ପ୍ରତିଷ୍ଠା ଦିବସ ମଞ୍ଚରୁ ନବୀନଙ୍କ ବାର୍ତ୍ତା : ଓଡ଼ିଶାବାସୀ ବିଜେଡିର ପୁଞ୍ଜି

ଦଳର ଭାଗ୍ୟ ନେତା କିମ୍ବା ମୋ ଉପରେ ନିର୍ଭର କରୁନି
କାର୍ପଟଦାରଙ୍କଠାରୁ ସାବଧାନ ରହିବାକୁ ପରୋକ୍ଷରେ ସଙ୍କେତ
ସେବା, ସଶକ୍ତୀକରଣ ଓ ବିକାଶ; ପରଶମଣି ଜାରି କଲେ

ଭୁବନେଶ୍ବର : ନା କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ କି ଆଭିମୁଖ୍ୟ ରହିବ ସେ କଥା ସ୍ପଷ୍ଟ କଲେ ନା ରାଜ୍ୟ ସରକାରଙ୍କର କେଉଁ କେଉଁ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚିବ, ସେ ନେଇ କିଛି ବି ସଙ୍କେତ ମିଳିଲା। ବରଂ ସାଧାରଣ କର୍ମୀଙ୍କ ମନରେ ବିେରାଧୀ ରାଜନୈତିକ ଦଳ ଯେଉଁ ବିଷ ମଞ୍ଜି ବୁଣୁଛନ୍ତି, ଦଳକୁ ଦୁର୍ବଳ କରିବାକୁ ଉପକ୍ରମ ଆରମ୍ଭ ହୋଇଛି ଏବଂ ଦଳର ଗୋଟିଏ ଗୋଷ୍ଠୀ ନିଜକୁ ସର୍ବେସର୍ବା ମନେକରି ଯେମିତି ଆଗକୁ ବଢୁଛନ୍ତି ତାକୁ ଲକ୍ଷ୍ୟ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଚାନକ ଏକ ବଡ଼ କାର୍ଡ ଖେଳିଛନ୍ତି।

ଦଳର ରାଜ୍ୟ କାର୍ଯ୍ୟାଳୟରେ ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବ ମଞ୍ଚରୁ କର୍ମୀ ଓ ଓଡ଼ଶାବାସୀଙ୍କ ଉଦ୍ଦେଶ୍ୟରେ ନବୀନ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିଜେଡି ଏକ ରାଜନୈତିକ ଦଳ ନୁହେଁ। ଦଳ ବଞ୍ଚିରହିବା ଅଥବା ଏହାର ଅଭିବୃଦ୍ଧି ଅର୍ଥାତ ଦଳର ଭାଗ୍ୟ କିଛି ନେତା କିମ୍ବା ମୋ ଉପରେ ନିର୍ଭର କରୁନାହିଁ। ବରଂ ସେମାନଙ୍କ (ଓଡ଼ିଶାବାସୀ) ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଳଜାନ ପରି ଦଳକୁ ଶକ୍ତି ଯୋଗାଇଛି। ସେମାନଙ୍କ ତ୍ୟାଗ ଦଳକୁ ମଜବୁତ କରିଛି।

ନବୀନଙ୍କର ହଠାତ୍ ଏଭଳି ବକ୍ତବ୍ୟ ବିଜେଡିର ଶୀର୍ଷସ୍ତରକୁ ଅକଳରେ ପକାଇଥିବା ବେଳେ ପ୍ରତିପକ୍ଷ ରାଜନୈତିକ ଦଳକୁ ଆଲୋଚନା ପାଇଁ ଯଥେଷ୍ଟ ଖୋରାକ ଯୋଗାଇଛି। ଏହି ମହଲର ପ୍ରାରମ୍ଭିକ ମତ ହେଲା, ବିଜେଡିର ରାଜନୈତିକ ଭବିଷ୍ୟତ ନେଇ ଯେଉଁମାନେ ଆଶଙ୍କା ଭିତରେ ଅଛନ୍ତି ଅଥବା ବିଜେଡିର ପ୍ରମୁଖ କାର୍ପଟଦାରଙ୍କ ଦୌରାତ୍ମ୍ୟରେ ଯିଏ ଅତିଷ୍ଠ ହୋଇଗଲେଣି, ସେମାନଙ୍କ ଉଦ୍ଦେଶ୍ୟରେ ହିଁ ନବୀନଙ୍କ ଏଭଳି ବକ୍ତବ୍ୟ ଉଦ୍ଦିଷ୍ଟ ହୋଇଥାଇପାରେ। ନବୀନଙ୍କ ଏହି ପଦୁଟିଏ କଥା ବିଜେଡି ଭବିଷ୍ୟତ ଆଉ ପରବର୍ତ୍ତୀ ପିଢିର ରାଜନୀତି ଚର୍ଚ୍ଚା ଲାଗି ମଧ୍ୟ ଆଗକୁ ବାଟ ଫିଟାଇବା ସମ୍ଭାବନା ଅଧିକ। କୌଣସି ନେତା ନୁହେଁ, କର୍ମୀ ହିଁ ବିଜେଡି ପାଇଁ ଗୁରୁତ୍ବପୂର୍ଣ୍ଣ ଏକଥା ସ୍ପଷ୍ଟ ଭାବେ ଠାରି ଦିଆଯାଇଛି।

ଏହି ପ୍ରସଙ୍ଗଟିର ଗୁରୁତ୍ବ ଆହୁରି ବଢିଯାଇଛି, ଏଥିପାଇଁ ଯେ ମହାତ୍ମାଗାନ୍ଧୀଙ୍କ ସଂପର୍କରେ ଠାରି ନବୀନ ଆଜି ବିଜେଡି ପାଇଁ ମଧ୍ୟ ଏକ ପରଶମଣି ପ୍ରସ୍ତୁତ କରିଛନ୍ତି। କହିଛନ୍ତି, ଜାତିର ପିତା ମହାତ୍ମାଗାନ୍ଧୀ ଲୋକଙ୍କ ଭିତରେ ସେବା ମନୋଭାବର ବିକାଶ ପାଇଁ ଦେଇଥିବା ପରଶମଣି ବିଷୟରେ ସମସ୍ତେ ଜାଣନ୍ତି। ଏହା ସାରା ମାନବ ଜାତି ପାଇଁ, ସବୁ ସମୟ ଲାଗି ଆଦର୍ଶ ହୋଇ ରହିଛି ଓ ରହିବ। ଆମ ସମସ୍ତଙ୍କ ପାଇଁ ପ୍ରେରଣା। ହେଲେ ମହାତ୍ମାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ନମ୍ରତାର ସହ ସେ ଆଉ ଏକ ପରଶମଣି ସଂପର୍କରେ ଠାରିଛନ୍ତି, ଯାହା ବିଜେଡି ପାଇଁ ହିଁ ଉଦ୍ଦିଷ୍ଟ ବୋଲି ପରୋକ୍ଷରେ ସୂଚାଇଛନ୍ତି।

ନବୀନ ଏଥିରେ କହିଛନ୍ତି ଯେ ଓଡ଼ିଶାର ସାଢେ ଚାରିକୋଟି ଭାଇ ଭଉଣୀ ହେଉଛନ୍ତି ଆମ ପରିବାର। େଭାଟ୍ ଜରିଆରେ ସେମାନେ ଆମକୁ ଦେଇଥିବା ଦାୟିତ୍ବ କ୍ଷମତା ନୁହେଁ। ଆମ ପରିବାରର ସେବା ପାଇଁ ଏହା ଏକ ମହାନ ସୁଯୋଗ। ଏହି ଭାବନା ନେଇ ଆମେ ସମସ୍ତେ କାମ କରୁଛୁ। ସାଢେ ଚାରି କୋଟି ଭାଇ ଭଉଣୀ ଆମକୁ ଦେଇଥିବା ଦାୟିତ୍ବକୁ ଆମେ ନମ୍ରତା ଓ ସାଧୁତାର ସହିତ ପାଳନ କରିଆସୁଛୁ। ନିର୍ବାଚନରେ ଜିତିବା ପାଇଁ ଆମେ କାମ କରୁନାହୁଁ। ସେବା ଦ୍ବାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ। ଏଥିପାଇଁ ଆମେ ୩୬୫ ଦିନ କାମ କରୁଛୁ।

ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି। େଲାକଙ୍କ ଆଶା ଓ ଭରସାର ପ୍ରତୀକ ହୋଇଛି।

ବିଜେଡି ସାଢେ ଚାରି କୋଟି ଓଡ଼ିଆଙ୍କ ସେବା ପାଇଁ ଏକ ଆନ୍ଦୋଳନ। ସଶକ୍ତୀକରଣ ପାଇଁ ଏକ ଆନ୍ଦୋଳନ। ସାଢେ ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିକାଶକୁ ନେଇ ଚାଲିଥିବା ଏକ ଆନ୍ଦୋଳନ ବୋଲି ତିନି ଧାଡିଆ ଅଘୋଷିତ ହ୍ବିପ୍ ଜାରି କରିଛନ୍ତି ବିଜେଡି ସଭାପତି କହିଛନ୍ତି।

ଗୋଟିଏ ପଟେ ନେତୃତ୍ବ ଓ ଅନ୍ୟପଟେ ଦଳର ଦାୟିତ୍ବ ସଂପର୍କରେ ଠାରି ନବୀନ ଆଜି କେଉଁଠି ନା କେଉଁଠି ଦଳର ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ସହିତ ଏହା ସହିତ ସାମଞ୍ଜସ୍ୟ ରଖୁଥିବା ନେତାମାନେ ହିଁ ବିଜେଡିର ଆଗଧାଡିରେ ରହିବେ ବୋଲି ଜଣାଇ ଦେଇଛନ୍ତି।

ଏଥିସହିତ ଗତଥର ଭଳି ନବୀନ ଆଜି ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କୁ ପୁଣି ସ୍ମରଣ କରିଛନ୍ତି ଓ ତାଙ୍କ ବକ୍ତବ୍ୟ ଉଦ୍ଧାର କରି ବିଜେଡି ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନବୀନ ବିଜେଡିର ଉତ୍ତରାଧିକାରୀ ସଂପର୍କରେ ଜାତୀୟ ଗଣମାଧ୍ୟମରେ ବିବୃତି ରଖିସାରିଛନ୍ତି। ଦଳରୁ ହିଁ ନେତା ବିଜୁ ଜନତା ଦଳକୁ ଆଗକୁ ବଢାଇବେ େବାଲି କହିଛନ୍ତି। ଆଜି ଏହା ଆଉ ପାଦେ ଆଗକୁ ବଢିଛି।

ସମ୍ବନ୍ଧିତ ଖବର