ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥା ବୈଠକ ଆଜି ସଦର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ଶ୍ରୀମତି ନାୟକଙ୍କ ସପକ୍ଷରେ ମାତ୍ର ୧୭ଟି ଭୋଟ୍ ଯାଇଥିବା ବେଳେ ୪୪ଟି ଭୋଟ ତାଙ୍କ ବିପକ୍ଷରେ ଯାଇଥିଲା। ଗୋଟିଏ ଭୋଟ୍ ନାକଚ ହୋଇଥିଲା। ଫଳରେ ଅନାସ୍ଥା ଭୋଟ୍ରେ ବିଜେଡି ସମର୍ଥିତ ଅଧ୍ୟକ୍ଷା ହାରିଯାଇଛନ୍ତି।
ସଦର ତହସିଲଦାର ଲିତୁସ୍ମିତା ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ୩୦ଟି ପଞ୍ଚାୟତର ୬୦ ଜଣ ସରପଞ୍ଚ, ସମିତିସଭ୍ୟଙ୍କ ମଧ୍ୟରୁ କାଇମାଟି ସମିତିସଭ୍ୟ ପ୍ରଶାନ୍ତ ଦେହୁରୀଙ୍କର ପରଲୋକ ହୋଇଯାଇଥିବାରୁ ୫୯ ଜଣଙ୍କ ସମେତ ସଦର ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷନଗର ବିଧାୟକ ଶତ୍ରୁଘନ ଜେନା ଓ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରମୁଖ ୬୨ ଜଣ ଭୋଟ୍ ଦେଇଥିଲେ। ଆନାସ୍ଥା ସପକ୍ଷରେ ୪୪ ଜଣ ମତଦାନ କରିଥିବା ବେଳେ ବିପକ୍ଷରେ ୧୭ ଜଣ ଭୋଟ୍ ଦେଇଥିଲେ। ଗୋଟିଏ ଭୋଟ୍ ନାକଚ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଏବିଡିଓ କିଶୋର କୁମାର ସାହୁ, ସଦର ଜିପିଓ ବିଜୟ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଅନାସ୍ଥାରେ ହାରିଲେ ଅଧ୍ୟକ୍ଷା ରାଜଶ୍ରୀ
ଅନାସ୍ଥା ଫଳାଫଳ ପ୍ରକାଶ ପାଇବା ପରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବିଜେଡି ସାରା ରାଜ୍ୟରେ ଭାଙ୍ଗିଛି। ଧୀରେ ଧୀରେ ବିଜେଡି ପ୍ରତି ଲୋକଙ୍କର ଆସ୍ଥା ଓ ବିଶ୍ୱାସ କମିବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୟସାଧିକ୍ୟ କାରଣରୁ ସଂଗଠନକୁ ଆଉ ସମ୍ଭାଳି ପାରୁନାହାନ୍ତି। ତାଙ୍କ ଦଳର ଦ୍ୱିତୀୟ ପିଢ଼ିର ନେତା ଦଳକୁ ସମ୍ଭାଳିବାକୁ ଆଉ କେହି ଯୋଗ୍ୟ ନାହାନ୍ତି। ସେଥିପାଇଁ ପାଣ୍ଡିଆନ୍ଙ୍କୁ ସେ ବ୍ୟବହାର କରୁଥିଲେ। ଓଡ଼ିଶାବାସୀ ପାଣ୍ଡିଆନ୍ଙ୍କୁ ଖାରଜ/ନାକଚ କରିଦେଇଛନ୍ତି। ବିଜେଡିର ଯେତେ ନେତା ଅଛନ୍ତି ତାଙ୍କ ଭିତରେ ବିଶ୍ୱାସର ଅଭାବ ରହିଛି। ଏ ପ୍ରକାର ବିଶ୍ୱାସ ରଖି ଦଳ ଆଉ ରହିବନାହିଁ। ଏଥିପାଇଁ ତାଙ୍କ ଦଳର ସବୁ କର୍ମୀ ଏବେ ବିଜେପି ମୁହାଁ ହେଉଛନ୍ତି। ଆମେ ମଧ୍ୟ ସେମାନଙ୍କୁ ସ୍ୱାଗତ କରୁଛୁ ବୋଲି ସେ କହିଥିଲେ।
ଅନ୍ୟପଟେ ଏହାର ଜବାବରେ ବିଜେଡିର ମଙ୍ଗ ଧରିଥିବା ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ କୁହନ୍ତି ଯେ, ‘ମୁଁ ଦେଖିଲି ଗୋଟେ ନୂଆ କଥା। ବାହୁବଳୀ, ଗୁଣ୍ଡାଗର୍ଦ୍ଦି କରି ମନ୍ତ୍ରୀଙ୍କ ଗାଡ଼ିରେ ପ୍ରାର୍ଥୀ ବୁହାହୋଇ ଆସିଛନ୍ତି। ତା’ ପରଠାରୁ ଆମେ ଜାଣିଦେଲୁ ଯେ ଆମେ ହାରିବୁ। ସରକାରରେ ଥାଇ ମନ୍ତ୍ରୀଙ୍କ ଗାଡ଼ିରେ ପ୍ରାର୍ଥୀ ବୁହାହୋଇ ଆସିବା ଆଜି ମୁଁ ପ୍ରଥମକରି ଦେଖିଲି। ତେଣୁ ଫଳାଫଳା ଯାହା ହୁଏ। ଅନାସ୍ଥାରେ ହାରିବା ଜିତିବା ଏକ ପକ୍ରିୟା। ଗଛରେ ପତ୍ର ଥିବାବେଳେ ଛାଇପାଇଁ ସମସ୍ତେ ଆସନ୍ତି, ପତ୍ର କମିଗଲେ ଅନ୍ୟ ଗଛ ତଳକୁ ଯାଆନ୍ତି। ଆମ ସରକାରକୁ ଲୋକେ ମାନ୍ୟତା ଦେଇଥିଲେ, ଏବେ ତାଙ୍କୁ ଦେଇଛନ୍ତି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/17/8XorwnrJtfEEIULkz3nh.jpg)