ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ପାଇଁ ବିଜେପିକୁ ଦାୟୀ କରିଛି ବିଜେଡି। ବିଜେପି ପ୍ରାୟୋଜିତ ଏହି ହିଂସାକାଣ୍ଡ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିସନ୍ଙ୍କ ନିକଟରେ ଦଳ ପକ୍ଷରୁ ଦାବି କରାଯାଇଛି। ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିସନର୍ଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିରେ ଦର୍ଶାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ବିଜେପି ପକ୍ଷରୁ ବିଜେଡି ପ୍ରାର୍ଥୀ, ସମର୍ଥକ, ସାଧାରଣ ଜନତା ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯାଇଛି। ଏଥିରେ ସଂପୃକ୍ତ ଥିବା ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନିର୍ବାଚନରେ ନିଶ୍ଚିତ ପରାଜୟ ଜାଣି ବିଜେପି ଏମିତି ହିଂସାର ଆଶ୍ରୟ ନେଇଛି। ପରବର୍ତ୍ତୀ ପର୍ଯ୍ୟାୟ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ।
ଗତ ୧୫ ତାରିଖରେ ଗଞ୍ଜାମ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ଅନ୍ୟ ବିଜେପି ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ଶାନ୍ତିପୂଣ୍ଣ ନିର୍ବାଚନ ପାଇଁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ପ୍ରଚାରରୁ ଦୂରେଇ ରଖାଯାଉ। ପିପିଲିରେ ବିଜେଡି ପ୍ରାର୍ଥୀ ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ନେତା ଓ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସେମାନେ ବାରମ୍ବାର ଏମିତି ଆଇନକୁ ହାତକୁ ନେଉଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।