ପୁରୀ : ପବିତ୍ର ଶଙ୍ଖକ୍ଷେତ୍ରରୁ ଆଜି ବିଜେଡି ୨୦୨୪ ନିର୍ବାଚନ ପାଇଁ ଶଙ୍ଖନାଦ କରିଛି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ନବୀନଙ୍କ ୨୫ ବର୍ଷ ରାଜନୀତିର ସଫଳତା ବଖାଣିଥିଲେ। ରାଜ୍ୟରେ ବିଜେଡି ସୁଶାସନର ମଞ୍ଜି ବୁଣିବା ସହ ଦାରିଦ୍ର୍ୟ, ଅନାହାର ମୃତ୍ୟୁ ଭଳି ଦୁର୍ଦ୍ଦଶାରୁ ମୁକ୍ତ କରିଛି ବୋଲି ନେତାମାନେ ଦାବି କରିଛନ୍ତି। ସେ ୧୯୯୯ ମହାବାତ୍ୟା ହେଉ କି ଅନ୍ୟ ପ୍ରାକୃତିକ ଦୁର୍ବିପାକ, ସବୁର ଦୃଢ଼ ମୁକାବିଲା କରିବା ସହ ଲୋକଙ୍କ ପାଇଁ ସାହାରା ସାଜି ବଞ୍ଚିବାର ବାଟ ଦେଖାଇଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Advertisment

publive-image

ବିଜେଡିର ସଭାସ୍ଥଳରେ ଅତିଥିଙ୍କ ପାଇଁ ତିନିଟି ମଞ୍ଚର ବ୍ୟବସ୍ଥା କରାଯାଇଥିଲା। ମଝିରେ ମୁଖ୍ୟ ମଞ୍ଚ ଓ ଦୁଇପାର୍ଶ୍ବରେ ଆଉ ଦୁଇଟି ମଞ୍ଚ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସୋମବାର ଅପରାହ୍ଣ ପ୍ରାୟ ୧୨ଟା ୧୫ରେ ସିଧାସଳଖ କାରରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଏହାର ଦୁଇଘଣ୍ଟା ପୂର୍ବରୁ ଅର୍ଥାତ୍‌ ପୂର୍ବାହ୍ନ ୧୦ଟାରୁ ସଭା ଆରମ୍ଭ ହୋଇଯାଇଥିଲା। ମୁଖ୍ୟ ମଞ୍ଚରେ ବସିଥିବା ଅତିଥିଙ୍କୁ ଛାଡ଼ି ଅନ୍ୟ ଅତିଥିମାନେ ଏହି ସମୟରେ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟ ମଞ୍ଚରେ ବସିଥିବା ବରିଷ୍ଠ ନେତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।

publive-image

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଲେ, ବିଜୁ ବାବୁଙ୍କୁ ସ୍ବପ୍ନର ଓଡ଼ିଶା ଗଠନ ପାଇଁ ବିଜେଡି ଗଠନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଆଜି ସବୁ କ୍ଷେତ୍ରରେ ସଫଳତାର ଶିଖର ଛୁଇଁଛି। ଓଡ଼ିଶା ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଆଜି ହେଉଛି ଆତ୍ମସମୀକ୍ଷା ଓ ସଂକଳ୍ପର ଦିବସ। ଏକ ସୁଖୀ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ଏବଂ ଜାତିର ସ୍ବାଭିମାନ ରକ୍ଷା କରିବା ସହ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ବିଜୁବାବୁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହାକୁ ଆଧାର କରି ନବୀନବାବୁଙ୍କ ନେତୃତ୍ବରେ ୨୫ ବର୍ଷ ହେଲା ଦଳ ଆଗକୁ ବଢ଼ୁଛି। ଜନ୍ମ ଦିନ ପାଳନ ବେଳେ ନୂତନ ପିଢ଼ି କେବେ ବି ଏହି ସଂକଳ୍ପକୁ ଭୁଲିବା ଉଚିତ ନୁହେଁ।

ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଲେ ଯେ ସେଦିନ ବିଜୁବାବୁଙ୍କ ଅବର୍ତ୍ତମାନରେ ଓଡ଼ିଶାରେ ଯେଉଁ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଥିଲା, ସମୟର ଆହ୍ବାନରେ ନବୀନବାବୁ ତାଙ୍କ ବଳିଷ୍ଠ ନେତୃତ୍ବ ମାଧ୍ୟମରେ ତାହା ପୂରଣ କରିଛନ୍ତି ଏବଂ ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ଜିତାଇ ତାଙ୍କ ପ୍ରିୟ ନେତାଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ଯେ ୧୯୯୨ ମସିହାରେ ପ୍ରଥମେ ବିଜୁବାବୁ ପଞ୍ଚାୟତ ସ୍ତରରେ ୩୩% ଆସନ ସଂରକ୍ଷଣ କରି ମହିଳାମାନଙ୍କୁ ରାଜନୀତିରେ ନେତୃତ୍ବ ନେବା ଲାଗି ସୁଯୋଗ ଦେଇଥିଲେ। ନବୀନବାବୁ ଏହି ଧାରାକୁ ଆଗକୁ ନେଇ ୫୦% ଆସନରେ ମହିଳାଙ୍କୁ ସୁଯୋଗ ଦେଇଛନ୍ତି। କେବଳ ସେତିକି ନୁହେଁ, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମା’ମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଯୋଗାଇ ଦେଇଛନ୍ତି।

publive-image

ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ କହିଲେ, ମୁଖ୍ୟମନ୍ତ୍ରୀଙ୍କଠାରୁ ମୁଁ ଗୋଟିଏ କଥା ଶିଖିଛି, ‘କଥା କମ, କାମ ବେଶି’। ତାଙ୍କର ଏହି ଆଦର୍ଶକୁ ଆମେ ଅନୁସରଣ କରିବା ଉଚିତ। ୨୫ ବର୍ଷ ତଳେ ଜନ୍ମ ନେଇଥିବା ବିଜୁ ଜନତା ଦଳର ତୁଳନା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ଏହି ୨୫ ବର୍ଷ ଭିତରେ ଅନାହାର ମୃତ୍ୟୁ ଓ ଦାରିଦ୍ର୍ୟକୁ ଅତିକ୍ରମ କରିଛି। ବାତ୍ୟା, ବନ୍ୟାକୁ ସଫଳତାର ସହ ମୁକାବିଲା କରି ବିଶ୍ବ ସ୍ତରରେ ପ୍ରଶଂସା ସାଉଁଟିଛି। ମୁଖ୍ୟମନ୍ତ୍ରୀ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଭାରତକୁ ବିଶ୍ବଗୁରୁ ହେବାକୁ ହେଲେ, ଓଡ଼ିଶାରୁ ‘ବିବିଧତା ମଧ୍ୟରେ ଏକତା’ର ଗୁରୁମନ୍ତ୍ରକୁ ଆପଣେଇବାକୁ ପଡ଼ିବ। ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ଓଡ଼ିଶାର ଆଦିବାସୀମାନଙ୍କୁ ସଶକ୍ତ କରିବା ପାଇଁ ନବୀନବାବୁଙ୍କ ନେତୃତ୍ବରେ ଆମ ସରକାର ଶିକ୍ଷା କ୍ଷେତ୍ରରେ ବହୁ ଯୋଜନା ହାତକୁ ନେଇଛନ୍ତି। ଆଦିବାସୀଙ୍କ ଭାଷା, ସଂସ୍କୃତି ଓ ପରମ୍ପରାରର ସୁରକ୍ଷା ସାଙ୍ଗକୁ ଆଦିବାସୀଙ୍କ ଜଳ-ଜମି-ଜଙ୍ଗଲର ଅଧିକାରକୁ ସୁନିଶ୍ଚିତ କରିଛନ୍ତି। ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ୨୫ ବର୍ଷ ତଳେ ବିଜୁ ଜନତା ଦଳ ଗଠନର ସ୍ମୃତି ରୋମନ୍ଥନ କରିଥିଲେ।

