ଭୁବନେଶ୍ୱର: ଓଡ଼ିଶାର ସାଢ଼େ ୪ କୋଟି ଲୋକ ଆମର ପରିବାର। ସେମାନେ ଆମକୁ ଦେଇଥିବା ଦାୟିତ୍ୱକୁ ନମ୍ରତାର ସହିତ ପାଳନ କରୁଛୁ ବୋଲି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଗୁରୁବାର କହିଛନ୍ତି। ଦଳର ୨୩ତମ ପ୍ରତିଷ୍ଠା ଦିବସକୁ ସମ୍ବୋଧିତ କରି ନବୀନ କହିଛନ୍ତି, ନିର୍ବାଚନରେ ଜିତିବା ଆମର ଲକ୍ଷ୍ୟ ନୁହେଁ, ଲୋକଙ୍କ ବିକାଶ ଆମର ଲକ୍ଷ୍ୟ। ସାଢ଼େ ୪ କୋଟି ଭାଇଭଉଣୀ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ସାଧୁତାର ସହ ପାଳନ କରିଆସୁଛୁ। ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ଏଥି ପାଇଁ ଆମେ ୩୬୫ ଦିନ କାମ କରୁଛୁ । ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି।
ଏହି ଅବସରରେ ନବୀନ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ଗାନ୍ଧିଜୀଙ୍କୁ ସେବା ମନୋଭାବର ବିକାଶ ଓ ଆଦର୍ଶ ପାଇଁ ସମସ୍ତେ ଜାଣନ୍ତି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ସେବା ପାଇଁ ଓ ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ ଏକ ଆନ୍ଦୋଳନ ଆଣିଛି । ଏହି ଆନ୍ଦୋଳନ ଆଗକୁ ବି ଜାରି ରହିବ ।
/sambad/media/post_attachments/wp-content/uploads/2019/11/Naveen-Patnaik-moneytroll.jpg)
ବିଜେଡି ପ୍ରତିଷ୍ଠା ଦିବସରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦଳର ମୁଖିଆ ନବୀନ ବାବୁ ପ୍ରସ୍ତାବ ଦେଇଛନ୍ତି। ଜଣେ ଉଦାର ଓ ବିଶାଳ ଦୃଦୟ ସଂପନ୍ନ ନବୀନ ଓଡ଼ିଆ ମା’ ଓ ଭଉଣୀଙ୍କୁ ଭଲ ପାଆନ୍ତି। ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ଭଲ ପାଆନ୍ତି। ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ନବୀନ ସଂକଳ୍ପ ନେଇଛନ୍ତି। ଆମେ ସମସ୍ତେ ଏକାଠି ହୋଇ କାମ କଲେ ଓଡ଼ିଶା ଅଗ୍ରସର ହେବ। । ନବୀନବାବୁ ଯେତେବେଳେ ନେତୃତ୍ୱ ନେଇଥିଲେ ସେହି ସମୟରେ ବହୁ ଅସୁବିଧା ଥିଲା। ମାତ୍ର ଆଜି ତାଙ୍କର ନେତୃତ୍ୱରେ ରାଜ୍ୟର ବିକାଶ ହୋଇଛି। ସେ କ୍ରମାଗତ ଭାବେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ସମଗ୍ର ଭାରତରେ ଲୋକପ୍ରିୟ ନେତା ହୋଇପାରିଛନ୍ତି।
ପ୍ରତିଷ୍ଠା ଦିବସ ସମାରୋହରେ ପ୍ରାରମ୍ଭିକ ଭାଷଣ ଦେଇ ଦଳର ସାଧାରଣ ସଂପାଦକ ସଂଜୟ ଦାସ ବର୍ମା କହିଛନ୍ତି, ବିଜୁ ଜନତା ଦଳ ୧୯୯୭ରେ ପ୍ରତିଷ୍ଠା ହୋଇଥିଲା। ବିଗତ ୨୩ ବର୍ଷ ମଧ୍ୟରେ ବିଜେଡି ସରକାର ରାଜ୍ୟର ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସମଗ୍ର ଭାରତବାସୀ ପ୍ରଶଂସା କରୁଛନ୍ତି। ନବୀନଙ୍କ ନେତୃତ୍ୱରେ ଓଡ଼ିଶା ବିକାଶଶୀଳ ରାଜ୍ୟ ଭାବେ ଉଭା ହୋଇପାରିଛି। ନବୀନ ସାଢ଼େ ୪ କୋଟି ଲୋକଙ୍କର ମୁହଁରେ ହସ ଫୁଟାଇଛନ୍ତି।
ଏହି ସମାରୋହରେ ବରିଷ୍ଠ ବିଜେଡ଼ି ନେତା ଅରୂପ ପଟ୍ଟନାୟକ, ବିଧାୟକ ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରି ଦଳର ସୁପ୍ରିମୋଙ୍କ ନେତୃତ୍ବ ବଳରେ ବିଜେଡି କିଭଳି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ ଭାଜନ ହୋଇପାରିଛି ତାହା ବର୍ଣ୍ଣନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Naveen-yojana_Thumb.jpg)