ଭୁବନେଶ୍ବର: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ହତାଶ କରିଛି। ଆଜି କଂଗ୍ରେସ ଭବନରେ କର୍ମୀମାନେ ଉତ୍ସବ ପାଳନ କରୁଥିଲା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଥିଲା। କିନ୍ତୁ ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ପଡ଼ିବା ନେଇ ଦଳୀୟ ନେତାମାନେ ସ୍ବୀକାର କରି ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି ବୋଲି ନେତାମାନେ ଯୁକ୍ତି ବାଢ଼ଇଛନ୍ତି। ବିଜେପିର ପରାଜୟ ପାଇଁ ଚାଷ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଇସାରା ଦେଇଥିଲା ବେଳେ ଏହାକୁ ନେଇ ବିଜେପି କଡ଼ା ଜବାବ ରଖିଛି। କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ବିଜେପିକୁ ଗାଳି ଦେବା ପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି, ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡ଼ିବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ବଢ଼ି ଚାଲିଛି। ଓଡ଼ିଶାର ଚାଷୀ ସାରା ଦେଶରେ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି। ଜଳସେଚନର ସୁବିଧା ନାହିଁ, କୃଷି ଋଣ ପ୍ରକୃତ ଚାଷୀଙ୍କୁ ମିଳୁନି, ଧାନର ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉ ନାହିଁ, ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ। କୃଷି ବିକାଶ ନ ହେବା କାରଣରୁ ଓଡ଼ିଶାର ଚାଷୀ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଶାର ୭୦ ଭାଗ ଲୋକ କୃଷି ଅର୍ଥନୀତି ସହ ଜଡ଼ିତ। କିନ୍ତୁ ଓଡ଼ିଶାର ଚାଷୀ ସାରା ଦେଶରେ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଚାଷୀମାନେ ବିଜେଡି ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବେ। ନିର୍ବାଚନରେ କଂଗ୍ରେସର ସଫଳତାରେ ବିଜେଡି ଉତ୍ସବ ପାଳନ କରିବା ବିଜେପି ପ୍ରତି ବିଜେଡିର ଡରକୁ ପ୍ରମାଣିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି ଏବଂ ଏହାର ପ୍ରଭାବ ଦେଶ ଓ ରାଜ୍ୟରେ ଆଗାମୀ ନିର୍ବାଚନରେ ପ୍ରମାଣିତ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ।
ବିଜେପିର ଜବାବ, ଓଡ଼ିଶା ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡ଼ିବ
/sambad/media/post_attachments/wp-content/uploads/2018/12/images-1-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)