ଭୁବନେଶ୍ୱର : ଗତ ଦୁଇ ଦିନ ଧରି ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଠାରୁ କମ୍‌ ନୁହେଁ। କିନ୍ତୁ ରାଜ୍ୟ ସରକାରଙ୍କ ସକ୍ରିୟ ଓ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖାଯାଇପାରିଛି। ଏଥି ଯୋଗୁଁ ବର୍ଷା ବିତ୍ପାତ ଅଞ୍ଚଳଗୁଡ଼ିକ ସ୍ୱାଭାବିକ ପରିସ୍ଥିତିକୁ ଫେରିଆସିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛଇ।

Advertisment

ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନ୍‌ରେ ହୋଇଥିବା ବର୍ଷାର ପରିମାଣ ଠାରୁ ଗତ ଦୁଇ ଦିନର ବର୍ଷାର ପରିମାଣ ଯଥେଷ୍ଟ ଅଧିକ। ବୁର୍ଲାର ହୀରାକୁଦ ଡ୍ୟାମ୍‌ ଅଞ୍ଚଳରେ ସର୍ବାଧିକ ୬୨୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଓଡ଼ିଶାର କୌଣସି ସ୍ଥାନରେ ସର୍ବାଧିକ ବର୍ଷା ହେବାରେ ଏହା ପ୍ରଥମ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। କିନ୍ତୁ ଏପରି ଗୁରୁତର ସ୍ଥିତିକୁ ରାଜ୍ୟ ସରକାର ଦୃଢ଼ତାର ସହ ମୁକାବିଲା କରି ଧନଜୀବନ ହାନିକୁ ରୋକିପାରିଛନ୍ତି। ଭୀଷଣ ବର୍ଷା ସତ୍ତ୍ୱେ ଗମନାଗମନ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇ ନାହିଁ। ଯେଉଁ କେତୋଟି ହାତଗଣତି ସ୍ଥାନରେ ଏପରି ସମସ୍ୟା ଦେଖାଦେଇଥିଲା, ୨୪ ଘଣ୍ଟା ମଧ୍ୟରେ ତାହାର ତ୍ୱରିତ ସମାଧାନ କରାଯାଇଛି। ରାଜ୍ୟ ସରକାର ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଜାରି ରଖିଥିଲା ବେଳେ ବିରୋଧୀ ଦଳର ବୟାନବାଜି ଲୋକଙ୍କ ପ୍ରତି ନିଷ୍ଠୁରତାର ଏକ ଉଦାହରଣ। ଗଣମାଧ୍ୟମ ଜରିଆରେ ବିରୋଧୀ ଦଳ ଯେପରି ଭାବେ ପରିସ୍ଥିତିର ଫାଇଦା ନେବାକୁ ପ୍ରୟାସ କରୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ବିରୋଧୀ ଦଳ ବୟାନବାଜିରୁ ନିବୃତ ରହି ଲୋକଙ୍କ ପାଖରେ ପହଞ୍ଚି ସରକାରଙ୍କ ପ୍ରୟାସକୁ ସହଯୋଗ କରିବା ପାଇଁ ଶ୍ରୀ ନାୟକ ଆହ୍ଵାନ ଦେଇଛନ୍ତି।