ଭୁବନେଶ୍ୱର: ଉପକୂଳ ଓ ଦକ୍ଷିଣ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶା ପାଇଁ ସ୍ବତନ୍ତ୍ର ରଣନୀତି କରିଛି ବିଜେଡି। ପଶ୍ଚିମ ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀରେ ଯେମିତି ଶଙ୍ଖ ପତାକା ଉଡ଼ିବ, ସେଥିପାଇଁ ନିର୍ବାଚନମଣ୍ଡଳୀ ୱାରି ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ଆଜି ନବୀନ ନିବାସରେ ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି। ଏହା ଅଧୀନସ୍ଥ ୨୧ଟି ବିଧାନସଭା ଆସନର ନେତା, ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ବ ବଣ୍ଟାଯାଇଛି। ନିଜେ ସଭାପତି ନବୀନ ପଟ୍ଟନାୟକ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପାଇଥିବା ସଫଳତା ଯେପରି ପୁନରାବୃତ୍ତି ହେବ, ତାହା ନିଶ୍ଚିତ କରିବାକୁ ସେ କହିଛନ୍ତି। ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରତି ନିର୍ବାଚନମଣ୍ଡଳୀର ସମୀକ୍ଷା କରାଯାଇଥିଲା। ପ୍ରଥମେ ବରଗଡ଼, ପରବର୍ତ୍ତୀ ପର୍ଯ୍ୟାୟରେ କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା କ୍ଷେତ୍ରର ସମୀକ୍ଷା ହୋଇଥିଲା। ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡ଼ିକରେ ସାଂଗଠନିକ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜଣ ଜଣ କରି ପର୍ଯ୍ୟବେକ୍ଷକ, ବିଧାୟକ ଓ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତି ଥର ଆମ ଉପରେ ଜନତାଙ୍କ ଆଶା ଓ ଭରସା ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କ ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଶାର ରୂପାନ୍ତର କାର୍ଯ୍ୟ ପ୍ରତ୍ୟେକ ଲୋକଙ୍କୁ ଖୁସି ଆଣି ଦେଇଛି ଓ ‘୫-ଟି’ ଉପକ୍ରମ ପ୍ରତ୍ୟେକ ରାଜ୍ୟବାସୀଙ୍କ ଜୀବନକୁ ପ୍ରଭାବିତ କରିଛି।
ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ପାଇଁ ରଣନୀତି
ତାଳମେଳ ରଖି କାମ କର: ପାଣ୍ଡିଆନ
ବୁଥ୍ସ୍ତରରୁ ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଲେ ନବୀନ
ଲୋକଙ୍କ ମତ ଆଧାରରେ ସରକାର ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ନିବିଡ଼ କରିବାକୁ ହେବ। ତେଣୁ କାଳବିଳମ୍ବ ନ କରି ନିଜ ନିଜ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ପ୍ରସ୍ତୁତି, ରଣନୀତି ନିର୍ଦ୍ଧାରଣ ଓ କ୍ଷେତ୍ରରେ କାର୍ଯ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ନବୀନ ନିବାସ ଓ ଶଙ୍ଖ ଭବନରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଲୋକସଭା ଓ ବିଧାନସଭା କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରୁଥିବା ପର୍ଯ୍ୟବେକ୍ଷକମାନେ ପ୍ରତି ସନ୍ଧ୍ୟାରେ ଏହି ନିୟନ୍ତ୍ରଣ କକ୍ଷକୁ ସିଧାସଳଖ ରିପୋର୍ଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ନବ ରୂପାନ୍ତର ନିମନ୍ତେ ପଣ କରିଛନ୍ତି। ଓଡ଼ିଶାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବା ସହ ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ନିଜ ପରିବାର ସଦସ୍ୟ ମନେ କରି କାର୍ଯ୍ୟ କରିଛନ୍ତି। ତାଙ୍କ ସ୍ୱପ୍ନର ଓଡ଼ିଶା ଗଠନ ନିମନ୍ତେ ଆମେମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଓ ଆଗାମୀ ନିର୍ବାଚନରେ ଦଳର ବିଜୟ ପତାକା ଉଡ଼ାଇବା ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା। ବୈଠକରେ ସାଂସଦ ସୁଜିତ କୁମାର, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ଭୂପିନ୍ଦର ସିଂହ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟଙ୍କ ସହ ସବୁ ନେତା ଓ ବିଧାୟକ ଉପସ୍ଥିତ ଥିଲେ।