ବିଜେଡି ବନ୍ଦ ଡ଼ାକରାରେ ଗଣ୍ଡଗୋଳ : ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା

କଟକ : ବନ୍ଦ ପାଳନ ଆଳରେ ବିଜେଡି କର୍ମୀଙ୍କ ବିଶୃଙ୍ଖଳା, ହିଂସାକାଣ୍ଡ, ଭଙ୍ଗାରୁଜା ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଉତ୍କଳ ଭାରତର ରାଜ୍ୟ ସଭାପତି ଖାରବେଳ ସ୍ୱାଇଁ। ବିଶୃଙ୍ଖଳିତ ବିଜେଡି କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ରାଜ୍ୟବାସୀଙ୍କୁ କ୍ଷମା ମାଗିବା ଏବଂ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ୨୦୧୭, ସେପ୍ଟେମ୍ବର ୧୮ରେ ହରତାଳ ଡାକରା ଦିଆଯାଇଥିଲା। ସେପ୍ଟେମ୍ବର ୧୮ ତାରିଖ ଦିନ ସକାଳ ୭ଟାରୁ ୧୨ ପର୍ଯ୍ୟନ୍ତ ୫ ଘଣ୍ଟା ଧରି ବିଜେଡି ରାଜ୍ୟବ୍ୟାପୀ ହରତାଳ କରିଥିବା ବେଳେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା। ଏପରି ଅସାମ୍ବାଧାନିକ ଓ ବେଆଇନ କାର୍ଯ୍ୟକଳାପ ଯୋଗୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଗାଡିମଟର ଭଙ୍ଗାରୁଜା କରାଯାଇଥିଲା। ଆମ୍ବୁଲାନ୍ସ ଚାଲିବାକୁ ଦିଆଯାଇ ନଥିଲା। ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ପରୀକ୍ଷା ମଧ୍ୟ କେତେକ ସ୍ଥାନରେ ଘୁଞ୍ଚିଥିଲା। ଏହା ସତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ହରତାଳ ସମୟରେ ସମ୍ବିଧାନର ଧାରା ୧୪ ଓ ୧୯ ରେ ପ୍ରଦାନ କରାଯାଇଥିବା ମୌଳିକ ଅଧିକାର ଉଲ୍ଲଘଂନ ହୋଇଥିବା ସ୍ପଷ୍ଟ ହୋଇଥିଲା। ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଭିନ୍ନ ରାୟରେ ବନ୍ଦ୍‌ କିମ୍ବା ହରତାଳ ସମୟରେ ମୌଳିକ ଅଧିକାର ଯେପରି କ୍ଷୁଣ୍ଣ ନ ହେବ ତା’ ଉପରେ ଗୁରୁତ୍ୱାରୋପ କରିଛନ୍ତି। କିନ୍ତୁ ହରତାଳ ସମୟରେ ଏପରି ଆଦେଶ ଉଲ୍ଳଘଂନ କରାଯାଇଥିଲା। ପୂର୍ବରୁ ୨୦୧୦, ଜୁଲାଇ ୫ର ବନ୍ଦ ଡାକରାକୁ ଅସିଦ୍ଧ ଘୋଷଣା ପାଇଁ ଉତ୍କଳ ଭାରତ ପକ୍ଷରୁ ରାଜ୍ୟ ସଂପାଦକ କାମିଲୁଦ୍ଦିନ ଅହମ୍ମଦ ଏକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାୟର କରିଥିଲେ।

ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ବିଜେଡି ପକ୍ଷରୁ ସାଂସଦ ନରେନ୍ଦ୍ର ସ୍ୱାଇଁ ଏକ ସତ୍ୟପାଠ ଜରିଆରେ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ବନ୍ଦ ନୁହେଁ ବରଂ ଶାନ୍ତିପୂର୍ଣ୍ଣ ଭାବେ ହରତାଳ ପାଳନ କରିବେ। ଏହା ପରେ ଶାନ୍ତିପୂର୍ଣ୍ଣ ହରତାଳ ପାଇଁ ୨୦୧୦, ଜୁଲାଇ ୨ରେ ଅନୁମତି ମିଳିଥିଲା। ତା’ ପରେ ଶାସକ ଦଳ ପକ୍ଷରୁ ହରତାଳ ନାମରେ ବନ୍ଦ ପାଳନ ସମୟରେ କର୍ମୀମାନେ ଅପେକ୍ଷାକୃତ ଭାବେ କମ୍‌ ହିଂସାକାଣ୍ଡ କରିଥିଲେ। ମାତ୍ର ସେପ୍ଟେମ୍ବର ୧୮ ତାରିଖ ଦିନ ରାଜ୍ୟ ସାରା ହିଂସାକାଣ୍ଡ, ପୋଡ଼ାଜଳା, ମାରପିଟ କରାଯାଇଥିଲା। ଶାସକ ଦଳ ପେଟ୍ରୋଲ ଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି ହରତାଳ କରୁଥିବା ବେଳେ ନିଜେ ରାଜ୍ୟ ସରକାର ଏହା ଉପରେ ୨୩ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ଜନସ୍ୱାର୍ଥ ପାଇଁ ହରତାଳ କରିବାକୁ ବିଜେଡିର ଅଧିକାର ନାହିଁ। ମାମଲାରେ ରାଜ୍ୟ ସରକାର ଓ ବିଜେଡିକୁ ପକ୍ଷଭୁକ୍ତ କରାଯାଇଛି। ଏହି ଜନସ୍ୱାର୍ଥ ମାମଲାକୁ ଆଇନଜୀବୀ କ୍ଷୀରେଦ ରାଉତ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର