ବାରିପଦା: ମୟୂରଭଞ୍ଜ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ସପ୍ତାହେ ପୂର୍ବରୁ ସାଂସଦ ପଦରୁ ମମତା ମହାନ୍ତଙ୍କ ଇସ୍ତଫା ଓ ଏହାର ଦିନକ ପରେ ବିଜେପି‌ ଯୋଗଦାନ ଦଳରେ କମ୍ପନ ସୃଷ୍ଟି କରିଥିବ‌ା ବେଳେ ଆଜି ଦଳର ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକରେ ଖୋଦ୍‌ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି। ବାରିପଦା ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉପସ୍ଥିତ ସମସ୍ତ ନେତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି ଓ ଆଗାମୀ ଦିନରେ ରହିବେ ବୋଲି ଦୃଢ଼ ସ୍ବରରେ କହିଥିଲେ। ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ତାଙ୍କ ପତ୍ନୀ ତଥା ମୋରଡ଼ାର ବିଧାୟକ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋ, ଉଦଳା ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନ, ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର ଓ ଏଥର ବଡ଼ସାହିରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପତ୍ନୀ ଅନସୂୟା ପାତ୍ର, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ସାରସକଣାର ବିଧାୟକ ପ୍ରାର୍ଥୀ ଡା.ଦେବାଶିଷ ମାରାଣ୍ଡି, କରଞ୍ଜିଆ ବିଧାୟିକା ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମଙ୍କ ପ୍ରତିନିଧି ଗିରିଧାରୀ ପୃଷ୍ଟି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୟୂରଭଞ୍ଜ ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ କୃଷି ନିଗମ ରାଜ୍ୟ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ପୂର୍ବରୁ ସୁଦାମଙ୍କ ଦ୍ବାରା ଆହୂତ ଜିଲ୍ଲାସ୍ତରୀୟ ବୈଠକରେ ବହୁ ଦଳୀୟ ନେତା ଯୋଗ ଦେଇନଥିଲେ। ଏହାର କିଛିଦିନ ପରେ ଜିଲ୍ଲାର ପ୍ରାୟ ସବୁ ଆଗଧାଡ଼ିର ନେତା ଶଙ୍ଖଭବନ ଓ ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇଥିବା ବେଳେ ସେଠାରେ ସୁଦାମଙ୍କ ଦେଖା ମିଳିନଥିଲା। ଆଉ ଏବେ ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକରେ ଖୋଦ୍‌ ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତି ରହିବା ବିଜେଡିର ଅନ୍ତଃକନ୍ଦଳକୁ ପଦାରେ ପକାଇଛି। ଦଳର ବହୁ ନେତା ସୁଦାମଙ୍କ ନେତୃତ୍ବକୁ ପସନ୍ଦ କରୁନଥିବା ଚର୍ଚ୍ଚା ହେଉଥିବା ବେ‌ଳେ ଆଗକୁ ସାଂଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ତେବେ ଏ ନେଇ ସୁଦାମ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଅନ୍ୟପକ୍ଷରେ, ସୁଦାମଙ୍କ ଅନୁପସ୍ଥିତି ବାବଦରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତିଙ୍କୁ ପଚାରିବ‌ାରୁ ତାଙ୍କୁ ବୈଠକକୁ ଡକାଯାଇଥିଲା, ହେଲେ ସେ କୌଣସି କାମରେ ଭୁବନେଶ୍ବରକୁ ଯାଉଥିବା କହିଥିଲେ। ସୂଚନାଯୋଗ୍ୟ; ସୁଦାମଙ୍କ ବ୍ୟତୀତ ତାଙ୍କ ପତ୍ନୀ ତଥା ଗତ ନିର୍ବାଚନରେ ବାଙ୍ଗିରିପୋଷିରୁ ପ୍ରାର୍ଥୀ ହୋଇଥିବା ରଂଜିତା ଓ ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ ମଧ୍ୟ ଆଜିର ବୈଠକରେ ଯୋଗ ଦେଇନାହାନ୍ତି।