ସମ୍ବଲପୁରକୁ ବିଜେଡି ଦେଲା ମନ୍ତ୍ରୀ, ବଲ୍‌ ଏବେ ବିଜେପି କୋର୍ଟରେ

ସମ୍ବଲପୁର : ବହୁଦିନର ଅସୁସ୍ଥତା କାରଣରୁ ବିଧାନସଭାରେ ବିଜେପି ବିଧାୟକ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ଅନୁପସ୍ଥିତି ଅନୁଭବ ହେଉଛି। ଖୋଦ୍ ଏକଥା ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ ସମୟରେ ଦଳୀୟ ନେତୃବର୍ଗଙ୍କୁ ଭେଟି ଜଣାଇଛନ୍ତି। ପ୍ରଦୀପ୍ତ ନାଏକଙ୍କ ଜାଗାରେ ଅନ୍ୟ ଜଣେ ବିଧାୟକଙ୍କୁ ବିରୋଧୀ ଦଳର ନେତା ଦାୟିତ୍ବ ଦେବାକୁ ପ୍ରସ୍ତାବ ଦିଆଯାଇଥିବା ଜଣାଯାଇଛି। ଏବେ କାହାକୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତ ଥର ଏହି ଗୁରୁତ୍ବପୂର୍ଣ୍ଣ ପଦରୁ ଅଳ୍ପକେ ବଂଚିତ ହୋଇଥିବା ସମ୍ବଲପୁରର ଚାରିଥରିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କ ଭାଗ୍ୟ ଫିଟିବ ନା ଏଥର ବି ପୂର୍ବ ଭଳି ସ୍ଥିତି ହେବ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର। ତଥାପି, ଗତ ୨ ଥର ମନ୍ତ୍ରିମଣ୍ଡଳ ଗଠନ ସମୟରେ ସମ୍ବଲପୁର ଜିଲ୍ଲାର କୌଣସି ବିଧାୟକଙ୍କୁ ସ୍ଥାନ ମିଳିନଥିଲା। ନିକଟରେ ମନ୍ତ୍ରିମଣ୍ଡଳର ନବ କଳେବରରେ ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିଛି। ବିଜେଡି ସରକାର ଅମଳରେ ରୋହିତଙ୍କ ପୂର୍ବରୁ ରେଢ଼ାଖୋଲର ତତ୍କାଳୀନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ଓ ଅର୍ଥ ବିଭାଗର ମନ୍ତ୍ରୀ ପଦ ମିଳିଥିଲା। ଏପରିକି ତାଙ୍କ ପୂର୍ବରୁ ରେଢ଼ାଖୋଲ ଉପନିର୍ବାଚନରେ ଜିତିଥିବା ବିଧାୟକ ସନାତନ ବିଶିଙ୍କୁ କିଛି ଦିନ ପାଇଁ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଥିଲା। ତେବେ, ଏହା ପରେ ରାଜ୍ୟର ବିଜେଡି ସରକାରରେ ସମ୍ବଲପୁର ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିନଥିଲା। ଏହାକୁ ନେଇ ସମ୍ବଲପୁର ଜିଲ୍ଲାର ବିଜେଡି କର୍ମୀ ଓ ସମର୍ଥକଙ୍କ ସହିତ ଜନସାଧାରଣଙ୍କ ମଧ୍ୟରେ ବି ଅସନ୍ତୋଷ ରହିଥିଲା। ଜନଭାବନା ସମ୍ମାନ ଜଣାଇବା ପାଇଁ ପରିଶେଷରେ ମୁଖ୍ୟମନ୍ତ୍ରୀ ରେଢ଼ାଖୋଲର ଦୁଇଥରିଆ ବିଧାୟକ ଇଂ. ପୂଜାରୀଙ୍କୁ ମନ୍ତ୍ରୀ କରିଛନ୍ତି। ତେବେ, ବିଜେପି ପାଇଁ ବି ସମ୍ବଲପୁର ଜିଲ୍ଲା ବେଶ୍ ଗୁରୁତ୍ବ ବହନ କରେ। ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ସମ୍ବଲପୁର ନିର୍ବାଚନମଣ୍ଡଳିର ଲୋକେ ୪ଥର ବିଧାନସଭା କ୍ଷେତ୍ରକୁ ପଠେଇଲେଣି।

