୨୬ରେ ପାଳନ ହେବ ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ : ଏଥର ସବୁ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସ, ୨୬ରେ ନବୀନ କରିବେ ନୂଆ ଘୋଷଣା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ପାଳିବ ୨୩ ତମ ପ୍ରତିଷ୍ଠା ଦିବସ। ସେବା ଭାବନା ନେଇ ପୁଣି ଥରେ ଉତ୍ସର୍ଗୀକୃତ ଭାବେ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏ ନେଇ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଓ ପ୍ରମୁଖ ଦଳୀୟ ସଂଗଠନମାନଙ୍କର ରାଜ୍ୟ ସଭାପତିମାନଙ୍କୁ ଶ୍ରୀ ପଟ୍ଟନାୟକ ଚିଠି ଲେଖିଛନ୍ତି। ପ୍ରତିଷ୍ଠା ଦିବସରେ ସଭାପତି କିଛି ନୂଆ ଘୋଷଣା କରିପାରନ୍ତି। ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆସନ୍ତା ୨୬ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏହାସହିତ ସମସ୍ତ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ମଧ୍ୟ ପାଳନ କରାଯିବ। ବିଜେଡି ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଷ୍ଠାପର ଉଦ୍ୟମ ଜାରି ରଖିଛି। ଗାଁ ଗହଳି, ସହର, ବସ୍ତିରେ ଥିବା ଅଗଣିତ କର୍ମୀଙ୍କର ନିଷ୍ଠା ଓ ପରିଶ୍ରମ ଦଳକୁ ଜନସାଧାରଣଙ୍କ ନିକଟତର କରିଛି। ଯଦ୍ବାରା ଲଗାତାର ପଞ୍ଚମ ଥର ପାଇଁ ବିଜେଡିକୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସିଛନ୍ତି।

ପ୍ରାକୃତିକ ଦୁର୍ବିପାକ ମୁକାବିଲା ହେଉ କି ବସ୍ତିବାସିନ୍ଦାଙ୍କୁ ଅଧିକାର ପ୍ରଦାନ କାର୍ଯ୍ୟକ୍ରମ। ଏସବୁଥିରେ ସରକାରଙ୍କୁ ଆନ୍ତର୍ଜାତିକ ପ୍ରଶଂସା ଓ ସ୍ବୀକୃତି ମିଳିଛି। ଦାରିଦ୍ର୍ୟ ଦୂରୀକରଣ, ମହିଳା ଓ ଯୁବକଙ୍କୁ ସଶକ୍ତୀକରଣ, ଭିତ୍ତିଭୂମି ବିକାଶ, ଖାଦ୍ୟ ନିରାପତ୍ତା ଓ ସାମାଜିକ ନିରାପତ୍ତା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କାର୍ଯ୍ୟକ୍ରମଗୁଡ଼ିକ ସର୍ବଭାରତୀୟସ୍ତରରେ ପ୍ରଶଂସିତ ହୋଇଛି। ମହାନଦୀ ଓ ପୋଲାଭରମ ପାଇଁ ନ୍ୟାୟିକ ଲଢ଼େଇ ଜାରି ରହିଛି। ଜନସାଧାରଣଙ୍କୁ ସ୍ବଚ୍ଛ ପ୍ରଶାସନ ଦେବା ପାଇଁ ୫’ଟି’ ଓ ‘ ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଜୁ ଜନତା ଦଳ ହେଉଛି ଏକ ମାତ୍ର ରାଜନୈତିକ ଦଳ, ଯାହାର ସାମାଜିକ ପ୍ରତିବଦ୍ଧତା ‘ଜୀବନ ବିନ୍ଦୁ’ ଓ ଓଡ଼ିଶା-‘ମୋ ପରିବାର’ କାର୍ଯ୍ୟକ୍ରମମାନଙ୍କରେ ପ୍ରତିଫଳିତ ହେଉଛି ବୋଲି ସଭାପତି ଦର୍ଶାଇଥିବା ଶ୍ରୀ ମିଶ୍ର କହିଥିଲେ।

ପ୍ରତିଷ୍ଠା ଦିବସଠାରୁ ବର୍ଷତମାମ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିବ। ଦଳ ପାଇଁ ସକ୍ରିୟ ଭାବେ କାମ କରିବା ସହ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଜଡ଼ିତ ରହି ଵାର୍ଡ଼ ସ୍ତରରେ ଜନସାଧାରଣଙ୍କୁ ସଦସ୍ୟ ଅଭିଯାନରେ ସଂଶ୍ଲିଷ୍ଟ କରିବା ନେଇ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଓ ସାଧାରଣ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର