ପୁରୀ : ପୁରୀ ତାଳବଣିଆ ପଡ଼ିଆରେ ବିଜେଡି ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏଥିରେ ସାରା ରାଜ୍ୟର ୪୦ ହଜାର ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଏକାଠି କରିବ ବିଜେଡି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଦଳର ସବୁ ମନ୍ତ୍ରୀ, ସାଂସଦ, ବିଧାୟକ ଉପସ୍ଥିତ ରହିବେ। ଏଥି ପାଇଁ ବିଜେଡି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ତାଳବଣିଆରେ ଟେଣ୍ଟ ବାନ୍ଧିବା କାମ ବି ଆରମ୍ଭ ହୋଇସାରିଛି। ସେପଟେ ପ୍ରତିଷ୍ଠା ଦିବସ ପୂର୍ବପ୍ରସ୍ତୁତି ପାଇଁ ବହୁ ମନ୍ତ୍ରୀ, ବିଧାୟକ, ବରିଷ୍ଠ ନେତା ଏବେଠୁ ପୁରୀରେ ଡେରା ପକାଇବା ସହ ଆଜି ତାଳବଣିଆ ପଡ଼ିଆ ବୁଲି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।
ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ଦେଇ ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କହିଥିଲେ, ବିଜେଡିର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଡିସେମ୍ବର ୨୬ରେ ବ୍ୟାପକ ଆୟୋଜନ କରାଯାଇଛି। ବିଜୁ ଜନତା ଦଳର କର୍ମକର୍ତ୍ତା ଏହି ସମାରୋହରେ ଯୋଗଦେବେ। ପୁରୀ ତାଳବଣିଆ ପଡ଼ିଆଠାରେ ଏହି ସମାରୋହର ଆୟୋଜନ କରାଯିବ। ସକାଳ ୯ଟାରୁ ପଞ୍ଜୀକରଣ ପରେ ପୂର୍ବାହ୍ଣ ୧୦ଟାରେ ସଭା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏଥିରେ ଉଦ୍ବୋଧନ ଦେବେ। ରାଜ୍ୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ବ୍ଲକ୍, ପଞ୍ଚାୟତ କର୍ମକର୍ତ୍ତା, ବିଜୁ ଛାତ୍ର, ଯୁବ, ମହିଳା, ଶ୍ରମିକ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ କର୍ମକର୍ତ୍ତା ଯୋଗଦେବେ। ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ସହରାଞ୍ଚଳ ପ୍ରତିନିଧି ବି ଯୋଗଦେବେ। ସମବାୟ ନିର୍ବାଚନରେ ଲଢ଼ି ଜିତିଥିବା ପ୍ରତିନିଧିମାନେ ଯୋଗଦେବେ। ୪୦ହଜାରରୁ ଅଧିକ କର୍ମକର୍ତ୍ତା ଏଥିରେ ଯୋଗଦେବେ ବୋଲି ପୂର୍ବ ଆକଳନ କରାଯାଇଛି।
ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର। ଏହି ପବିତ୍ର କ୍ଷେତ୍ରରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଥିଲେ, ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୩୦ଟି ଜିଲ୍ଲାରେ ୩୦ ଜିଲ୍ଲା ପରିଷଦ ଦଖଲ କରିଛି। ପୌରାଞ୍ଚଳର ୮୦ ଭାଗ ଆସନ ଦଖଲ କରିଛି। ଏହା ବିଜେଡି ପ୍ରତି ଜନସାଧାରଣଙ୍କ ଲୋକପ୍ରିୟତାର ପ୍ରତିଫଳନ। ଡିସେମ୍ବର ୨୬ ତାରିଖରେ ଆୟୋଜିତ ସମାରୋହ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟା ସୁଦ୍ଧା ଶେଷ ହେବ। ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଓ ଦିଗଦର୍ଶନରେ ବିଜେଡି ରାଜ୍ୟରେ ୨୫ ବର୍ଷ ଧରି ଶାସନ କରୁଛି। ବିଜୁ ଜନତା ଦଳ ଆଞ୍ଚଳିକ ଦଳ ଭାବେ ସାଧାରଣ ଲୋକଙ୍କ ଯେଉଁଭଳି ସେବା କରୁଛି, ସାଂଗଠନିକ କାର୍ଯ୍ୟକୁ ଆଗେଇ ନେଇଛି, ଗତ ଜିଲ୍ଲା ପରିଷଦ ନିର୍ବାଚନରେ ତାର ପ୍ରତିଫଳନ ଦେଖିବାକୁ ମିଳିଛି।
ବିଜେଡି ପୁରୀ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି କହିଛନ୍ତି, ବିଜୁ ଜନତା ଦଳ ଆଜି ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପ୍ରତିଷ୍ଠିତ। ଆସନ୍ତା ଡିସେମ୍ବର ୨୬ରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ସମସ୍ତ ଛାମୁଆ ସଂଗଠନ, ପଦାଧିକାରୀମାନେ ଯୋଗଦେବେ। ବିଜୁ ଜନତା ଦଳ ଯଦି କୌଣସି ନୂଆ କାମ ହାତକୁ ନେଇଛି, ତାହା ପବିତ୍ର ଶ୍ରୀକ୍ଷେତ୍ର ମାଟିରୁ ଆରମ୍ଭ କରିଛି। ବିଜୁ ଜନତା ଦଳ ୨୦ ବର୍ଷ ପୂର୍ତ୍ତି ବି ଏହିଠାରେ ପାଳନ କରିଥିଲା। ଆଜି ୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ତାଳବଣିଆ ପଡ଼ିଆରେ ପ୍ରତିଷ୍ଠା ସମାରୋହ ପ୍ରସ୍ତୁତିର ସମୀକ୍ଷା କରିଥିଲେ।