ଭୁବନେଶ୍ବର: ଓଡ଼ିଶାରେ ୨୪ବର୍ଷ ହେଲା ଗୋଟିଏ ଲୋକ ଗୋଟିଏ ଜାଗାରେ ବସିକି ଲୋକଙ୍କ କଥା ବୁଝୁନି। ଶିକ୍ଷିତ ଯୁବବର୍ଗଙ୍କ ମଧ୍ୟରୁ ୪୧% ବେରୋଜଗାର। ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ନବୀନବାବୁ କେଉଁ ମୁହଁରେ ଲୋକଙ୍କୁ ଭୋଟ୍ ମାଗୁଛନ୍ତି? କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆଜି ଏହିପରି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ଗତକାଲି ରାହୁଲ ଗାନ୍ଧୀ ବଲାଙ୍ଗୀରରେ ବିଜେଡି ସରକାର ବିରୋଧରେ ପଦୁଟିଏ କହିଲେନି ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡ୍‌ଗେ ଉଭୟ ବିଜେଡି ଓ ବିଜେପି ଉପରେ ଧୁମ୍ ବର୍ଷିଛନ୍ତି।

Advertisment

ଆଜି ହୋଟେଲ ମେ’ ଫେୟାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖଡ୍‌ଗେ କହିଛନ୍ତି ଯେ ଓଡ଼ିଶା ପ୍ରାକୃତିକ ସମ୍ପଦ, ଜଳ, ଜଙ୍ଗଲ, ଜମି ଓ ଖଣି ଖାଦାନରେ ଭରପୂର। ମାନବ ସମ୍ବଳ ମଧ୍ୟ ଏଠାରେ କିଛି କମ୍ ନୁହେଁ। ଓଡ଼ିଶାର ଖଣି ଖାଦାନରୁ ସାମଗ୍ରୀ ନେଇ ଅନ୍ୟ ରାଜ୍ୟରେ ବୃହତ ଶିଳ୍ପ, କାରଖାନା ଗଢ଼ିଉଠିଛି। କିନ୍ତୁ ଏଠାକାର ଲୋକ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ସ୍ୱଳ୍ପ ଅର୍ଥରେ ଶ୍ରମିକ ଭାବେ କାମ କରୁଛନ୍ତି। ବିଜେଡି ସରକାର ଓଡ଼ିଶାକୁ ଏକ ଶସ୍ତା ଶ୍ରମିକ ଚାଲାଣ ରାଜ୍ୟରେ ପରିଣତ କରିଦେଇଛି। ଯେଉଁଥିପାଇଁ ସବୁ ରାଜ୍ୟରେ ଓଡ଼ିଆ ଯାଇ ଦାଦନ ଖଟୁଛନ୍ତି। ସେହିପରି ବିଜେଡିର ୨୪ବର୍ଷର ସରକାର ଓ ବିଜେପିର ୧୦ବର୍ଷର ସରକାରରେ ଓଡ଼ିଶାରେ କିଛି ବି ବିକାଶ ହୋଇନି। ବିଜେପି ଓ ବିଜେଡି ଓଡ଼ିଶାକୁ ବରବାଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ନବୀନବାବୁ କେଉଁ ମୁହଁରେ ଭୋଟ୍ ମାଗୁଛନ୍ତି?
ବିଜେପି ଓ ବିଜେଡି ଓଡ଼ିଶାକୁ ବରବାଦ୍ କରିଦେଲେଣି
କଂଗ୍ରେସ ଆସିଲେ ମାଗଣା ୧୦କେଜି ଚାଉଳ

