ଭୁବନେଶ୍ବର: ନିର୍ବାଚନରେ ବିଜେଡି କାହିଁକି ହାରିଲା? ସାଧାରଣ ଲୋକଙ୍କ ଠାରୁ ରାଜନୈତିକ ବିଶେଷଜ୍ଞ ଢେର୍ ଆଲୋଚନା କଲେଣି। ବିଜେଡି ନେତାଙ୍କୁ ବି ଅଛପା ନାହିଁ। ଓଡ଼ିଶାର ଆଞ୍ଚଳିକ ଦଳକୁ ‘ଓଡ଼ିଆ ଅସ୍ମିତା’ର ଦ୍ବାହି ଦେଇ ଏକ ଜାତୀୟ ଦଳ କାହିଁକି ଘାଇଲା କଲା, ତାହା ସର୍ବଜନବିଦିତ। ୭ ମାସ ପରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଗୋଟିଏ ଅଜବ ଯୁକ୍ତି ବଜାରକୁ ଛାଡ଼ିଛନ୍ତି। ଦଳର ପ୍ରତିଷ୍ଠା ଦିବସରେ ନବୀନ କହିଲେ ଯେ ‘ସାମାଜିକ ଗଣମାଧ୍ୟମରେ ବିଜେପିର ମିଛ ବ୍ୟାଖ୍ୟାନକୁ ଆମେ ମୁକାବିଲା କରିପାରିଲୁ ନାହିଁ।’ ନବୀନଙ୍କର ଏହି ମନ୍ତବ୍ୟ ବିଜୁ ଜନତା ଦଳ ଓ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନାର ବିଷୟ ହୋଇଛି। ଏଇଥିପାଇଁ ଯେ ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ହିଁ ବିଜେଡି ଅଧିକ ଫୋକସ୍ କରିଥିଲା। ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରିଥିଲା। କେବଳ ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇଁ ରାଜ୍ୟ ବାହାରର ଏକ ସଂସ୍ଥାକୁ ୮୦ କୋଟି ଟଙ୍କାରୁ ଅଧିକ ଦିଆଯାଇଛି। କେବଳ ସେତିକି ନୁହେଁ, ବିଜେଡିର ଏକ ବଡ଼ ସାମାଜିକ ଗଣମାଧ୍ୟମ ଶାଖା ମଧ୍ୟ କାର୍ଯ୍ୟ କରୁଥିଲା। ଆସାମରୁ ଆଇଆଇଟିର ଜଣେ ପୂର୍ବତନ ଛାତ୍ର(ସାମାଜିକ ଗଣମାଧ୍ୟମରେ ଅଭିଜ୍ଞତା ରଖିଥିବା)ଙ୍କୁ ମାସିକ ପ୍ରାୟ ୨୦ ଲକ୍ଷ ଟଙ୍କା ଦିଆଯାଇ ଏହି କାମରେ ନିୟୋଜିତ କରାଯାଇଥିଲା। ସାମାଜିକ ଗଣମାଧ୍ୟମକୁ ନେଇ ଏତେ ବଡ଼ ପ୍ରସ୍ତୁତି ଓ ବିପୁଳ ଖର୍ଚ୍ଚ ପରେ ବି ‘ବିଜେପିର ମିଛ’କୁ କାହିଁକି ମୁକାବିଲା କରାଯାଇପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି। 

Advertisment

ସାମାଜିକ ଗଣମାଧ୍ୟମରେ ବିପୁଳ ଖର୍ଚ୍ଚ ହୋଇଥିଲା
ବିଜେଡିକୁ କମ୍, ପାଣ୍ଡିଆନଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିଲା
ଭୋଟ୍‌ ଅସଙ୍ଗତି କଥା କହି କାହାକୁ ସୁରକ୍ଷା ଦେବାକୁ ଚାଲିଛି ଯୋଜନା?

