ଭୁବନେଶ୍ୱର: ଶାସନ କ୍ଷମତାରୁ ହଟିବା ପରେ ଆଜି ପୁଣିଥରେ ବିଧାନସଭା ଘେରିଛି ବିଜେଡି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଥିବା ଅଭିଯୋଗ ଆଣି ଦଳର ବରିଷ୍ଠ ନେତାଙ୍କ ସମେତ ହଜାର ହଜାର ନିର୍ବାଚିତ ପ୍ରତିନିଧି ଓ କର୍ମୀ ଲୋୟର ପିଏମ୍ଜିରେ ଏକାଠି ହୋଇ ଗର୍ଜନ କରିଛନ୍ତି। ଲୋୟର ପିଏମ୍ଜିରେ ଦୁଇଟି ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେବା ସମୟରେ ଶେଷ ବ୍ୟାରିକେଡ୍ ନିକଟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ପାଣି ମାଡ଼ କରିବା ସହ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଥିଲା। ଧସ୍ତାଧସ୍ତି ସମୟରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମେତ ୧୦ଜଣ ନେତା ଓ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ବିଜେଡି ବିଧାୟକ, ନେତା ଓ କର୍ମୀଙ୍କୁ ପୁଲିସ ଉଠାଇ ନେଇ ପରବର୍ତ୍ତୀ ସମୟରେ ଛାଡ଼ିଥିବା ଜଣାପଡ଼ିଛି।
ପୂର୍ବାହ୍ଣରେ ବିଜେଡିର ବରିଷ୍ଠ ନେତାମାନଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲା। ଲୋୟର ପିଏମ୍ଜିରେ ଆୟୋଜିତ ପ୍ରତିବାଦ ସଭାରେ ଦଳର ବରିଷ୍ଠ ନେତାମାନେ ଯୋଗଦେଇ କହିଲେ, ଗତ ୧୫ ମାସରେ ବିଜେପି ସରକାର ସବୁଥିରେ ବିଫଳ ହୋଇଛି। ଗଣତନ୍ତ୍ରରେ ତୃଣମୂଳସ୍ତରର ଲୋକଙ୍କୁ କ୍ଷମତା ପ୍ରଦାନ କରିବାକୁ ସମ୍ୱିଧାନରେ ବ୍ୟବସ୍ଥା ରହିଛି। କିନ୍ତୁ ବିଜେପି ସରକାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାରୀ ଅଧିକାରୀଙ୍କ କ୍ଷମତା ବୃଦ୍ଧି କରିଛନ୍ତି। ପୂର୍ବରୁ ବ୍ଲକରେ ହେଉଥିବା ଉନ୍ନୟନ କାର୍ଯ୍ୟର ବିଲ୍ ପରିମାଣ ଦୁଇ ଲକ୍ଷ ପର୍ଯ୍ୟନ୍ତ ବିଡିଓଙ୍କ ଦ୍ବାରା ପାସ୍ କରିବାର କ୍ଷମତା ଥିଲା। ୨ ଲକ୍ଷରୁ ଅଧିକ ହେଲେ ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ହେଉଥିଲା।
ସରକାରଙ୍କ ବିରୋଧରେ ଗର୍ଜିଲେ ବରିଷ୍ଠ ନେତା
ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ
ମାତ୍ର ରାଜ୍ୟ ସରକାର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ କରିବା ଲକ୍ଷ୍ୟରେ ବିଡିଓଙ୍କ ବିଲ୍ ପାସ୍ କରିବାର କ୍ଷମତା ୨ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ବ୍ଲକରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ପାସ୍ କରିବାକୁ ଆଉ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ପଡ଼ିବ ନାହିଁ। ଏହା ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ରାଜ୍ୟ ସରକାରଙ୍କ ଏକ ବଡ଼ ଷଡ଼୍ଯନ୍ତ୍ର। ସେହିପରି ସରପଞ୍ଚ, ସମିତି ସଭ୍ୟ ସଦସ୍ୟଙ୍କ କ୍ଷମତାକୁ ମଧ୍ୟ ସଙ୍କୁଚିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପୂର୍ବ ସରକାରଙ୍କ ଲୋକପ୍ରିୟ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିଲା। ମାତ୍ର ଏବେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ଏହି ପରିମାଣକୁ ମାତ୍ର ୭/୮ ଲକ୍ଷକୁ ହ୍ରାସ କରାଯାଇଛି। ଜନପ୍ରତିନିଧିଙ୍କ କ୍ଷମତାକୁ ହ୍ରାସ କରାଯାଇ ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି। ରାଜ୍ୟ ସରକାରଙ୍କ ଏସବୁ ପଦକ୍ଷେପ ତୃଣମୂଳ ସ୍ତରରେ ଥିବା ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ କରି ନିଜ ଦଳୀୟ କର୍ମୀ ଓ ନେତାଙ୍କ ପକେଟ୍ ଗରମ କରିବାକୁ ଏକ ସୁଚିନ୍ତିତ ଉଦ୍ୟମ ବୋଲି ବିଜେଡି ନେତାମାନେ ଅଭିଯୋଗ କରିଥିଲେ।
ଆନ୍ଦୋଳନରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ପ୍ରଦୀପ ଅମାତ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ସୁଲୋଚନା ଦାସ, ପ୍ରଣବ ବଳବନ୍ତରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଗୌତମବୁଦ୍ଧ ଦାସ, ସ୍ନେହାଙ୍ଗିନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ସାମିଲ ହୋଇଥିଲେ।