ଭୁବନେଶ୍ୱର/ଖୋର୍ଦ୍ଧା: ଓଡ଼ିଶାରେ ଆଇନଶୃଙ୍ଖଳାସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ମିଥ୍ୟା ମାମଲାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜେଲ୍‌ ପଠାଯାଇଛି। ଗାଡ଼ି ଚାଳକ ବନମାଳୀ ବାବୁଙ୍କୁ ପୁଲିସ ହଇରାଣ କରିଛି। ଶ୍ରୀ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ପୁଲିସ ବନମାଳୀଙ୍କ ଦ୍ୱାରା କୁହାଇବାକୁ ଚାହୁଥିଲେ। ହେଲେ ବନମାଳୀ ସାହସ ଜୁଟାଇ ଏନେଇ ଗଣମାଧ୍ୟମ ଆଗରେ ସବୁ କହିଦେଇଥିଲେ। ଆଜି ମୁଁ ଏକ ସିସିଟିଭି ଫୁଟେଜ୍‌ ସାର୍ବଜନୀନ କରିଛି। ଏଥିରେ ଇଭିଏମ୍ ଭାଙ୍ଗିବା ଘଟଣାରେ ଶ୍ରୀ ଜଗଦ୍ଦେବଙ୍କ କୌଣସି ଭୂମିକା ନ ଥିବା ପ୍ରମାଣିତ ହୋଇଛି। ଏହି ଇଭିଏମ ଅନ୍ୟ ଜଣେ ବ୍ୟକ୍ତି ଭାଙ୍ଗିଥିବା ଜଣାପଡ଼ିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Advertisment

ଶ୍ରୀମତୀ ଷଡ଼ଙ୍ଗୀ ସାମ୍ବାଦିକଙ୍କୁ କହିଲେ, ଖୋର୍ଦ୍ଧା ଜିଲ୍ଲାର ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି,ଏସବୁ ତୃତୀୟ ମହଲାର ନିର୍ଦ୍ଦେଶରେ ହୋଇଛି। ସିସିଟିଭି ଫୁଟେଜକୁ ରାଜ୍ୟ ସରକାର ସାର୍ବଜନୀନ ନକରି ଜଣେ ବିଧାୟକଙ୍କୁ କିପରି ଗିରଫ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଛେଣ୍ଡିପଦା ବିଧାୟକ ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ରାଜ୍ୟ ସରକାର ପାତରଅନ୍ତର କାହିଁକି କରୁଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।