ଭୁବନେଶ୍ୱର : ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ଆଜି ବିଜେଡି ନିଲମ୍ବିତ କରିଛି। ନିନ୍ଦନୀୟ ଆଚରଣ ସଂପର୍କରେ ମିଳିଥିବା ତଥ୍ୟକୁ ଆଧାର କରି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବିଦା କରିଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ଏଥିସହିତ କୋଲକାତାରେ ଶ୍ରୀ ନନ୍ଦଙ୍କ ନିଖୋଜ ଘଟଣା ପଛର ଅସଲ ରହସ୍ୟ ପଦାକୁ ଆସିବା ପରେ ସମଗ୍ର ଓଡ଼ିଶାରେ ଚହଳ ସୃଷ୍ଟି ହୋଇଛି। ଶ୍ରୀ ନନ୍ଦଙ୍କୁ ସେକ୍ସ ର୍ୟାକେଟ୍ କାରବାର ମାମଲାରେ କୋଲକାତା ପୁଲିସ ଗିରଫ କରିଥିଲା ଓ ସେ ଜାମିନରେ ଆସିଛନ୍ତି। ଜଣେ ରାଜନେତା ଏତେ ତଳସ୍ତରକୁ ଯାଇପାରନ୍ତି, ତାହାକୁ ବିଭିନ୍ନ ମହଲ ନିନ୍ଦା କରିଛନ୍ତି।
ଅନ୍ୟପଟେ ଏହି ପ୍ରସଙ୍ଗକୁ ଆୟୁଧ କରି ନବୀନ ନନ୍ଦଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସାଂସଦ ବୈଜୟନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ଘେରିବାକୁ ଯାଇ ନିଜେ ଫସିଛନ୍ତି। ଗତକାଲି ଅପହରଣ ଗୁଜବ ସାମ୍ନାକୁ ଆସିବା ମାତ୍ରେ ବୈଜୟନ୍ତ ତୁରନ୍ତ ଟ୍ଵିଟ୍ କରିଥିଲେ। ଏଥିରେ ସେ ଜଣାଇଥିଲେ ଯେ ନବୀନଙ୍କ ଅପହରଣ ଘଟଣା ତାଙ୍କୁ ବ୍ୟଥିତ କରିଛି। ଗତକାଲି ଅର୍ଥାତ୍ ଶନିବାର ସେ ତାଙ୍କ ସହିତ କଥା ହୋଇଥିଲେ ଓ ଖୁବ୍ଶୀଘ୍ର ଭେଟିବେ ବୋଲି ଜଣାଇଥିଲେ। ଯଦିଓ ତାଙ୍କ ପରିବାର ଏହି ଘଟଣାରେ ସେକ୍ସପିୟର ସାରଣୀ ଥାନାରେ ଏତଲା ଦେଇଛନ୍ତି, ପ୍ରଥମ ୨୪ରୁ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ତଦନ୍ତ ତ୍ୱରାନ୍ଵିତ ଉପରେ ଗୁରୁତ୍ୱ ଦେଇଥିଲେ ବୈଜୟନ୍ତ।
ବୈଜୟନ୍ତଙ୍କ ଏହି ଟ୍ଵିଟ୍ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ତାଙ୍କ ଟ୍ଵିଟ୍କୁ ନେଇ ବିଭିନ୍ନ ମହଲ ତର୍ଜମା ଆରମ୍ଭ କରିଥିଲେ। ତାଙ୍କ ସହ ସଂପର୍କ ଥିବା ଦୃଷ୍ଟିରୁ ନବୀନ ନନ୍ଦଙ୍କୁ ଅପହରଣ ପାଇଁ ଷଡ଼ଯନ୍ତ୍ର କରାଯାଇ ଥାଇପାରେ ବୋଲି ସଙ୍କେତ ଦେବାକୁ ବୈଜୟନ୍ତ ଚାହିଁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ମାମଲା ଉପରୁ ପରଦା ହଟିବା ପରେ ବୈଜୟନ୍ତଙ୍କ ଯୋଜନାକୁ ଝଟ୍କା ଲାଗିଥିବା କୁହାଯାଉଛି। ସେ ଅକଳରେ ପଡିଯାଇଛନ୍ତି। ଆଜି ବୈଜୟନ୍ତ ପୁଣି ଥରେ ଟ୍ଵିଟ୍ କରି ଏ ସଂପର୍କରେ ନିଜ ସଫେଇ ରଖିବାକୁ ବାଧ୍ୟ ହୋଇଛନ୍ତି। କହିଛନ୍ତି ଯେ ନବୀନଙ୍କ ପରିବାରର ଅନୁରୋଧ ଆଧାରରେ ସେ ତାଙ୍କୁ ଠାବ କରିବା ପାଇଁ ନିବେଦନ କରିଥିଲେ। କିନ୍ତୁ ବର୍ତମାନ ଯେଉଁ ଖବର ଆସୁଛି, ତାହା ଯଦି ସତ୍ୟ ହୋଇଥାଏ, ତେବେ ନିନ୍ଦନୀୟ।
ହେଲେ ଏହି ଟ୍ଵିଟ୍ ସୂଚାଇ ଦେଇଛି ଯେ ବିଜେଡିରେ ଥାଇ ବି ନବୀନ ନିୟମିତ ଭାବେ ବୈଜୟନ୍ତଙ୍କ ସହିତ ଯୋଗାଯୋଗରେ ଥିଲେ। ଅବଶ୍ୟ ଉଭୟ ଏକସଙ୍ଗରେ ପୂର୍ବରୁ ହେଲିକପ୍ଟରରେ ବୁଲିବା ଓ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ନନ୍ଦ ତାଙ୍କ ସପକ୍ଷରେ ଯାଇ ବିଜେଡି ବିରୋଧରେ ବିଷୋଦ୍ଗାର କରିଥିଲେ। କେବଳ ସେତିକି ନୁହେଁ, ଢେଙ୍କାନାଳରେ ଏକ ସଭା କରାଇ ମଧ୍ୟ ବୈଜୟନ୍ତଙ୍କୁ ନେଇଥିଲେ ନନ୍ଦ। ହେଲେ ଏସବୁ ଘଟଣାକୁ ହଜମ କରିଥିବା ବିଜେଡି ଏବେ କୋଲକାତା କାରନାମା ସାମ୍ନାକୁ ଆସିବା ପରେ ଆଉ ବରଦାସ୍ତ କରିବା ଲାଗି ଚାହିଁନାହିଁ। ନିନ୍ଦନୀୟ ଆଚରଣ କାରଣରୁ ତାଙ୍କୁ ଆଜି ବିଜେଡି ମୁଖ୍ୟ ଦଳରୁ ବିଦା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପୁଲିସ ରିପୋର୍ଟ ଅନୁସାରେ, କୋଲକାତା ପାର୍କ ଷ୍ଟ୍ରିଟ୍ ସ୍ଥିତ ଅଲ୍ ଏବାଉଟ୍ ଫାମିଲି ସ୍ପା’ରେ ଦେହ ବେପାର ଚାଲିଥିବା ନେଇ ଅଭିଯୋଗ ଥିଲା। ଗତ ୩୦ ତାରିଖ ଦିନ ପୁଲିସ ଅଚାନକ ଏହି ସ୍ପା ଉପରେ ଚଢଉ କରିଥିଲା। ବେନିଆପୁକୁର ପୁଲିସ ସେଠାରୁ ୯ଜଣ ଯୁବତୀ, ୩ ଜଣ ଗରାଖଙ୍କ ସମେତ ମୋଟ ୧୮ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ନନ୍ଦ (୫୮) ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ବରଗଡ଼ ଜିଲ୍ଲା ସରକାରୀ ହସ୍ପିଟାଲ ରୋଡ୍ ଅଞ୍ଚଳର କ୍ରିଷ୍ଣା ଅଗ୍ରଓ୍ଵାଲ (୨୩)ଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ପୁଲିସ ଏହି ଘଟଣାରେ ୩୦ ତାରିଖ ଦିନ ତୁରନ୍ତ ( କେସ ନମ୍ବର ୨୨୧)ରେ ଏକ ମାମଲା ରୁଜୁ କରିଛି। ଭାରତୀୟ ପିଙ୍ଗଳ କୋଡ୍ର ଦଫା ୧୨୦, ଧାରା ୩, ୪, ୫, ୭, ୧୮ ଆଇ.ଟି (ପି) ଧାରାରେ ଏ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନନ୍ଦ ଜାମିନରେ ଆସିଛନ୍ତି।
ଗତକାଲି ହଠାତ୍ ନବୀନ ନନ୍ଦଙ୍କ ନିଖୋଜ ଖବର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏପରିକି ତାଙ୍କ ପୁଅ ସମ୍ବିତ କୋଲକାତା ଯାଇ ବାପାଙ୍କୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ। ସମ୍ବିତ ଗତକାଲି କହିଥିଲେ, ବ୍ୟକ୍ତିଗତ କାମରେ ନବୀନ ନନ୍ଦ ୨୯ ତାରିଖରେ କୋଲକାତା ଯାଇଥିଲେ। ଗତକାଲି ସେ ଫେରିବାର ଥିଲା। କିନ୍ତୁ ସେ ଫେରିନଥିଲେ। ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। କୋଲକାତା ଯାଇ ସମ୍ବିତ ଦେଖିଥିଲେ ଯେ ନବୀନ ନନ୍ଦ ରହୁଥିବା ହୋଟେଲ ରୁମରେ ତାଙ୍କର ଲ୍ୟାପ୍ଟପ ଓ ଅନ୍ୟ ଜିନିଷପତ୍ର ଥିଲା। ହେଲେ ସଂପୃକ୍ତ ହୋଟେଲର ମ୍ୟାନେଜର କୌଣସ ସଠିକ ତଥ୍ୟ ଦେଇନପାରିନଥିଲେ। ପରେ ଅସଲ ଘଟଣାଟି ପଦାକୁ ଆସିଥିଲା। ମାତ୍ର ସମ୍ବିତ୍ କହିଥିଲେ, କୋଲକାତାରେ ତାଙ୍କ ବାପାଙ୍କର କିଛି ଜିନିଷ ଚୋରି ହୋଇଯାଇଥିବାରୁ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା।
ହେଲେ ମୂଳ ଘଟଣା ଉପରୁ ଦୃଷ୍ଟି ହଟାଇ ନନ୍ଦ ଆଉ ଏକ ତଥ୍ୟର ଅବତାରଣା କରିଛନ୍ତି। ଯଦିଓ ଗିରଫଦାରିକୁ ସେ ସ୍ୱୀକାର କରିଛନ୍ତି, ତଥାପି ସେକ୍ସ ର୍ୟାକେଟ୍ କାରବାରରେ ତାଙ୍କ ସଂପୃକ୍ତିକୁ ମାନିନାହାନ୍ତି। ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ଲୁଟିଥିବା ଲୁଟେରାକୁ ପିଛା କରି ସେ ଏହି ସ୍ପାରେ ପହଞ୍ଚିଥିଲେ। ପୁଲିସ ଚଢଉ କଲା ଓ ତାଙ୍କୁ ଗିରଫ କଲା। ସତ ଘଟଣା ଖୁବ୍ଶୀଘ୍ର ପଦାକୁ ଆସିବ। ନନ୍ଦ ନିଲମ୍ବନ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ଦଳ ସୁଯୋଗ ଖୋଜୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Nabin-Nanda.jpg)