କଟକ : ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନକୁ ଡରୁଛନ୍ତି କି ରାଜ୍ୟ ସରକାର? ନା କଂଗ୍ରେସ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌ଙ୍କୁ ବିଜେଡି ସରକାର ପରୋକ୍ଷ ସୁରକ୍ଷା ଦେଉଛନ୍ତି? ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବେ ବିଭିନ୍ନ ମହଲରେ ଏଭଳି ଚର୍ଚ୍ଚାକୁ ହାୱା ଦେଉଛି।

Advertisment

୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ ମହମ୍ମଦ ମୋକିମ। ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ୩ ହଜାରରୁ ଅଧିକ ଭୋଟରେ ହରାଇଥିଲେ। କିନ୍ତୁ ଏହି ନିର୍ବାଚନ ଫଳାଫଳ ପରଠାରୁ ମୋକିମଙ୍କର ଅଦାଲତୀ ଅଡୁଆ ବଢିବାରେ ଲାଗିଥିଲା। ଗୋଟିଏ ପଟେ ମୋକିମଙ୍କ ବିରୋଧରେ ସତ୍ୟପାଠରେ ତଥ୍ୟ ଲୁଚାଇବା ଅଭିଯୋଗ ଆଣି ତାଙ୍କ ନିର୍ବାଚନକୁ ଖାରଜ କରିବାକୁ ଆବେଦନ କରି ଦେବାଶିଷ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି ଜାରି ରହିଛି। ଅନ୍ୟପଟେ ୨୦୨୨ ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ଓ ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହା ବିରୋଧରେ ମୋକିମ୍ ହାଇକୋର୍ଟକୁ ‌ଗଲେ ଏବଂ ୨୦୨୨ ଅକ୍ଟୋବର ୧୯ ତାରିଖରେ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ପି. ରାଉତରାୟ ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ। ଫଳରେ ବିଧାନସଭା ସଭ୍ୟ ପଦ ହରାଇବାରୁ ମୋକିମ୍ ବର୍ତ୍ତି ଗଲେ। କିନ୍ତୁ ହାଇକୋର୍ଟଙ୍କ ଏହି ରାୟକୁ ଇତିମଧ୍ୟରେ ୪୫ରୁ ଅଧିକ ଦିନ ବିତି ଯାଇଥିଲେ ବି ଭିଜିଲାନ୍ସ ବିଭାଗ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯାଇନାହିଁ। ତଥ୍ୟ ଅନୁଯାୟୀ ଭିଜିଲାନ୍ସର ଏ ସଂପର୍କିତ ଆବେଦନ ଏବେ ଆଇନ ମନ୍ତ୍ରାଳୟର ଅନୁମୋଦନ ଅପେକ୍ଷାରେ ରହିଛି।

publive-image Bharat Times

କିନ୍ତୁ ଏହି ମାମଲାର ଘଟଣାକ୍ରମକୁ ସମୀକ୍ଷା କଲେ ଏଥିରେ ସରକାରୀସ୍ତରରେ ଉଦାସୀନତା ଆଉ ଶିଥିଳତା ଯୋଗୁଁ ମୋକିମ୍ ସୁରକ୍ଷା ପାଇ ଚାଲିଥିବା ଅନୁଭବ ହେଉଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ବରିଷ୍ଠ ବିଧାୟକ ଆଜମ୍ ଖାଁଙ୍କ ସଦସ୍ୟ ପଦ ରଦ୍ଦ ହେବା ଘଟଣା ପରିପ୍ରେକ୍ଷୀରେ ମୋକିମ୍‌ଙ୍କ ସଦସ୍ୟତା ରଦ୍ଦ ମାମଲା ଆଲୋଚନାର ପ୍ରସଙ୍ଗ ହୋଇଛି। ଗୋଟିଏ ମାମଲାରେ ଆଜମ୍ ଖାଁ ଦୋଷୀ ସାବ୍ୟସ୍ତ ହେବାର ଠିକ ଦିନକ ପରେ ତାଙ୍କ ସଦସ୍ୟତା ରଦ୍ଦ କରି ଦିଆଗଲା। ଆଜମ୍ ଖାଁ ଯଦିଓ ‌ଏହି ନିଷ୍ପତ୍ତି ବିରୋଧରେ ଉପର କୋର୍ଟରେ ଆବେଦନ କଲେ କିନ୍ତୁ ସୁରକ୍ଷା ପାଇବାରେ ବିଫଳ ହେଲେ। ୨୦୧୩ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଯଦି କୌଣସି ସାଂସଦ ଅଥବା ବିଧାୟକ କୌଣସି ଅଦାଲତରେ ୩ ବ‌ର୍ଷ ଅଥବା ତାଠୁ ଅଧିକ ସମୟ ଜେଲ୍ ଦଣ୍ଡରେ ଦଣ୍ଡିତ ହୁଅନ୍ତି, ତେବେ ତତ୍‌କ୍ଷଣାତ ତାଙ୍କର ସଦସ୍ୟ ପଦ ରଦ୍ଦ ହୋଇଯିବ। ସେହି ଆଧାରରେ ଦେଶର ଅନେକ ବରିଷ୍ଠ ରାଜନେତାଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିବା ବେଳେ ନିକଟରେ ଆଜମ୍ ଖାଁଙ୍କ ସଦସ୍ୟ ପଦ ବି ରଦ୍ଦ ହୋଇଥିଲା।

