ବରୀରେ ବିଜେଡି ଗୋଷ୍ଠୀ ବିବାଦ ତେଜିଲା: ବିଶ୍ୱଙ୍କ ସମ୍ବର୍ଦ୍ଧନା ଉତ୍ସବରେ ସୁନନ୍ଦା ଗୋଷ୍ଠୀକୁ ବାସନ୍ଦ

ସମ୍ବର୍ଦ୍ଧନା ଉତ୍ସବରେ ବବି ଓ ଜିତୁଙ୍କ ଫଟୋ, ସୁନନ୍ଦାଙ୍କ ନାହିଁ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବରୀରେ ବଳ କଷାକଷି

ଯାଜପୁର/ବରୀ : ଯାଜପୁର ଜିଲ୍ଲାରେ ପୁରୁଣା -ନୂଆ ବିବାଦକୁ ନେଇ ବିଜେପି ଧରାଶାୟୀ ହେବାରେ ଲାଗିଥିବା ବେଳେ ବରୀ ବିଜେଡିରେ ଏହି ପ୍ରସଙ୍ଗ ଜୋର ଧରିଲାଣି। ବିଜେପିରୁ ଆସି ବିଧାୟିକା ହୋଇଥିବା ସୁନନ୍ଦା ଦାସ ବରୀରେ ବିଜେଡିର ନେତୃତ୍ବ ନେଉଥିବା ବେଳେ ନିକଟରେ ବିଜେପି ତ୍ୟାଗ କରି ବିଜେଡିରେ ସାମିଲ ହୋଇଥିବା ଯୁବନେତା ବିଶ୍ବ ରଞ୍ଜନ ମଲ୍ଲିକ ନେତୃତ୍ବ ନେବା ପାଇଁ ସଜବାଜ ହେଲେଣି। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଏବେ ତୀବ୍ର ହେବାକୁ ଆରମ୍ଭ କରିଛି। ଆଜି ବରୀରେ ବିଶ୍ବଙ୍କୁ ସମ୍ବର୍ଦ୍ଧନା ପାଇଁ ହୋଇଥିବା ଉତ୍ସବକୁ ବିଧାୟିକା ସୁନନ୍ଦା ଓ ତାଙ୍କ ସମର୍ଥକମାନଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଏପରିକି ସମ୍ବର୍ଦ୍ଧନା ଉତ୍ସବ ମଞ୍ଚରେ ଲାଗିଥିବା ବ୍ୟାନରେ ପଡ଼ୋଶୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫ‌ଟୋ ଥିବା ସତ୍ତ୍ବେ ବରୀ ବିଧାୟିକା ସୁନନ୍ଦାଙ୍କର ଫଟୋ ଲଗାଯାଇ ନାହିଁ।

କିଛିଦିନ ପୂର୍ବେ ବିଶ୍ବ ଓ ତାଙ୍କ ସମର୍ଥକ ବିଜେଡିରେ ମିଶିଥିଲେ। ଭୁବନେଶ୍ବରରେ ବିଜେଡ଼ି ମିଶ୍ରଣ ପର୍ବରେ ବିଧାୟିକା ସୁନନ୍ଦା ଦାସ ଯୁବନେତା ବିଶ୍ବକୁ ସ୍ବାଗତ କରିଥିଲେ। ଯାହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। ତେବେ ଆଜିର ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଅନୁଗତ ସେକ ସଫିକ୍‌ଉଦ୍ଧିନ ଓରଫ ଟାଲିଙ୍କ ଶିବିର ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଏପରିକି ଟାଲିଙ୍କ ଅନୁଗତ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ବେହେରା, ସେକ ଅବୁଦିଲ, ଚିକିଟି ଜେନା ପ୍ରମୁଖ ମଞ୍ଚରେ ବସିଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଜେଡ଼ି ଶିବିରରେ ଚର୍ଚ୍ଚା ଜୋର ଧରିଛି।

ଶନିବାର ବରୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଧିତ ଉତ୍ସବରେ ସଭାପତିତ୍ବ କରିଥିଲେ ଶିବପ୍ରସାଦ ନାୟକ। ମୁଖ୍ୟଅତିଥି ଭାବେ ବିଶ୍ବରଂଜନ ମଲ୍ଲିକ ଯୋଗ ଦେଇ କହିଲେ ଛାତ୍ର କଂଗ୍ରେସ ନେତାରୁ ରାଜନୈତିକ ଜୀବନ ଆରମ୍ଭ କରି ସମୟ ଚକ୍ରରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ, ପରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ। ୨୦୧୭ରେ ବରୀ ପଞ୍ଚାୟତ ସମିତି ତାଙ୍କ ନେତୃତ୍ବରେ ଦଖଲ ହୋଇଥିଲା। ଏବେ ପୁଣି ଥରେ ବରୀର ବିକାଶ ପାଇଁ ଦଳ ପରିବର୍ତ୍ତନ କରି ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଥିଲେ। ତାଙ୍କ ରାଜନୈତିକ ଯାତ୍ରାରେ ସମର୍ଥନ ଦେଇଥିବା ସମର୍ଥକମାନଙ୍କୁ ସେ ପ୍ରଶଂସା କରିଥିଲେ। ପ୍ରଥମ ସମ୍ବର୍ଧନା ସଭାକୁ ଭଣ୍ଡୁର କରିବା ପାଇଁ କିଛି ଖଳ ପ୍ରକୃତିର ଲୋକ ଉଦ୍ୟମ କରିଥିବା ବେଳେ ତାକୁ କିପରି ପ୍ରତିହତ କରି ନିର୍ଦ୍ଧାରିତ ସ୍ଥାନ ଓ ତାରିଖରେ ସଭା କରାଇବା ଠାରୁ ଆରମ୍ଭ କରି ନିଜର ସମର୍ଥକ ମାନଙ୍କର କିଛି ଅସୁବିଧା ହେଲେ ସେ କିପରି ପ୍ରତିହତ କରିପାରିବେ ତାହାର ସୂଚନା ମଧ୍ୟ ଦେଇଥିଲେ। ଏଥି ସହିତ ବରୀ ପଞ୍ଚାୟତରେ ଥିବା ଯୁବକ ସଂଘ ଘରକୁ ତୁରନ୍ତ ବରୀର ଯୁବକ ମାନଙ୍କ ହାତରେ ଟେକି ଦେବାକୁ କହିଥିଲେ। ନଚେତ ଆଗକୁ କିଛି ଭଲ ହେବ ନାହିଁ ବୋଲି ଶୁଣାଇ ଦେଇଥିଲେ। ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଭାରତୀ ବେହେରା ଶ୍ରୀ ମଲ୍ଲିକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଭଞ୍ଜ, ବଳରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ସଭାରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର