ବ୍ରଜରାଜନଗର ଉପନିର୍ବାଚନ ଲାଗି ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଳକା ମହାନ୍ତିଙ୍କ ନାଆଁ ଘୋଷଣା କରିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।

ଗତ ଡିସେମ୍ବର ୩୦ରେ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା। ଚଳିତ ମେ’୩୧ରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ତାରିଖ ଘୋଷଣା ପରଠାରୁ ରାଜନୈତିକ ଉଷ୍ମତା ଜୋର୍ ଧରିଥିବାବେଳେ ପ୍ରାର୍ଥିତ୍ବକୁ ନେଇ କୌଣସି ଦଳ ସ୍ପଷ୍ଟ ସଙ୍କେତ ଦେଇନଥିଲେ। ତେବେ, ବିଜେଡିରୁ ଦିବଂଗତ ବିଧାୟକଙ୍କ ପତ୍ନୀ ଅଳକା ମହାନ୍ତି ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କ ନାମ ଚର୍ଚ୍ଚାରେ ରହିଥିଲା।

ଏଣେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ନେଇ ଦଳ ପକ୍ଷରୁ ଘୋଷଣା ହୋଇଛି। ସେ ୨୦୧୪ରେ ବ୍ରଜରାଜନଗରରୁ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା ହେବା ପରେ ବ୍ରଜରାଜନଗର ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର୍ ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଉପନିର୍ବାଚନ ପରିପ୍ରେକ୍ଷୀରେ ବୁଧବାର ଦିନ ଅନୁଷ୍ଠିତ ଦଳର ସାଙ୍ଗଠନିକ ବୈଠକରେ ଏ ନେଇ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା କି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀତ୍ବ ନେଇ ନିଷ୍ପତ୍ତି ଗ୍ରହଣ କରିବେ।
ଉକ୍ତ ବୈଠକରେ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ଯୋଗ ଦେଇଥିଲେ। ବୈଠକରେ ଆଗାମୀ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପରେ ଏହି ଦାୟିତ୍ବ ଅର୍ପଣ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର