁକି ପରାଜୟର ସାମନା କଲେ? ରାଜ୍ୟ ପାଇଁ ଏତେ ଭଲ କାମ କରିଥିବା ସତ୍ତ୍ବେ ଲୋକଙ୍କ ଦ୍ବାରା ତାହା ଗ୍ରହଣୀୟ ହେଲା ନାହିଁ କାହିଁକି? ଜଣେ ବରିଷ୍ଠ ନେତା କହିଛନ୍ତି, ଏହା ସ୍ପଷ୍ଟ ଯେ ବିଜେଡିର ପରାଜୟ ପଛରେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀ ହିଁ ପ୍ରମୁଖ କାରଣ। ଏହା ଧରାପଡ଼ିଯିବା ଭୟରେ ତ ନବୀନ ଆଦୌ ପରାଜୟର ସମୀକ୍ଷା ହିଁ କଲେ ନାହିଁ।
ରାଜନୈତିକ ମହଲର କହିବା କଥା, ପାଣ୍ଡିଆନ ବିଜେଡିରେ ନାହାନ୍ତି ସତ। କିନ୍ତୁ ବିଜେଡିରେ କୌଣସି ନିଷ୍ପତ୍ତି ପଛରେ ତାଙ୍କର ଅବଦାନ ନାହିଁ, ତାହା କହିବା ଭୁଲ୍। ସରକାରୀ ଚାକିରିରେ ଥିଲା ବେଳେ ସେ ବିଜେଡିକୁ ନିୟନ୍ତ୍ରଣ କରୁଥିଲେ। ଏହାକୁ ସମସ୍ତେ ଅସ୍ବୀକାର କରୁଥିଲେ ବି ତାହା ହିଁ ସତ ଥିଲା। ଏବେ ସମାନ ତରିକାରେ ନବୀନ ଅସ୍ବୀକାର କରୁଛନ୍ତି। କିନ୍ତୁ ସତ ଲୁଚି ରହିନି। ନବୀନଙ୍କ ମନ୍ତବ୍ୟ ପରେ ବିଜେଡିରେ ଅସନ୍ତୋଷ ଥମୁଛି ନା ବିସ୍ଫୋରଣ ହେଉଛି, ତାହା ଖୁବ୍ ଶୀଘ୍ର ଜଣାପଡ଼ିବ।