ରେଳ ଓ ଶିଳ୍ପ ବିକାଶରେ ବାଧକ ରାଜ୍ୟ ସରକାର: ବିଜେପି

ଭୁବନେଶ୍ବର : ରାଜ୍ୟରେ ଶିଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାର ମେକ୍‌-ଇନ୍‌-ଓଡ଼ିଶା କନକ୍ଲେଭ୍‌ ଆୟୋଜନ କରିବାକୁ ଯାଉଛନ୍ତି। ଓଡ଼ିଶା ପ୍ରତି ପୁଞ୍ଜି ନିବେଶକାରୀଙ୍କ ଆକୃଷ୍ଟ କରିବା ପାଇଁ ସରକାର ଏହି କାର୍ଯ୍ୟକ୍ରମରେ ଶହ ଶହ କୋଟି ଟଙ୍କା ଖର୍ଚ କରିବାକୁ ଯୋଜନା କରିଛନ୍ତି। ମାତ୍ର ଶିଳ୍ପର ବିକାଶ ଭିତ୍ତିଭୂମି ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଅନେକ ରେଳ ପ୍ରକଳ୍ପର କ୍ରିୟାନ୍ବୟନରେ ବିଳମ୍ବ କରି ରାଜ୍ୟ ସରକାର ଏଥିରେ ବାଧକ ସାଜିଛନ୍ତି। ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ଏପରି ଅଭିଯୋଗ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଲେ, ବିଗତ ୫ ବର୍ଷରେ ମୋଦୀ ସରକାର ରାଜ୍ୟର ରେଳ ବିକାଶ ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି। ମାତ୍ର ରାଜ୍ୟ ସରକାର ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ଅନୁମତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନ କରିବା କାରଣରୁ ରାଜ୍ୟରେ ରେଳ ବିକାଶ ପ୍ରଭାବିତ ହୋଇଛି। ବିଳମ୍ବ କାରଣରୁ ରାଜ୍ୟରେ ଅନ୍ୟୂନ ୭ଟି ରେଳ ପ୍ରକଳ୍ପ କାମ ଆଗକୁ ବଢ଼ି ପାରୁନାହିଁ। ଏହି ୭ଟି ରେଳ ପ୍ରକଳ୍ପର ମୋଟ ଦୈର୍ଘ୍ୟ ୧୦୪୨ କିମି। ଏଥିରେ ୧୨ହଜାର ୩୨୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଖୋର୍ଧାରୋଡ୍-ବଲାଙ୍ଗୀର ୨୮୯ କିମି ପ୍ରକଳ୍ପ ପାଇଁ ୩୭୯୧ କୋଟି, ତାଳଚେର-ବିମଳାଗଡ଼ ୧୫୪ କିମି ପ୍ରକଳ୍ପ ପାଇଁ ୧୯୨୮ କୋଟି, ହରିଦାସପୁର-ପାରାଦୀପ ୮୨ କିମି ପ୍ରକଳ୍ପ ପାଇଁ ୧୮୪୪ କୋଟି, ଅନୁଗୁଳ-ସୁକିନ୍ଦା ୯୯ କିମି ପ୍ରକଳ୍ପ ପାଇଁ ୧୨୦୩ କୋଟି ଟଙ୍କା। ଏହି ସମସ୍ତ ପ୍ରକଳ୍ପ ରାଜ୍ୟର ଶିଳ୍ପ ବିକାଶ, ବ୍ୟବସାୟ, ବାଣିଜ୍ୟ ଓ ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ।

ଉପା ସରକାରର ୧୦ବର୍ଷ ଶାସନରେ ରାଜ୍ୟରେ ରେଳ ବିକାଶ ପାଇଁ ହଜାରେ କୋଟି ଟଙ୍କା ମିଳୁ ନ ଥିବା ବେଳେ ଚଳିତ ବର୍ଷ ରେଳ ବଜେଟରେ ୫ହଜାର ୨ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଉପାର ଶେଷ ୫ବର୍ଷ ଶାସନରେ ରାଜ୍ୟର ରେଳ ବିକାଶ ପାଇଁ ୪୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମୋଦୀ ସରକାରଙ୍କ ୫ଟି ରେଳ ବଜେଟରେ ରାଜ୍ୟ ପାଇଁ ସର୍ବକାଳୀନ ରେକର୍ଡ ୨୦ହଜାର ୨୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାର ମେକ୍ ଇନ ଓଡ଼ିଶା କନକ୍ଲେଭ କରୁଥିବା ବେଳେ ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରଚୁର ସୁବିଧା ଉପଲବ୍ଧ ଥିବା ବେଳେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବାରୁ ପ୍ରସ୍ତାବିତ ଶିଳ୍ପାୟନକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳୀନରେ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର