ବାଲିପାଟଣା: ଦୀର୍ଘ ଦୁଇ ଦଶନ୍ଧି ପରେ ଏଥର ବାଲିପାଟଣା ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ୧୨ ତାରିଖରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ, ସେନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। ରୋଚକ କଥା ହେଉଛି, ସାଧାରଣ ଜନତାଙ୍କ ପାଇଁ ଏହି ନିର୍ବାଚନ କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ ଭଳି ସ୍ଥିତି। କାରଣ ଏହି ଚଉକି ବିଜେଡି ହିଁ ଦଖଲ କରୁଛି। କିନ୍ତୁ ସ୍ଥାନୀୟ ନେତାଙ୍କ ପାଇଁ ଏହା ଏକ ମହାସଂଗ୍ରାମ ସଦୃଶ। ଦୁଇ ବିଜେଡି ଗୋଷ୍ଠୀ ଭିତରେ ଚାଲିଛି ଛକାପଞ୍ଝା। ବିଜେଡି ନେତା କମଳ ପାତ୍ର ଓରଫ ଚନ୍ଦନଙ୍କ ଗୋଷ୍ଠୀ ଓ ବିଧାୟକ ଅରବିନ୍ଦ ଢାଲିଙ୍କ ସମର୍ଥକ ଶଶିଭୂଷଣ ପାତ୍ରଙ୍କ ଗୋଷ୍ଠୀ ଭିତରେ ଲାଗିଛି ଲଢ଼େଇ। ଶେଷରେ କେଉଁ ପାତ୍ରଙ୍କ ପତିଆରା ରହୁଛି, ତାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
ଏହି ବ୍ଲକ୍ରେ ରହିଛି ୧୭ ପଞ୍ଚାୟତ। ବ୍ଲକ ଅଧ୍ୟକ୍ଷ ପଦ ହାସଲ ପାଇଁ ୯ ସମିତି ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ‘ଆମ ସଂଗଠନ’ର ମୁଖ୍ୟ ଚନ୍ଦନ ପାତ୍ରଙ୍କ ଶିବିରରେ ଏବେ ୧୧ ସମିତି ସଭ୍ୟ ରହିଥିବା ଚର୍ଚ୍ଚା ହେଉଛି। ସେହିଭଳି ଶଶିଭୂଷଣଙ୍କ ଶିବିରରେ ୭ ସମିତି ସଭ୍ୟ ଥିବା ଆଲୋଚନା ହେଉଛି। କାହା ଦାବି ସତ, ତାହା ଅସ୍ପଷ୍ଟ। କାରଣ ପ୍ରାୟ ସବୁତକ ସମିତି ସଭ୍ୟ ଅଜ୍ଞାତବାସରେ। ସଂଖ୍ୟା ଦୃଷ୍ଟିରୁ ଅଧ୍ୟକ୍ଷ ପଦଟି ଚନ୍ଦନଙ୍କ ଗୋଷ୍ଠୀ ଝୁଲାକୁ ଯିବା ନିଶ୍ଚିତ କୁହାଯାଉଥିଲେ ବି ଶଶିଭୂଷଣଙ୍କ ଗୋଷ୍ଠୀ ଏବେ ବି ଗୋଟି ଚାଳନାରୁ ଓହରି ଯାଇନାହାନ୍ତି।
ହାତରେ ୭ ସମିତି ସଭ୍ୟ ଥିବାରୁ ସେମାନେ ଏତେ ଶୀଘ୍ର ମଇଦାନରୁ ଅସ୍ତ୍ର ଛାଡ଼ି ପଛଘୁଞ୍ଚା ଦେଉନଥିବା କହିଛନ୍ତି। ଚନ୍ଦନଙ୍କ ଶିବିର ଭେଦ କରିବାକୁ ସେମାନେ ଚାଲ୍ ଚଳାଇବାରେ ଲାଗିଛନ୍ତି। କିନ୍ତୁ ଚନ୍ଦନଙ୍କ କୌଶଳ ଆଗରେ ସେମାନେ କେତେଦୂର ସଫଳ ହେବେ, ତାହା ସାଧାରଣରେ ଉତ୍କଣ୍ଠା ସୃଷ୍ଟି କରିଛି। ପୂର୍ବରୁ ଚନ୍ଦନଙ୍କ ସମର୍ଥନରେ ମନୀଷା ଚୌଧୁରୀ ବ୍ଲକ୍ ଅଧ୍ୟକ୍ଷା ହୋଇପାରିଥିଲେ। ମାତ୍ର ପରେ ସେ ଚନ୍ଦନଙ୍କ ବିରୋଧୀ ହେଲେ ଓ ଅନାସ୍ଥା ଭୋଟ୍ରେ ହାରିଲେ। ଏସବୁ ଚନ୍ଦନଙ୍କ ଗୋଟିଚାଳନାରେ ହୋଇଥିଲା।
ଚଳିତ ପଞ୍ଚାୟତ ନିର୍ବାଚନରେ ଚନ୍ଦନଙ୍କ ସମର୍ଥିତ ପ୍ରାର୍ଥୀମାନେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଜୋନ୍ ୧୯, ୨୦ ଓ ୨୧ ଅନ୍ତର୍ଗତ ୩ ପଞ୍ଚାୟତରୁ ଅନୁସୂଚିତ ଜାତି ବର୍ଗର ସମିତି ସଭ୍ୟମାନେ ବିଜୟୀ ହୋଇଛନ୍ତି। ପମ୍ପାଲୋ ପଞ୍ଚାୟତରୁ ନମିତା ଭୋଇ, କୁରୁଞ୍ଜିପୁର ପଞ୍ଚାୟତରୁ ହରପ୍ରିୟା ଦାସ ଓ ନରିଶୋ ପଞ୍ଚାୟତରୁ ଝିଲି ଭୋଇ ବିଜୟୀ ହୋଇଛନ୍ତି। ଏହି ୩ ଜଣ ଚନ୍ଦନଙ୍କ ଶିବିରରେ ଅଛନ୍ତି। ଏଥର ୧୯ ନଂ ଜୋନ୍ରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଭାବେ ଗଙ୍ଗାଧର ମଲ୍ଲିକ ବିଜୟୀ ହୋଇଛନ୍ତି। କିନ୍ତୁ ସେ ୨୧ ନଂ ଜୋନ୍ର ବାସିନ୍ଦା।
ଅଲଗା ଜୋନ୍ର ହୋଇଥିଲେ ବି ଚନ୍ଦନଙ୍କ ସମର୍ଥକ ହୋଇଥିବାରୁ ୧୯ ନମ୍ବର ଜୋନ୍ବାସୀ ଗଙ୍ଗାଧରଙ୍କୁ ବିପୁଳ ଭୋଟ୍ରେ ବିଜୟୀ କରାଇଛନ୍ତି। ୨୧ ନମ୍ବର ଜୋନ୍ର ୫ ପଞ୍ଚାୟତରୁ ୪ ସମିତି ସଭ୍ୟ ଚନ୍ଦନଙ୍କ ଶିବିରରେ ଥିବା ଚର୍ଚ୍ଚା ହେଉଛି। ତେଣୁ ୧୯ ନମ୍ବର ଜୋନ୍ର ସମିତି ସଭ୍ୟଙ୍କ ମଧ୍ୟରୁ ଜଣଙ୍କୁ ବ୍ଲକ୍ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରାଇବା ପାଇଁ ଗଙ୍ଗାଧରଙ୍କ ସମର୍ଥନ ରହିବ ବୋଲି ଆଶା କରାଯାଉଛି। ତେବେ ସବୁ ନିଷ୍ପତ୍ତି ଚନ୍ଦନ ହିଁ ନେବେ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/48.jpg)