ଦଳର କିଛି ବରିଷ୍ଠ ନେତାଙ୍କ ମତରେ, ଅସଲ କଥା କେହି କହୁନାହାନ୍ତି। ସାମାଜିକ ଗଣମାଧ୍ୟମ ପାଇଁ ଦଳ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିଲା। ବିଶେଷଜ୍ଞମାନଙ୍କୁ ରଖାଯାଇଥିଲା। ହେଲେ ସେମାନେ ବିଜେଡି ପାଇଁ କମ୍, ବରଂ ଦ୍ବିତୀୟ କ୍ଷମତା କେନ୍ଦ୍ର ଭି କେ ପାଣ୍ଡିଆନଙ୍କ ଭାବମୂର୍ତ୍ତି ପ୍ରସ୍ତୁତ କରିବା ଦିଗରେ ବେଶି କାମ କରୁଥିଲେ। ପାଣ୍ଡିଆନଙ୍କୁ ମହାନାୟକ ଭାବେ ଉପସ୍ଥାପନ କରିବାକୁ ସବୁ ସୃଜନଶୀଳତାକୁ ଖଟାଉଥିଲେ। ନବୀନଙ୍କ ନାମରେ ହିଁ ଭୋଟ୍‌ ଅଛି ବୋଲି ଦଳର ନେତା ଓ କର୍ମୀ ସମସ୍ତେ ଜାଣନ୍ତି। ଏକଥା ବାରମ୍ବାର ପ୍ରମାଣିତ ହୋଇଛି। ଏହା ସତ୍ତ୍ବେ ସାମାଜିକ ଗଣମାଧ୍ୟମରେ କେବଳ ପାଣ୍ଡିଆନଙ୍କ ପ୍ରଚାର ଜୋରଦାର କରାଯାଉଥିଲା। ବହୁ ପୋଷ୍ଟରରୁ ବିଜୁ ବାବୁଙ୍କ ଫଟୋ ଉଠାଇ ଦିଆଯାଇଥିଲା। ସରକାରର ଅଧିକାଂଶ ବିକାଶମୂଳକ କାମର ଶ୍ରେୟ ପାଣ୍ଡିଆନଙ୍କୁ ଦିଆଯାଇଥିଲା।
ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ବହି ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟାକୁ ନେଇ ମଧ୍ୟ ଦଳ ଭିତରେ ଅସନ୍ତୋଷ ଦାନା ବାନ୍ଧିଲାଣି। ରୁବେନଙ୍କ ଏହି ବହିର ପ୍ରଥମ ସଂସ୍କରଣ ପୂର୍ବରୁ ପ୍ରକାଶ ପାଇ ସାରିଛି। ସେଥିରେ ସେ ନବୀନଙ୍କ ସମ୍ପର୍କରେ ଅନେକ କଥା ଲେଖିଥିଲେ। କିଛି ପ୍ରଶଂସା ଥିଲା, କିଛି ସମାଲୋଚନା ମଧ୍ୟ ଥିଲା। ଉଭୟ ଇଂରାଜୀ ଓ ଓଡ଼ିଆରେ ବହିଟି ପ୍ରକାଶ ପାଇଥିଲା। କିନ୍ତୁ ସେତେବେଳେ ବିଜେଡି ନେତା ଏତେ ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ହେଲେ ଏଥର ପାଣ୍ଡିଆନଙ୍କ ଅଧ୍ୟାୟଟି ଯୋଡ଼ି ହୋଇଯିବାରୁ ହଠାତ ଚିହିଁକି ଉଠିଛି ଦଳ। ବରିଷ୍ଠ ନେତା ବହିର ସମାଲୋଚନା କରିଛନ୍ତି। ଏହା ସହ ସାମାଜିକ ଗଣମାଧ୍ୟମରେ ରୁବେନଙ୍କୁ ଭର୍ତ୍ସନା ଜାରି ରହିଛି। ପାଣ୍ଡିଆନଙ୍କ ଭୁଲ୍‌ ରଣନୀତି ପାଇଁ ବିଜେଡି ହାରିଲା ଏବଂ ପାଣ୍ଡିଆନଙ୍କ ପାଇଁ ହିଁ ‘ଓଡ଼ିଆ ଅସ୍ମିତା’ ନାରା ଲୋକଙ୍କୁ ଛୁଇଁଲା, ଏହି କଥା ରୁବେନଙ୍କ ବହିରେ ଦର୍ଶାଯିବାରୁ ବିଜେଡି ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। କୌତୂହଳ କଥା ହେଲା, ପାଣ୍ଡିଆନଙ୍କ ବିଷୟରେ ଶ୍ରୀ ବାନାର୍ଜୀ ଲେଖିଥିବା କେଉଁ କଥାଟି ମିଛ ତାହା ନିର୍ଦ୍ଦିଷ୍ଟ କେହି ଖୋଲି କହିନାହାନ୍ତି। ପରୋକ୍ଷରେ ଉଭୟ କଥା ସୂଚାଉଛି ଯେ ଆଜି ବି ବିଜେଡି ଉପରେ ପାଣ୍ଡିଆନଙ୍କର ଅଖଣ୍ଡ ପ୍ରଭାବ ରହିଛି।

ନିର୍ବାଚନର ୬ ମାସ ପରେ ଭୋଟ୍‌ ଅସଙ୍ଗତି ନେଇ ଦଳ ଉଠାଇଥିବା ପ୍ରସଙ୍ଗକୁ ମଧ୍ୟ ବରିଷ୍ଠ ନେତାମାନେ ଗ୍ରହଣ କରିପାରୁ ନାହାନ୍ତି। ଦଳର ପ୍ରତିନିଧିମାନେ ନିର୍ବାଚନ କମିସନଙ୍କୁ ଭେଟିଲେ। ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କଲେ। ନିଜେ ନବୀନ ଗଣମାଧ୍ୟମରେ ଏହା ଦୋହରାଇଲେ। ଆଉ ଗୋଟିଏ ପକ୍ଷ ଚର୍ଚ୍ଚା କଲେଣି ଯେ ପରାଜୟର ଅସଲ କାରଣ ଏଡ଼ାଇବାକୁ ଭୋଟ୍‌ ଅସଙ୍ଗତି ପ୍ରସଙ୍ଗ ଏକ ଯୋଜନାବଦ୍ଧ ଉଦ୍ୟମ ଛଡ଼ା ଆଉ କିଛି ହୋଇ ନପାରେ। ଦଳର ପରାଜୟ ପାଇଁ ପାଣ୍ଡିଆନ ଦାୟୀ ବୋଲି ଯେଉଁ ଧାରଣା ତିଆରି ହୋଇଛି, ତାହା ଉପରେ ପରଦା ଢାଙ୍କିବା। ଦଳର କିଛି ବରିଷ୍ଠ ନେତା କହିଲେଣି ଯେ ନବୀନ ନିବାସରେ ପାଣ୍ଡିଆନଙ୍କ ସକ୍ରିୟତାର ଏସବୁ ଗୋଟିଏ ଗୋଟିଏ ଉଦାହରଣ ମାତ୍ର। ପ୍ରତିଷ୍ଠା ଦିବସରେ ନବୀନଙ୍କ ଏକ ଭିଡିଓ ବାର୍ତ୍ତା ଆଉ ଏକ କାରଣରୁ ନେତାମାନଙ୍କୁ ଅଡ଼ୁଆରେ ପକାଇ ଦେଇଛି। ନବୀନଙ୍କର ଗୋଟିଏ ଭିଡ଼ିଓ ବାର୍ତ୍ତା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଉଦ୍ଦେଶ୍ୟରେ ଜାରି ହୋଇଛି। ଏଠାରେ ସେ ସ୍ପଷ୍ଟ ଭାବେ ଓଡ଼ିଆ କହୁଛନ୍ତି। ହେଲେ ଦଳୀୟ କାର୍ଯ୍ୟାଳୟରେ ଯେଉଁ ଭାଷଣ ଦେଉଛନ୍ତି, ସେଥିରେ ଏହାର ବିପରୀତ ସ୍ଥିତି। ଅର୍ଥାତ୍ ନବୀନ ଓଡ଼ିଆ ଭାଷା ଶିଖିପାରି ନଥିବା କଥାକୁ ଲୁଚାଇବାକୁ ଏବେ ବି ଢେର୍ ଉଦ୍ୟମ ଚାଲିଛି। ଉଲ୍ଲେଖଥାଉକି, ନଭେମ୍ବରରୁ ନବୀନଙ୍କ ନିର୍ବାଚନମଣ୍ଡଳୀ ବୁଲିବା ପ୍ରସଙ୍ଗରେ ବିଜେଡି ନେତା ଆଉ ମୁହଁ ଖୋଲୁନାହାନ୍ତି। ଏମିତି ସମୟରେ ପୁଣି ଥରେ ନବୀନଙ୍କ ମୁହଁରେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଜୋରଦାର ଉଦ୍ୟମ ହେବା ବିଜେଡିର ଭବିଷ୍ୟତ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣିଲାଣି।