‘ସମ୍ବାଦ’ ରିପୋର୍ଟ ଆଧାରରେ ସଂସଦରେ ଉଠିଲା ସ୍ବର, ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆଯାଉ: ବିଜେଡି

ଭୁବନେଶ୍ବର : ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟରେ (ଏନଏଲୟୁ) ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥା ଦିଆଯାଉ। ଏ ନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଦୁଇ ସପ୍ତାହ ତଳେ ଓଡ଼ିଶା ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା। ଆଜି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଏ େନଇ େକନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୋମବାର ରାଜ୍ୟସଭାରେ ବିଜେଡି ସାଂସଦ ଶ୍ରୀ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବିଭିନ୍ନ ରାଜ୍ୟରେ ୧୯ଟି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ରହିଛି। ୧୮ଟିରେ ସେହି ରାଜ୍ୟର ଛାତ୍ରାଛାତ୍ରୀଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିବାବେଲେ ଓଡ଼ିଶାରେ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏନଏଲୟୁ)ରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇନି। ୨୦୦୯ରୁ କଟକରେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ବବିଦ୍ୟାଳୟ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଇନ ଶିକ୍ଷା ପ୍ରଦାନ କରିଆସୁଛି। ରାଜ୍ୟରେ ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀ ନିମ୍ନ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ବାହାର ରାଜ୍ୟକୁ ଯାଇ ଗୁଣାତ୍ମକ ଆଇନ ଶିକ୍ଷା କରିବାକୁ ଆର୍ଥିକ ଦୃଷ୍ଟିରୁ ସମର୍ଥ ହୋଇପାରୁନାହାନ୍ତି। ଏବେ ଏନଏଲୟୁ କର୍ତ୍ତୃପକ୍ଷ କାହିଁକି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଦେବାକୁ ବଞ୍ଚିତ କରୁଛନ୍ତି ତାହା ତାଙ୍କୁ ଜଣା।

ଶ୍ରୀ ଆଚାର୍ଯ୍ୟ ଆହୁରି ଦର୍ଶାଇଛନ୍ତି, କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଛାତ୍ରାଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ରାଜ୍ୟ ସରକାର ବହୁବାର ଏନଏଲୟୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଆସିଛନ୍ତି। ଏହାଦ୍ବାରା ଏନଏଲୟୁର ବ୍ରାଣ୍ଡ ଉପରେ ପ୍ରଭାବ ପକାଇବ ବୋଲି ପାଲଟା ଯୁକ୍ତି କରାଯାଉଛି। ଯଦି ଅନ୍ୟ ରାଜ୍ୟରେ ଥିବା ଏନଏଲୟୁରେ ସେଠାକାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରଖିବାରେ ବ୍ରାଣ୍ଡ ମୂଲ୍ୟ ଉପରେ କିଛି ପ୍ରଭାବ ପକାଉନି ତା ହେଲେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ କାହିଁକି ଉପେକ୍ଷା କରାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ଅନୁରୋଧ କରି ଶ୍ରୀ ଆଚାର୍ଯ୍ୟ କହିଥିଲେ, ଜାତୀୟ ବିଶ୍ବବିଦ୍ୟାଳୟ ନୀତି ସମସ୍ତଙ୍କ ପାଇଁ ସମାନ। ଏହା ଗୋଟିଏ ରାଜ୍ୟରେ ଥିବା ଜାତୀୟ ଶିକ୍ଷାନୁଷ୍ଠାନରୁ ଅନ୍ୟ ଜାତୀୟ ଶିକ୍ଷାନୁଷ୍ଠାନ ଭିତରେ ପାର୍ଥକ୍ୟ ରଖେନି। ଯେତେବେଳେ ଆମେ ‘ଗୋଟିଏ ରାଷ୍ଟ୍ର ଗୋଟିଏ ନୀତି’ର ମନ୍ତ୍ର ଉଚ୍ଚାରଣ କରୁଛେ ସେତେବେଳେ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥାକୁ େନଇ କାହିଁକି ଭିନ୍ନଭିନ୍ନ ନିୟମ ପ୍ରଚଳନ ହେବ ସେଥିପାଇଁ ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର