ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ହେବ ବିଜେଡି ପରିଷଦ!

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଗଣତିର ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ବି ବିଜେଡିର ବିଜୟ ଧାରା ଜାରି ରହିଛି। ରବିବାର ଦ୍ବିତୀୟ ଦିନ ବ୍ଲକ୍‌ ଗୁଡ଼ିକର ଜୋନ୍‌-୨ ଆସନରେ ଗଣତି ଜାରି ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆସନରେ ଗଣତି ଚାଲିଥିବାବେଳେ ୧୫ଟିରେ ବିଜେଡି, ଗୋଟିଏରେ ବିଜେପି ଓ ଗୋଟିଏରେ କଂଗ୍ରେସ୍ ଆଗୁଆ ରହିଛି। ସମ୍ବଲପୁର ଜିଲ୍ଲାରେ ୯ଟି ଆସନରେ ଗଣତି ଚାଲିଥିବାବେଳେ ୭ଟିରେ ବିଜେଡି, ୨ଟିରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ବରଗଡ଼ ଜିଲ୍ଲାରେ ଜୋନ୍‌-୨ର ଗୋଟିଏ ଆସନ (ଅମ୍ବାଭନା ଜୋନ୍‌-୨) ରେ ବିଜେଡି ପ୍ରାର୍ଥୀ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ରବିବାର ଗଣତି ହେଉଥିବା ବାକି ୧୧ଟି ଜୋନ୍‌-୨ ଆସନ ମଧ୍ୟରୁ ରବିବାର ଦିନ ୨ଟା ସୁଦ୍ଧା ବିଜେଡି ୮ ଓ ବିଜେପି ୩ଟିରେ ଆଗୁଆ ରହିଛନ୍ତି।

ଦେବଗଡ଼ ଜିଲ୍ଲାରେ ରବିବାର ଗଣତି ଚାଲିଥିବା ୩ଟି ଯାକ ଜୋନ୍‌ରେ ବିଜେଡି ପୁଣି ଆଗୁଆ ରହିଛି। ଝାରସୁଗୁଡ଼ା ଜିଲ୍ଲାରେ ବି ଗଣତି ଚାଲିଥିବା ୩ଟି ଆସନରେ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି। ରବିବାର ଦିନ ୨ଟା ସୁଦ୍ଧା ମିଳିଥିବା ସୂଚନାରୁ ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ଆସନର ଗଣତି ଚାଲିଥିବାବେଳେ ସବୁ ଗୁଡ଼ିକରେ ବିଜେଡି ଆଗୁଆ ରହିଛି। ବୌଦ୍ଧ ଜିଲ୍ଲାରେ ଗଣତି ଚାଲିଥିବା ୩ଟି ଆସନ ମଧ୍ୟରୁ ୨ଟିରେ ବିଜେଡି ଆଗୁଆ ଥିଲାବେଳେ ଗୋଟିଏରେ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି। ବଲାଙ୍ଗୀର ଜିଲ୍ଲାରେ ୧୪ଟି ଆସନରେ ଗଣତି ଚାଲିଛି। ସେଥିରୁ ୭ଟିରେ ବିଜେଡି, ୨ଟିରେ କଂଗ୍ରେସ୍‌ ଓ ଗୋଟିଏରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ଆଉ ୪ଟି ଆସନର ସୂଚନା ଆସି ନାହିଁ। କଳାହାଣ୍ଡି ଜିଲ୍ଲାରେ ୧୩ଟି ଆସନରେ ଗଣତି ଚାଲିଥିବାବେଳେ ୧୧ଟିରେ ବିଜେଡି ଆଗୁଆ ଅଛି। ଗୋଟିଏରେ ବିଜେପି ଓ ଗୋଟିଏରେ କଂଗ୍ରେସ୍ ପ୍ରାର୍ଥୀ ଆଗରେ ଅଛନ୍ତି। ନୂଆପଡ଼ା ଜିଲ୍ଲାରେ ଗଣତି ଚାଲିଥିବା ୫ଟି ଆସନ ମଧ୍ୟରୁ ୪ଟିରେ ବିଜେଡି ଓ ଗୋଟିଏରେ କଂଗ୍ରେସ୍ ଆଗରେ ରହିଛି।

ଓଡ଼ିଶାର ଅନ୍ୟ ସବୁ ଅଞ୍ଚଳ ଭଳି ଏଥର ପଶ୍ଚିମ ଓଡ଼ିଶା ବି ଶାସକ ବିଜୁ ଜନତା ଦଳର ଗଡ଼ ପାଲଟି ଯାଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୧୦ଟି ଯାକ ଜିଲ୍ଲାରେ ବିଜେଡିର ଅବିଶ୍ବସନୀୟ ସଫଳତା ସମସ୍ତଙ୍କୁ ଚକିତ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ୧୦ରୁ ୬ଟି ଜିଲ୍ଲାରେ ପରିଷଦ ଗଢ଼ିଥିବା ତଥା ଗତ ସାଧାରଣ ନିର୍ବାଚନରେ ୫ ଜଣ ଯାକ ସାଂସଦ ଜିତିଥିବା ଭାରତୀୟ ଜନତା ପାର୍ଟି ଏଥର ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନ୍ ଜିତି ସମ୍ମାନ ରକ୍ଷା କରିବା ବି କଷ୍ଟକର ହୋଇ ପଡ଼ିଛି। ଅନେକ ଜିଲ୍ଲା ବିରୋଧୀ ଶୂନ୍ୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଗଣତନ୍ତ୍ରର ଏହି ଏକତରଫା ରାୟ ବର୍ତ୍ତମାନ ବୁଦ୍ଧିଜୀବୀଙ୍କ ପାଇଁ ବିଚାରର ବିଷୟ ପାଲଟି ଯାଇଛି। ପ୍ରଥମ ଦିନ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ମୋଟ ୮୭ ଜିଲ୍ଲା ପରିଷଦ ଆସନ‌େର ‌େଭାଟ ଗଣତି ଓ ଫଇସଲା ହୋଇଥିଲା। ସେଥିରୁ ବିଜେଡି ୭୭, ବିଜେପି ୭, କଂଗ୍ରେସ୍ ୨ ଓ ସିପିଆଇଏମ୍‌ ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି।

ସମ୍ବଲପୁର ଜିଲ୍ଲାରେ ପ୍ରଥମ ଦିନ ଗଣତି ହୋଇଥିବା ୯ରୁ ୯ଟା ଯାକ ଆସନ ବିଜେଡି ଜିତିଛି। ବରଗଡ଼ ଜିଲ୍ଲାରେ ପ୍ରଥମ ଦିନ ଗଣତି ହୋଇଥିବା ୧୨ ଆସନ ମଧ୍ୟରୁ ବିଜେଡି ୧୦ ଓ ବିଜେପି ୨ ଆସନ ଜିତିଛନ୍ତି। ଦେବଗଡ଼ ଜିଲ୍ଲାରେ ପ୍ରଥମ ଦିନ ଗଣତି ହୋଇଥିବା ୩ଟି ଓ ଝାରସୁଗୁଡ଼ା ଜିଲ୍ଲାରେ ଗଣତି ହୋଇଥିବା ୫ଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଦିନ ଫଇସଲା ହୋଇଥିବା ୬ ଆସନରୁ ବିଜେଡି ୪, ବିଜେପି ଓ କଂଗ୍ରେସ୍ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି। ବୌଦ୍ଧ ଜିଲ୍ଲାରେ ପ୍ରଥମ ଦିନ ୨ଟି ଆସନ ବିଜେଡି ଓ ଗୋଟିଏ ବିଜେପି ଖାତାକୁ ଯାଇଛି। ବଲାଙ୍ଗୀର ଜିଲ୍ଲାରେ ଶନିବାର ୧୪ଟି ଆସନରେ ଗଣତି ହୋଇଥିଲା। ସେଥିରୁ ବିଜେଡି ୧୨ଟି, ବିଜେପି ଓ କଂଗ୍ରେସ୍ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଦିନ ଘୋଷଣା ହୋଇଥିବା ୧୭ ଆସନ ମଧ୍ୟରୁ ୧୬ଟିରେ ବିଜେଡି ଓ ଗୋଟିଏରେ ସିପିଆଇଏମ୍‌ ବିଜୟୀ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ଶନିବାର ୧୩ଟି ଆସନରେ ଗଣତି ହୋଇଥିଲା। ସେଥିରୁ ବିଜେଡି ୧୧ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାରେ ପ୍ରଥମ ଦିନ ୫ଟି ଆସନରେ ଗଣତି ହୋଇଥିଲାବେଳେ ବିଜେଡି ପୋଛି ନେଇଛି।

ସମ୍ବନ୍ଧିତ ଖବର