ଭୁବନେଶ୍ବର: ରାଜ୍ୟର ୧୦୫ଟି ପୌରପାଳିକାର ଉପାଧ୍ୟକ୍ଷ ପଦବିରେ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଧ୍ୟ ବିରୋଧୀ ଦଳଙ୍କୁ ବହୁ ପଛରେ ପକାଇ ଦେଇଛି ଶାସକ ବିଜେଡି। ୯୧ଟି ପୌରପାଳିକାରେ ଉପାଧ୍ୟକ୍ଷ ପଦବିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏରେ ବିଜେଡି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ୭ଟି ପୌରପାଳିକାରେ ବିଜେପିର ଓ ୩ଟିରେ କଂଗ୍ରେସର ଉପାଧ୍ୟକ୍ଷ ପ୍ରାର୍ଥୀ ଜିତିଛନ୍ତି। ଆଉ ତିନିଟି ପୌରପାଳିକାରେ ସ୍ବାଧୀନ ପ୍ରାର୍ଥୀ ଉପାଧ୍ୟକ୍ଷ ପଦବି ହାତେଇଛନ୍ତି। କେବଳ ଧାମନଗର ପୌରପାଳିକାର ଉପାଧ୍ୟକ୍ଷ ପଦବିରେ ନିର୍ବାଚନ ହୋଇ ନାହିଁ।
ତିନି ମହାନଗର ନିଗମର ଡେପୁଟି ମେୟର ପଦବି ପାଇଁ ମଧ୍ୟ ଆଜିଠାରୁ ନିର୍ବାଚନ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ କଟକ ମହାନଗର ନିଗମର
ଡେପୁଟି ମେୟର ଭାବେ ବିଜେଡି ପ୍ରାର୍ଥୀ ଦମୟନ୍ତୀ ମାଝୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଦିନ ବ୍ରହ୍ମପୁର ଓ ଶନିବାର ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ହେବ।
ସୂଚନାଯୋଗ୍ୟ ଯେ ଏଥର ପୌରାଧ୍ୟକ୍ଷ/ମେୟର ପଦବିରେ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। ବିଜେଡି ୭୪ଟି ପୌରାଧ୍ୟକ୍ଷ ପଦବିକୁ ଅକ୍ତିଆର କରି ଶୀର୍ଷରେ ଥିଲା ବେଳେ ବିଜେପି ୧୬, କଂଗ୍ରେସ ୭ଟି ପଦବି ପାଇଥିଲେ। ସ୍ବାଧୀନ ପ୍ରାର୍ଥୀମାନେ ୯ଟି ପୌରପାଳିକାର ଅଧ୍ୟକ୍ଷ ପଦବି ହାତେଇଥିଲେ। ତିନିଟି ଯାକ ମହାନଗର ନିଗମରେ ମେୟର ପଦବି ବିଜେଡି ହାତକୁ ଯାଇଥିଲା। ଉପାଧ୍ୟକ୍ଷ/ଡେପୁଟି ମେୟର ପଦବିରେ କାଉନ୍ସିଲର୍/କର୍ପୋରେଟର୍ମାନଙ୍କ ମଧ୍ୟରୁ ଜଣେ ନିର୍ବାଚିତ ହେବାର ବ୍ୟବସ୍ଥା ରହିଛି।
ସରିଲା ପୌର ଉପାଧ୍ୟକ୍ଷ ନିର୍ବାଚନ: ବିଜେଡି ହାତରେ ୯୧ ପଦବି
/sambad/media/post_attachments/wp-content/uploads/2022/03/bjd-llll.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)