ମା’ମାନଙ୍କ ପାଇଁ ବିଜେଡି ଲଢ଼େଇ ଜାରି ରହିବ: ନବୀନ

ପ୍ରତି ମା’ ଭିତରେ ନେତୃତ୍ବ ନେବାର କ୍ଷମତା ରହିଛି
୪ଟି ଧନ୍ୟବାଦ ପ୍ରସ୍ତାବ ସର୍ବସମ୍ମତ ଭାବେ ପାରିତ

ଭୁବନେଶ୍ବର : ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର କ୍ଷମତା ରହିଛି। ଘରର ପିଲାମାନଙ୍କ ଦାୟିତ୍ୱ ଯେ ଠିକ୍ ଭାବେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ୱ ନେବା ତା’ପାଇଁ କିଛି ଅସୁବିଧା ନାହିଁ। ମୁଖ୍ୟମନ୍ତ୍ରୀ ଅନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏପରି ବକ୍ତବ୍ୟ ରଖିଥିଲେ। କହିଥିଲେ ଯେ ମା’ ମାନଙ୍କ ପାଇଁ ବିଜେଡିର ଲଢେ଼ଇ ଜାରି ରହିବ।

ଆଜିର ବୈଠକରେ ଭର୍ଚୁଆଲରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀ କହିଥିଲେ, ନବେ ଦଶକରେ ମା’ ମାନଙ୍କ ପାଇଁ ବିଜୁ ବାବୁ ଐତିହାସିକ ପଦକ୍ଷେପ ନେଇଥିଲେ। ପଞ୍ଚାୟତ ଓ ପୌର ନିର୍ବାଚନରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଥିଲା। ମା’ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବିଜେଡି ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି। ପ୍ରତି ମା’ ଭିତରେ ନେତୃତ୍ବ ନେବାର କ୍ଷମତା ରହିଛି। ଦେଶ ସମାଜରେ ମଧ୍ୟ ସେମାନଙ୍କର ନେତୃତ୍ବ ନେବାରେ ଅସୁବିଧା ନାହିଁ। କେବଳ ଏହି ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯିବା ଦରକାର। ସେମାନଙ୍କର ଏହି ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରାଯିବା ଉଚିତ୍।

ମୁଖ୍ୟମନ୍ତ୍ରୀ କହିଥିଲେ, ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ବିଜେଡି ଦାବି କରିଛି। ଏହାଦ୍ବାରା ପୂରା ଦେଶର ସବୁ ମା’ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି। ରାଜ୍ୟ ସରକାର ମହିଳାଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୫୦୦୦ କୋଟି ଟଙ୍କାର ସରକାରୀ କାର୍ଯ୍ୟ ସେମାନେ କରିବେ।

ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସ୍ବାଗତ ଭାଷଣ ଦେଇ ମା’ ମାନଙ୍କୁ ତେଜସ୍ବିନୀ, ସ୍ବୟଂସିଦ୍ଧା, ଅନନ୍ୟା ବୋଲି ବର୍ଣ୍ଣନା କରି କହିଥିଲେ, ଏକଦା ମହିଳା କମିସନ, ମହିଳା ଥାନା, ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ ବିଜୁ ବାବୁ। ମୁଖ୍ୟମନ୍ତ୍ରୀ ବିଜୁଙ୍କ ସ୍ବପ୍ନକୁ ଆଗକୁ ନେଇ ୨୦୦୧ରେ ଯେଉଁ ମିସନ ଶକ୍ତି ଆରମ୍ଭ କରିଥିଲେ, ତାହା ହେବେ ସାମିଜିକ ଜାଗରଣ ସୃଷ୍ଟି କଲାଣି। ୮୦ଲକ୍ଷ ମହିଳା ଏବେ ନିଜ ପରିଚୟକୁ ସମୃଦ୍ଧ କରିପାରିଛନ୍ତି। ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ମହିଳାଙ୍କୁ ରାଜନୀତି, ଅର୍ଥନୀତି କ୍ଷେତ୍ରରେ ସଶକ୍ତ କରିବା ଲାଗି ବିଜୁଙ୍କ ସ୍ବପ୍ନ ଏବେ ସାକାର ହୋଇଛି। ସଭାନେତ୍ରୀ ଶ୍ରୀମତୀ ଛୁରିଆ କହିଥିଲେ, ରାଜ୍ୟ ସରକାରଙ୍କ ଉପଯୁକ୍ତ ସମନ୍ବୟ ରଖି ସରକାରଙ୍କ ସବୁ ବିକାଶ କାମକୁ ତୃଣମୂଳସ୍ତରକୁ ନେବାକୁ ହେବ। ଏକ ସଶକ୍ତ ଓଡ଼ିଶା ଗଠନ କରିବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଥିରେ ମହିଳାଙ୍କ ଯୋଗଦାନ ରହିବ ଓ ମିସନ ଶକ୍ତି ବିଭାଗ ଏହାକୁ ଆହୁରି ଆଗକୁ ନେବ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଟୁକୁନି ସାହୁ, ଅେଶାକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ, ନିବେଦିତା ନାୟକ, ସୁବାଷିନୀ ଜେନା, ଲୋପାମୁଦ୍ରା ବକ୍ସିପାତ୍ର ସୁମିତ୍ରା ଜେନା, ସୁଲତା ଦେଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ମୀରା ପରିଡା, ପ୍ରୀତିନନ୍ଦା ରାଉତରାୟ, ସନ୍ଧ୍ୟାରାଣୀ ବିଶ୍ବାଳ ପ୍ରମୁଖ ୪ଟି ପ୍ରସ୍ତାବ ଆଗତ କରିଥିଲେ ଓଏହାକୁ ସର୍ବସମ୍ମତ ଭାବେ ପାରିତ କରାଯାଇଥିଲା।

ଉଲ୍ଲେଖଥାଉକି, ବିଜୁ ମହିଳା ଜନତା ଦଳ ତରଫରୁ ଆୟୋଜିତ ଆର୍ନ୍ତଜାତୀୟ ମହିଳା ଦିବସ ସମାରୋହ ପାଳନ ଅବସରରେ ଓଡିଶାର ସମସ୍ତ ମହିଳାମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କୁ ତାଙ୍କ କାର୍ଯ୍ୟ ପାଇଁ ସର୍ବସମ୍ମତ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ପ୍ରଥମ ପ୍ରସ୍ତାବରେ ରାଜ୍ୟର ମହିଳାମାନଙ୍କ ବିକାଶ, ଉନ୍ନତି, ପ୍ରଗତି, ସାମାଜିକ ନିରାପତ୍ତା, ଆର୍ଥିକ ସ୍ୱାବଲମ୍ବିତା, ରାଜନୈତିକ ସ୍ୱୀକୃତିପ୍ରଦାନ ପୂର୍ବକ ପଞ୍ଚାୟତରାଜ ଓ ପୌର ସଂସ୍ଥାରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ନିମନ୍ତେ ଲୋକସଭା ଓ ବିଧାନସଭାରେ ସଂରକ୍ଷଣ ଦାବି ଉପସ୍ଥାପନ କରିବା ଓ ଏହି ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବା ଆଧାରରେ ୩୩ ପ୍ରତିଶତ ଆସନ ମହିଳାଙ୍କୁ ଲୋକସଭାରେ ପ୍ରଦାନ କରି ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଭାରତବର୍ଷରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଉଦାହରଣ ପାଲଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲା ମହିଳା ବିଜେଡି।

କେବଳ ସେତିକି ନୁହେଁ, ମିସନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ପ୍ରଦାନ, ୫-ଟି ଓ ଲୋକାୟୁକ୍ତ ଭଳି ଅନେକ ପ୍ରଶାସନିକ ସଂସ୍ଥା ଦ୍ବାରା ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ସର୍ବୋପରି କରୋନା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ବିଶ୍ବବାସୀଙ୍କ ପାଖରେ ଓଡ଼ିଶା ଯେଉଁ ସୁଖ୍ୟାତି ଅର୍ଜନ କରିଥିଲା, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇ ଧନ୍ୟବାଦ ପ୍ରସ୍ତାବ ପାରିତ କରାଯାଇଥିଲା।

ସମ୍ବନ୍ଧିତ ଖବର