ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ବୈଠକ ୧ରେ

ସଭ୍ୟ ସଂଗ୍ରହ ଅଭିଯାନ ନେଇ ହେବ ଆଲୋଚନା

ଭୁବନେଶ୍ବର : ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ବୈଠକ ଆସନ୍ତା ୧ ତାରିଖରେ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବ। ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ। ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ, ସଦସ୍ୟ‌ା, ନବନିର୍ବାଚିତ ଦଳୀୟ ବିଧାୟକ, ବିଧାୟିକା, ସାଂସଦ, ରାଜ୍ୟ କାର୍ଯ୍ୟକର୍ତ୍ତା, ଦଳର ଛାମୁଆ ସଂଗଠନର ମୁଖ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କୁ ଆମନ୍ତ୍ରଣ କରାଯାଇଛି। ବୈଠକରେ ମୁଖ୍ୟତଃ ସାଂଗଠନିକ କାର୍ଯ୍ୟକ୍ରମ ତଥା ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଆଲୋଚନ କରାଯିବ। ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ନିଜେ ସଭାପତି ଶ୍ରୀ ପଟ୍ଟନାୟକ କର୍ମକର୍ତ୍ତମାନଙ୍କୁ ଆହ୍ବାନ ଦେବେ।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ତଥା ବରି‌ଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସେପ୍ଟମ୍ବର ୨ରୁ ଅକ୍ଟୋବର ୩୧ ତାରିଖ ଯାଏ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ। ଏଥି ପାଇଁ ଗଠିତ କମିଟିର ଦୁଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ସଭାପତିଙ୍କୁ ଜଣାଇ ଦିଆଯାଇଛି। ସଭ୍ୟ ସଂଗ୍ରହ ଅଭିଯାନର ଚୂଡ଼ାନ୍ତ ରୂପରେଖ କାର୍ଯ୍ୟକାରିଣୀରେ ସ୍ଥିର କରାଯିବ। ୱାର୍ଡ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଯେପରି ଏହା ସଫଳ ହେବ, ତାହା ଉପରେ ଗୁରୁତ୍ବାରୋପ କରାଯାଉଛି। ଦୁଇ ତାରିଖ ଦିନ ଦଳର ରାଜ୍ୟ କାର୍ଯ୍ୟାଳୟରେ ସଭାପତି ଶ୍ରୀ ପଟ୍ଟନାୟକ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ। ଗତ ଥର ବିଜେଡି ସଦସ୍ୟ ସଂଖ୍ୟା ୪୬ରୁ ୪୭ ଲକ୍ଷ ରହିଥିଲା। ଏଥର ଏହା ୫୦ ପ୍ରତିଶତ ବଢ଼ିପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର