ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଏକ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୧ଟି ଆସନକୁ କବ୍‌ଜା କରିଛି ବିଜେପି। କେବଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ହିଂଜିଳି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ସମ୍ମାନ ରକ୍ଷା କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ଗଡ଼ ରକ୍ଷା କରି ସାନଖେମୁଣ୍ଡିରୁ ପୁଣିଥରେ ବିଜୟୀ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଦୁଇଟି ଯାକ ଲୋକସଭା କ୍ଷେତ୍ର ବ୍ରହ୍ମପୁର ଓ ଆସିକା ଆସନକୁ ମଧ୍ୟ କବ୍‌ଜା କରି ନେଇଛି ବିଜେପି। ବ୍ରହ୍ମପୁର ‌ଲୋକସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଦ୍ବିତୀୟ ଓ କଂଗ୍ରେସ ପ୍ରାର୍ଥୀ ରଶ୍ମି ରଂଜନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଆସିକା ଲୋକସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ରଂଜିତା ସାହୁ ଦ୍ବିତୀୟ ଓ କଂଗ୍ରେସ ପ୍ରାର୍ଥୀ ଦେବକାନ୍ତ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ବିଜେପିର ଏକପାଖିଆ ବିଜୟ ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।

Advertisment

୧୩ରୁ ୧୧ ବିଧାନସଭା ଆସନ ବିଜେପି ଦଖଲରେ
ଦୁଇ ଲୋକସଭା ଆସନ ମଧ୍ୟ କବ୍‌ଜା କଲା
ହିଂଜିଳିରେ ନବୀନଙ୍କ ସର୍ବନିମ୍ନ ବ୍ୟବଧାନରେ ବିଜୟ
ରମେଶଙ୍କ ମୁଠାରେ ସାନଖେମୁଣ୍ଡି

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୮୦ହଜାର ୨୩୦ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ସେହିପରି ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟ ୫୭ହଜାର ୧୭୩ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା ୭ହଜାର ୮୫୭ ଭୋଟ୍‌ ପାଇଛନ୍ତି। ସେହିପରି ଛତ୍ରପୁରରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ୭୪ହଜାର ୬୨୭ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁବାସ ବେହେରା ୬୩ହଜାର ୩୬୨ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନ ଓ କଂଗ୍ରେସ ପ୍ରାର୍ଥୀ ଭାଗୀରଥି ବେହେରା ୭ହଜାର ୧୨୧ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ବ୍ରହ୍ମପୁରରୁ ବିଜେପି ପ୍ରାର୍ଥୀ କେ. ଅନୀଲ କୁମାର ୫୪ହଜାର ୯୯୭ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ୩୬ହଜାର ୨୮୮ ଭୋଟ୍‌ ପାଇ ଦ୍ବିତୀୟ ଓ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାଶ ୨୪ହଜାର ୬୬୧ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
ଗୋପାଳପୁରରୁ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ୭୦ହଜାର ୮୨୮ ଭୋଟ୍‌ ପାଇ ବିଜୟୀ ହୋଇଥିବା ‌ବେଳେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୬୨ହଜାର ୩୦୧ ଭୋଟ୍‌ ପାଇ ଦ୍ବିତୀୟ ଏବଂ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ସୁନ୍ଦର ସାହୁ ୩ହଜାର ୩୦୯ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଦିଗପହଣ୍ଡିରେ ମଧ୍ୟ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ୭୨ହଜାର ୫୭୨ ଭୋଟ୍‌ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବିପ୍ଳବ ପାତ୍ର ୫୫ହଜାର ୯୨୯ ଭୋଟ୍‌ ପାଇ ଦ୍ବିତୀୟ ଓ କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ୧୦ହଜାର ୫୩ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଚିକିଟିରେ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରା ୬୯ହଜାର ୬୪୪ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଦ୍ବିତୀୟ ଏବଂ କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୋଲସରାରେ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଦ୍ବିତୀୟ ଓ କଂଗ୍ରେସ ପ୍ରାର୍ଥୀ ଅଗସ୍ତି ବରାଡ଼ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି କବିସୂର୍ଯ୍ୟନଗରରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନ ଦ୍ବିତୀୟ ଓ କଂଗ୍ରେସ ପ୍ରାର୍ଥୀ ସଂଜୟ କୁମାର ମଣ୍ଡଳ ତୃତୀୟ ସ୍ଥାନରେ ରହିଛନ୍ତି। ଭଞ୍ଜନଗରରୁ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ୮୩ହଜାର ୮୨୨ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୬୭ହଜାର ୬୯୮ ଭୋଟ୍‌ ପାଇ ଦ୍ବିତୀୟ ଓ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ ୫ହଜାର ୧୩୬ ତୃତୀୟ ସ୍ଥାନରେ ରହିଛନ୍ତି। ଆସିକାରୁ ବିଜେପି ପ୍ରାର୍ଥୀ ସରୋଜ ପାଢ଼ୀ ୫୯ହଜାର ୮୩ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ମଂଜୁଳା ସ୍ବାଇଁ ଦ୍ବିତୀୟ ଓ କଂଗ୍ରେସ ପ୍ରାର୍ଥୀ ସୁରଭି ବିଷୋୟୀ ତୃତୀୟ ସ୍ଥାନରେ ରହିଛନ୍ତି। ସୋରଡ଼ାରେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ୮୩ହଜାର ୬୨୫ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ସ୍ବାଇଁ ୫୫ହଜାର ୪୦୧ ଭୋଟ୍‌ ପାଇ ଦ୍ବିତୀୟ ଓ କଂଗ୍ରେସ ପ୍ରାର୍ଥୀ ହରିକୃଷ୍ଣ ରଥ ୭ହଜାର ୪୭୮ ଭୋଟ୍‌ ପାଇ ତୃତୀୟ ସ୍ଥାନର ଅଧିକାର କରିଛନ୍ତି। ଏହା ସହିତ ହିଂଜିଳି ନିର୍ବାଚନମଣ୍ଡଳୀରୁ ବିଜେଡିର ଜଣେ ମାତ୍ର ପ୍ରାର୍ଥୀ ଭାବେ ନବୀନ ୬୬ହଜାର ୩୫୮ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଶିଶିର କୁମାର ମିଶ୍ର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ସହିତ କଂଗ୍ରେସ ପ୍ରାର୍ଥୀ ରମେଶ ୬୫ହଜାର ୮୬୭ ଭୋଟ୍‌ ପାଇ ନିଜର ଗଡ଼ ରକ୍ଷା କରି ଏଥର ମଧ୍ୟ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ରହିଥିବା ବିଜେଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ୫୫ହଜାର ୨୦୫ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ ୨୨ହଜାର ୩୯୬ ଭୋଟ୍‌ ପାଇଛନ୍ତି।