Outlook India

ସମ୍ବଲପୁର ଜିଲ୍ଲାବାସୀଙ୍କ ବ୍ୟାପକ ସମର୍ଥନ ଯୋଗୁ ବିଜେପି ନେତା ନିତେଶ ଗଂଗଦେବ ଏଥର ଲୋକସଭାକୁ ଯାଇଛନ୍ତି। କୁଚିଣ୍ଡା ବିଧାନସଭା କ୍ଷେତ୍ରର ଲୋକେ ରବି ନାଏକଙ୍କୁ ବି ୩ ଥର ବିଧାନସଭାକୁ ପଠେଇଥିଲେ। ଯଦିଓ, ଚଳିତ ବିଧାନସଭା ନିର୍ବାଚନରେ ସେ ଅଳ୍ପକେ ହାରିଯାଇଛନ୍ତି। ଜିଲ୍ଲାର ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର ରେଂଗାଲିରୁ ଏଥର ଅନ୍ୟତମ ବରିଷ୍ଠ ବିଜେପି ନେତା ନାଉରୀ ନାୟକ ବିଧାନସଭାକୁ ଯାଇଛନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ସହିତ ତୃତୀୟ ସ୍ଥାନରେ ରହିବା ପରେ ବିଜେପି ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ଲାଭ କରିଛି। ବରିଷ୍ଠତା ଓ ରାଜନୈତିକ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଜୟ ନାରାୟଣ ବିରୋଧୀ ଦଳର ନେତା ଦୌଡ଼ରେ ଆଗରେ ରହିଥିଲେ। ହେଲେ, ପ୍ରଦୀପ୍ତ ନାଏକଙ୍କୁ ଏହି ପଦ ମିଳିଥିଲା। ଏବେ ବିରୋଧୀ ଦଳ ନେତା ଚୟନ ପାଇଁ ବିଚାର ମନ୍ଥନ ଆରମ୍ଭ ହୋଇଥିବା ବେଳେ ପୁଣି ସେଭଳି ଚର୍ଚ୍ଚା ହେଉଛି। ହେଲେ, ଜୟନାରାୟଣଙ୍କ ସ୍ବାସ୍ଥ୍ୟଗତ କାରଣ ଏବଂ ତାଙ୍କ ନାମରେ ଥିବା ଅପରାଧିକ ମାମଲାକୁ ପ୍ରସଂଗ କରି ଦଳରେ ଥିବା ତାଙ୍କର କେତେକ ବିରୋଧୀ ଗୋଷ୍ଠୀ ଅନ୍ୟ ବିଧାୟକଙ୍କୁ ଏହି ପଦ ଦେବା ପାଇଁ ଲବି କରୁଥିବା ଜଣାପଡ଼ିଛି। ଅପରପକ୍ଷରେ ଜୟନାରାୟଣଙ୍କ ଆକ୍ରମଣାତ୍ମକ ରାଜନୈତିକ ଆଭିମୁଖ୍ୟ ବି ଏହି ପଦ ପାଇଁ ପ୍ରତିବନ୍ଧକ ସାଜିପାରେ ବୋଲି କହାଯାଉଛି।

ଉଲ୍ଳେଖଯୋଗ୍ୟ ଯେ, ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ କଂଗ୍ରେସ ସରକାର ଅମଳରେ ଗଣତନ୍ତ୍ର ପରିଷଦର ବିଧାୟକ ଥିବା ଶ୍ରଦ୍ଧାକର ସୂପକାର ବିରୋଧୀ ଦଳର ନେତା ଥିଲେ। ଏହା ପରେ ସମ୍ବଲପୁର ଜିଲ୍ଲାର କୌଣସି ବିଧାୟକଙ୍କୁ ବିରୋଧୀ ଦଳର ନେତା ହେବାର ସୌଭାଗ୍ୟ ମିଳିନାହିଁ।

ସମ୍ବନ୍ଧିତ ଖବର