publive-image

ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ବିଜେଡି ଶାସନକୁ ଆସିଲା ପରେ ଅନେକ ପରିବର୍ତ୍ତନ ଆସିଛି। ବହୁ ପ୍ରାକୃତିକ ଦୁର୍ବିପାକ ଆସିଛି, ଏହା ସତ୍ତ୍ୱେ ଆମେ ସଫଳତାର ସହ ଏହାକୁ ମୁକାବିଲା କରିଛୁ। ପୂର୍ବରୁ ଆମର ଭାଗୁଆଳି ଚିନ୍ତାଧାରା ଥିଲା, କିନ୍ତୁ ଆମେ ଭାଗ ଛାଡ଼ି ଏବେ ନିଜେ ଲଢ଼ୁଛୁ ଓ ଆଉ ସଫଳତା ପାଇଛୁ। ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ, ୨୦୦୦ ମସିହାରେ ରାଜ୍ୟର ଉନ୍ନୟନ ପାଣ୍ଠି ଅତି ନଗଣ୍ୟ ଥିଲା। ଆଜି ଏହା ୧ଲକ୍ଷ ୯ହଜାର କୋଟିରେ ପହଞ୍ଚିଛି। ଚାଷୀ ଆଜି ଶୂନ ପ୍ରତିଶତ ସୁଧରେ ଋଣ ପାଉଛି। ବିଧାୟକ ଅରୁଣ କୁମାର ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିହ୍ନ ହେଉଛି ନ୍ୟାୟ, ସତ୍ୟ, ବିଜୟର ଚିହ୍ନ। ମହାପ୍ରଭୁ ପବିତ୍ର ଶଙ୍ଖକ୍ଷେତ୍ର ମାଟିରୁ ବିଜେଡି ଶଙ୍ଖନାଦ କରିଥିଲା। ଆଗାମୀ ଅନେକ ଦଶନ୍ଧି ଧରି ବି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳର ଏହି ଶୁଭ ଶଙ୍ଖ ନାଦ ଶୁଭିବ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ୭୦ ଦଶକରେ ବିଜୁ ବାବୁ ଓଡ଼ିଶା ପାଇଁ ଆର୍ଥିକ ସ୍ବାଧୀନତାର ସ୍ବପ୍ନ ଦେଖୁଥିଲେ। ଆଜି ତାହା ପୂରଣ ହୋଇଛି। ବିଭିନ୍ନ ପ୍ରତିକୂଳ ସ୍ଥିତିରେ ଦଳ ସେବା କରିବାରେ ୧ ନମ୍ବର ହୋଇଛି। ସାଂସଦ ସସ୍ମିତ ପାତ୍ର କହିଥିଲେ, ୧୦ ବର୍ଷରେ କେନ୍ଦ୍ର ଆମଠାରୁ ୨ଲକ୍ଷ କୋଟି ନେଇଛନ୍ତି। କିନ୍ତୁ ପ୍ରତି ବଦଳରେ ଦେଇଛନ୍ତି ମାତ୍ର ୨୦ହଜାର କୋଟି। ଆଉ ୧ଲକ୍ଷ ୮୦ହଜାର କୋଟି କୁଆଡ଼େ ‌ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

publive-image

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପଦ୍ମନାଭ ବେହେରା, ପ୍ରତାପ ଜେନା, ସ୍ନେହଙ୍ଗିନୀ ଛୁରିଆ, ବ୍ୟୋମକେଶ ରା‌ୟ, ଦେବୀ ରଞ୍ଜନ ତ୍ରିପାଠୀ ଓ ରମେଶ ମାଝୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଜେଡି ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବିଜେଡି ନେତା ଲେନିନ୍ ମହାନ୍ତି ଓ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆକାଶ ଦାସନାୟକ ଓ ଶ୍ରୀମୟୀ ମିଶ୍ର ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ସାଂସଦ ମୁନା ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ।