ତୈଳ ଦର ପ୍ରସଙ୍ଗରେ କେନ୍ଦ୍ରକୁ ଭର୍ତ୍ସନା କଲା ବିଜେଡି

ମାତ୍ରାଧିକ ଟିକସ ଯୋଗୁ ଦର ବଢ଼ିଚାଲିଛି, ଦେଶର ପ୍ରମୁଖ ବିରୋଧୀ ଦଳ ନିରବ ରହିବା ବିଡ଼ମ୍ବନା

ଭୁବନେଶ୍ବର : ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିବା ସହ ଲୋକଙ୍କୁ ପ୍ରତାରଣା କରାଯାଇଛି ବୋଲି ବିଜେଡି ଆରୋପ ଲଗାଇଛି। ତେଲ ଦର କମାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଚେତାବନୀ ଦେଇଛନ୍ତି।

ଶ୍ରୀ ଦାସବର୍ମା କହିଛନ୍ତି ଯେ କରୋନା ମହାମାରୀ ଦେଶର ଅର୍ଥନୀତିକୁ ରସାତଳଗାମୀ କରିସାରିଲାଣି । ଦୁଇ ବର୍ଷ ହେଲା ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଛନ୍ତି ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ବଦଳରେ କୁଠାରଘାତ କରାଯାଉଛି । ବାରମ୍ବାର ତୈଳ (ପେଟ୍ରୋଲ୍ ଓ ଡିଜେଲ) ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ପେଟ୍ରୋଲ ଓ ଡିଜେଲ୍‌ର ମାତ୍ରାଧିକ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି। ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପେଟ୍ରୋଲ୍ ଲିଟର ପିଛା ଦର ୧ଠଠ ଟଙ୍କା ପାର୍ କରିସାରିଲାଣି। ମାତ୍ରାଧିକ ଟିକସ ଯୋଗୁଁ ଦର ବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଏ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେଉ ନାହାନ୍ତି । କେବଳ ମେ’ ମାସରେ ୧୬ ଥର ତୈଳ ଦରରେ ପରିବର୍ତ୍ତନ ହୋଇଥିଲା। ଯଦି ହିସାବ କରାଯାଏ, ତା’ହେଲେ ମାତ୍ର ୫ ସପ୍ତାହରେ ଡିଜେଲ ଦର ୫ ଟଙ୍କା ବଢ଼ିସାରିଲାଣି । ପେଟ୍ରୋଲ୍ ବି ଏହାରି ମଧ୍ୟରେ ୫ ଟଙ୍କା ବଢ଼ିଲାଣି।

ଏଭଳି ଏକ ସମ୍ବେଦନଶୀଳ ବିଷୟକୁ କରୋନା ଆଢ଼ୁଆଳରେ ଚପାଇ ଦିଆଯାଉଛି। ଦେଶର ପ୍ରମୁଖ ବିରୋଧୀ ଦଳ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରସଙ୍ଗରେ ଅସମ୍ଭବ ନୀରବତା ପ୍ରଦର୍ଶନ କରିବା ବିଡ଼ମ୍ବନାର ବିଷୟ । ଆଗାମୀ ଦିନରେ ଏଥିାଇଁ କେନ୍ଦ୍ରରେ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଉତ୍ତରଦାୟୀ ରହିବ। ୨ଠ୧୪ ପୂର୍ବରୁ ଯେତେବେଳେ ପେଟ୍ରୋଲ, ଡିଜେଲ ଦର ବଢ଼ୁଥିଲା, ସେ ସମୟରେ ବିଜେପିର ନେତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ। ଏପରିକି ୨ଠ୧୩ରେ ଦିଲ୍ଲୀର ତତ୍‌କ‌ାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଗତ କେନ୍ଦ୍ର ବଜେଟ୍‌ରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଭାବେ କୃଷି ଭିତ୍ତିଭୂମି ଉନ୍ନତୀକରଣ ସେସ୍ ଲଦି ଯାଇଛି । କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦ ଶୁଳ୍କ କମାଇବା ସହ କୃଷି ସେସ୍ ପ୍ରତ୍ୟାହାର କଲେ ଦର କମିବ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର