ଭୁବନେଶ୍ବର : ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ୪ଟି ବିଧାନସଭାର ୧୭୭ଟି ବୁଥରେ ବୁଥ୍ କ୍ୟାପଚରିଂ ଓ ବୁଥ୍ ରିଗିଂ ଆଶଙ୍କା କରିଛି ବିଜେଡି। ଏସବୁ ବୁଥରେ ମୁକ୍ତ ଓ ଅବାଧ ମତଦାନ ପାଇଁ ଭିଡିଓ ରେକର୍ଡ଼ିଂ କରିବା ସହ ସିସିଟିଭି ଲଗାଇବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି। ଏହା ସହିତ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରିବାକୁ ମଧ୍ୟ ଦଳ ଦାବି କରିଛି।
ଅଭିଯୋଗ ପତ୍ର ଅନୁଯାୟୀ, ଆସନ୍ତା ୨୯ ତାରିଖରେ ଯାଜପୁର ଜିଲ୍ଲା ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀର ୫୨ଟି ସମ୍ବେଦନଶୀଳ ବୁଥ୍, ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ୨୯ଟି, ଯାଜପୁରର ୧୬ଟି ବୁଥ ସମେତ ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୮୦ଟି ବୁଥରେ ବୁଥ୍ କ୍ୟାପଚରିଂ ଓ ବୁଥ୍ ରିଗିଂ ହେବାର ସମ୍ଭାବନା ରହିଥିବା ନେଇ ବିଜେଡି ଆଶଙ୍କା ପ୍ରକାଶ କରିଛି। ଏହାକୁ ଦୃଷ୍ଟିରେ ରଖି ଏହିସବୁ ୧୭୭ଟି ବୁଥରେ ମତଦାନବେଳେ ଭିଡିଓ ରେକର୍ଡ଼ିଂ କରିବା ସହ ସର୍ଭେଲାନ୍ସ ପାଇଁ ସିସିଟିଭି ଓ ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ଏହିସବୁ ବୁଥରେ କଡ଼ା ସୁରକ୍ଷା ଯୋଗାଇବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ସିଇଓଙ୍କୁ ଜଣାଇଥିବା ମଧ୍ୟ ବିଜେଡି ଜଣାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପ୍ରଦାନ କରିବାକୁ ଯାଇଥିବା ବିଜେଡି ପ୍ରତିନିଧି ଦଳରେ ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର, ମୁଖପାତ୍ର ଲେନିନ୍ ମହାନ୍ତି ଓ ମୁଖପାତ୍ର ସୁଲତା ଦେଓ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/bjd-ceo-f-1.jpg)