କେନ୍ଦୁଝର, ଯାଜପୁରରେ ବିଜେଡି: ମୋହନ, ଗୌତମଙ୍କୁ ଝଟ୍‌କା

ଯାଜପୁର/କେନ୍ଦୁଝର : ପଞ୍ଚାୟତ ନିର୍ବାଚନ ଗଣତିର ଶେଷଦିନରେ ମଧ୍ୟ ବିଜେଡିର ଜୟଯାତ୍ରା ଜାରି ରହିଛି। ଉଭୟ କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ନିର୍ବାଚନର ଫଳାଫଳ ଦୁଇ ଜିଲ୍ଲାର ଯେଉଁ ଦୁଇ ନେତାଙ୍କୁ ଅଧିକ ବ୍ୟଥିତ କରିଛି, ସେମାନେ ହେଲେ କେନ୍ଦୁଝରର ବିଧାୟକ ମୋହନ ଚନ୍ଦ୍ର ମାଝୀ ଏବଂ ଯାଜପୁର ବିଜେପି ଜିଲ୍ଲା ସଭାପତି ଗୌତମ ରାୟ।

କେନ୍ଦୁଝର ଜିଲ୍ଲାରେ ୨୫ଟି ଜୋନ୍‌ରୁ ବିଜେଡି ସପକ୍ଷରେ ୨୪ଟି ଜୋନ୍‌ ଯାଇଥିବା ବେଳେ ଗୋଟିଏ ବିଜେପି ସପକ୍ଷରେ ଯାଇଛି। ଜିଲ୍ଲାରେ କଂଗ୍ରେସ ମୂଳପୋଛ ହୋଇଯାଇଛି। କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ରଙ୍କ ସାଂଗଠନିକ ବିଫଳତା ଜଳଜଳ ହୋଇ ବାରି ହୋଇପଡୁଛି। କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରେ ବିଧାୟକ ମୋହନ ମାଝୀଙ୍କ ସାଂଗଠନିକ ଦକ୍ଷତା ପାଇଁ ବିଜେପି ଭଲ କରିବ ବୋଲି ମନେ କରାଯାଉଥିଲା। କିନ୍ତୁ, ମୋହନଙ୍କୁ ହରାଇବା ପାଇଁ ଶାସକ ଦଳ ସବୁପ୍ରକାର ବଳ ଖଟାଇଥିଲା। ଶେଷରେ, ଫଳାଫଳ ବିଜେଡି ସପକ୍ଷରେ ହିଁ ରହିଲା। ସେହିଭଳି, ଚମ୍ପୁଆ ନିର୍ବାଚନମଣ୍ଡଳୀରେ ସନା ମହାକୁଡ଼ ଏବଂ ମୀନାକ୍ଷୀ ମହାନ୍ତଙ୍କ ମଧ୍ୟରେ ତୀବ୍ର ବିବାଦ ଯୋଗୁଁ ବିରୋଧୀ ଫାଇଦା ନେଇପାରନ୍ତି ବୋଲି ଅନେକ ମନେ କରୁଥିଲେ। ଉଭୟଙ୍କ ବିବାଦର ଫାଇଦା ଉଠାଇବାରେ ବିରୋଧୀ ସକ୍ଷମ ହୋଇପାରି ନାହାନ୍ତି।

ଯାଜପୁର ଜିଲ୍ଲାରେ ୩୯ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨୨ଟି ବିଜେଡି ଜିତି ସାରିଥିବା ବେଳେ ଆଜି ଗଣତି ହେଉଥିବା ସମସ୍ତ ୧୭ଟି ଜୋନ୍‌ରେ ଆଗୁଆ ରହିଛି। ଏଭଳି ଏକପାଖିଆ ବିଜୟ ଯୋଗୁଁ କଂଗ୍ରେସର ମହିଳା ନେତ୍ରୀ ବନ୍ଦିତା ପରିଡ଼ା, ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀକାନ୍ତ ଜେନାଙ୍କ ଭଳି ନେତାଙ୍କୁ ଝଟ୍‌କା ଲାଗିଛି। ୨୦୧୭ ମସିହା ନିର୍ବାଚନରେ ୬ଟି ଜିଲ୍ଲା ପରିଷଦ ଆସନ ହାତେଇଥିବା ବିଜେପିକୁ ଏଥର ସଂପୂର୍ଣ୍ଣ ନିରାଶ ହେବାକୁ ପଡ଼ିଛି। ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କୁ ଝଟ୍‌କା ଲାଗିଛି। ଜିଲ୍ଲାରେ ସମସ୍ତ ବିଧାୟକ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଆସନକୁ ଦଖଲ କରି ନିଜନିଜର ଉପସ୍ଥିତି ଜାହିର୍‌ କରିଛନ୍ତି।

ସମ୍ବନ୍ଧିତ ଖବର