କିନ୍ତୁ ଏଠାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କ ସଦସ୍ୟତା ରଦ୍ଦ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଭିଜିଲାନ୍ସ କୋର୍ଟରେ ଦଣ୍ଡାଦେଶ ପ୍ରଦାନର ପ୍ରାୟ ୨୦ ଦିନ ପରେ ମୋକିମ ହାଇକୋର୍ଟରୁ ସୁରକ୍ଷା ପାଇଲେ। ଏବେ ହାଇକୋର୍ଟଙ୍କ ରାୟକୁ ୪୫ ଦିନ ବିତି ଯାଇଥିଲେ ବି ଭିଜିଲାନ୍ସ ଏହା ବିରୋଧରେ ସୁପ୍ରିମକୋର୍ଟରେ ଏଯାଏ ଏସ୍‌ଏଲ୍‌ପି (ସ୍ପେଶାଲ ଲିଭ୍ ପିଟିସନ୍‌) ଦାଖଲ କରିପାରୁନାହିଁ। ହାଇକୋର୍ଟର ଆଇନଜୀବୀ ବିଭୂତିଭୂଷଣ ଚୌଧୁରୀ କହିବା ଅନୁଯାୟୀ ଯେ‌ହେତୁ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ଦଣ୍ଡାଦେଶ ଉପ‌ରେ ରହିତାଦେଶକୁ ଭିଜିଲାନ୍ସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା, ତେଣୁ ସାଧାରଣ ଭାବେ ହାଇକୋର୍ଟଙ୍କ ରାୟ ବିରୋଧରେ ଭିଜିଲାନ୍ସ ଆର୍ଟିକିଲ୍ ୧୩୬(୧) ଅନୁଯାୟୀ ସୁପ୍ରିମକୋର୍ଟରେ ୯୦ ଦିନ ଭିତରେ ଏସ୍‌ଏଲ୍‌ପି ଦାୟର କରିବା କଥା। କିନ୍ତୁ ୪୫ ଦିନ ପରେ ବି ଭିଜିଲାନ୍ସ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାୟର କରି ନ ଥିବାରୁ ଆଗକୁ କଣ ହେବ, ତାହା ହୁଏତ ଆଗାମୀ ଦିନରେ ସ୍ପଷ୍ଟ ହେବ।

ଅନ୍ୟପଟେ ସରକାରୀ ସ୍ତରରେ ଏଭଳି ଶିଥିଳ ନିଷ୍ପତ୍ତି ପଛରେ କି ଉଦ୍ଦେଶ୍ୟ ଆଉ ରହସ୍ୟ ରହିଛି, ତାହା ଏବେ ରାଜନୈତିକ ଆଲୋଚନାକୁ ସରଗରମ କରିଛି। ଗୋଟିଏ ପଟେ କଂଗ୍ରେସ ନିଜ ଦଳର ବିଧାୟକ ମୋକିମଙ୍କ ଠାରୁ ହାତ ଝାଡ଼ି ଦେଇଥିବା ବେଳେ ଅନ୍ୟପଟେ ବିଜେଡି ସରକାରର ଏଭଳି ଆଭିମୁଖ୍ୟ ବିଭିନ୍ନ ସମୀକରଣ ଆଉ ଆକଳନକୁ ହାୱା ଦେଉଛି।