କିଛିଦିନ ତଳେ ବିଜେପି ଓ ବିଜେଡି ମେଣ୍ଟ ପାଇଁ ଖୋଲା ଆଲୋଚନା କରୁଥିଲେ। ଏବେ ନିଜ ସ୍ୱାର୍ଥ ପାଇଁ ସେମାନେ ଭିତିରି ବୁଝାମଣାରେ ନିର୍ବାଚନ ଲଢ଼ୁଛନ୍ତି। କେବଳ ଲୋକ ଦେଖାଣିଆ ଭାବେ ନିର୍ବାଚନୀ ସଭାରେ ପରସ୍ପରକୁ ସମାଲୋଚନା କରୁଛନ୍ତି। ସେମାନଙ୍କ ଏହି ଅଘୋଷିତ ମେଣ୍ଟ ଓଡ଼ିଶା ଓ ଓଡ଼ିଶାର ଜନସାଧାରଣଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି। ଦୁଇ ଦଳର ବୁଝାମଣା‌ରେ ସରକାର ଚାଲିଥିବାରୁ ଓଡ଼ିଶାରେ ବେକାରୀ ସମସ୍ୟା ବଢ଼ିଛି। ଦରଦାମ କଥା ନ କହିବା ଭଲ। ପେଟ୍ରୋଲ, ଡିଜେଲ୍, ଗ୍ୟାସରୁ ଆରମ୍ଭ କରି ପନିପରିବା ସବୁ ମହଙ୍ଗା। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ କୃଷି କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଉପରେ ଜିଏସ୍‌ଟି ଲଗାଇ କୃଷକଙ୍କ ମେରୁଦଣ୍ଡ ଭାଙ୍ଗି ଦିଆଯାଇଛି। ବିଜେପି ଓ ବିଜେଡିର ମେଣ୍ଟ ଯୋଗୁ ରାଜ୍ୟର ସବୁଠାରୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ହୋଇପାରୁନି। ଚିଟ୍‌ଫଣ୍ଡ ଦୁର୍ନୀତିରେ କ୍ଷତିଗ୍ରସ୍ତ ଲୋକମାନେ ଏହି ମେଣ୍ଟ ପାଇଁ ନ୍ୟାୟ ପାଇପାରୁନାହାନ୍ତି। ଓଡ଼ିଶାବାସୀ ଏହି ଅଘୋଷିତ ମେଣ୍ଟକୁ ଠିକ୍ ଭାବେ ଚିହ୍ନି ସାରିଲେଣି। ଏଥର ନିର୍ବାଚନରେ କଂଗ୍ରେସକୁ ଭୋଟ୍ ଦେଇ ତାହା ପ୍ରମାଣିତ କରିବେ।

ବିଜେପିର ୪୦୦ ପାର୍ ନାରା ଉପରେ ଶ୍ରୀ ଖଡ୍‌ଗେ କହିଛନ୍ତି ଯେ ତାମିଲନାଡୁରେ ତ ବିଜେପି ନାହିଁ, କେରଳରେ ବି ନାହିଁ। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଅଧା ଅଧା ସ୍ଥିତିରେ ଅଛି, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ଓ ଜଗନ୍ ରେଡ୍ଡୀ ସରକାର ଭଲ ପ୍ରଦର୍ଶନ କରୁଛି। ତେଣୁ ସେମାନେ କିପରି ୪୦୦ ପାର୍‌ କରିବେ? ବିଜେପି ଏଥର ୨୦୦ସିଟ୍ ପାଇବ। ଇଣ୍ଡି ମେଣ୍ଟ ଭଲ ପ୍ରଦର୍ଶନ କରିବା ସହ ଦେଶରେ ସରକାର ଗଢ଼ିବ। ଓଡ଼ିଶାରେ ବି ଭଲ ପ୍ରଦର୍ଶନ କରିବ। ଖଡ୍‌ଗେ କଂଗ୍ରେସ ଇସ୍ତାହାର ବିଷୟରେ ସୂଚନା ଦେବା ସହ କହିଛନ୍ତି ଯେ ଆମେ ଏହାବାଦ୍ ନିଷ୍ପତ୍ତି ନେଇଛୁ ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକଙ୍କୁ ଯେଉଁ ୫କେଜି ଲେଖାଏ ଚାଉଳ ମିଳୁଛି ତାହାକୁ ଆମେ ୧୦କେଜି କରିବୁ। ଓଡ଼ିଶା ଏସ୍‌ସି, ଏସ୍‌ଟି ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବୁ। ଏହି ସାମ୍ବାଦିକ ସମ୍ମିଳନୀରେ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ମାଲୁଭାଟି ବିକ୍ରମାର୍କା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ସମ୍ପାଦକ ପ୍ରଣବ ଝା, ଶିବାନନ୍ଦ ରାୟ, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର ଓ ରିତୁ ଚୌଧୁରୀ, ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ, ପ୍ରକାଶ ଜେନା ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।