ବ୍ଲୁ- ପ୍ରିଣ୍ଟ୍‌ ପ୍ରସ୍ତୁତ : ବଦଳିବ ବିଜେଡିର ସାଙ୍ଗଠନିକ ସଂରଚନା

ବାରିପଦା: ପ୍ରଥମେ ବିଜେପି ଭଳି ବିଜେଡିରେ ସଂଗଠନ ସମ୍ପାଦକ ଓ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଭଳି ପଦ ସୃଷ୍ଟି। ଆଉ ଏବେ ବିଜେପି ଢାଞ୍ଚାରେ ମୟୂରଭଞ୍ଜ ଭଳି ବୃହତ୍‌ ଜିଲ୍ଲାକୁ ୨ଟି ସାଂଗଠନିକ ଜିଲ୍ଲାରେ ପରିଣତ କରିବାର ରୂପରେଖ ପ୍ରସ୍ତୁତି। ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ତୃଣମୂଳସ୍ତରରୁ ସ୍ଥାୟୀ କର୍ମୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏହି କ୍ରମରେ ମୟୂରଭଞ୍ଜ ବିଜେଡିର ସାଂଗଠନିକ ସଂରଚନାରେ ବ୍ୟାପକ ପରିବର୍ତ୍ତନର ବିସ୍ତୃତ ବ୍ଲୁ- ପ୍ରିଣ୍ଟ୍‌ ପ୍ରସ୍ତୁତ ‌ହୋଇ ସାରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବିଜେପି ଭଳି ମୟୂରଭଞ୍ଜ ବିଜେଡିକୁ ମଧ୍ୟ ଦୁଇ ଭାଗ କରିଦିଆଯିବ। ମୟୂରଭଞ୍ଜ ସଦର ହେବ ବିଜେଡିର ନୂତନ ସାଂଗଠନିକ ଜିଲ୍ଲା। ମୟୂରଭଞ୍ଜ ଏବଂ ମୟୂରଭଞ୍ଜ ସଦର ଭଳି ୨ଟି ସାଂଗଠନିକ ଜିଲ୍ଲାକୁ ନେଇ ବିଜେଡି କାର୍ଯ୍ୟ କରିବ। ମୟୂରଭଞ୍ଜ ସାଂଗଠନିକ ଜିଲ୍ଲା ଅଧୀନରେ ବାରିପଦା, ବଡ଼ସାହି, ମୋରଡ଼ା, ବାଙ୍ଗିରିପୋଷି, ଉଦଳା ନିର୍ବାଚନମଣ୍ଡଳୀ ରହିବ। ସେହିପରି ନୂତନ ମୟୂରଭଞ୍ଜ ସଦର ଜିଲ୍ଲାରେ ସାରସକଣା, ଯଶୀପୁର, ରାଇରଙ୍ଗପୁର ଏବଂ କରଞ୍ଜିଆ ନିର୍ବାଚନମଣ୍ଡଳୀ ରଖାଯିବାକୁ ରୂ‌ପରେଖ ପ୍ରସ୍ତୁତ ହୋଇଛି। ସାଂଗଠନିକ ସଂରଚନା ପରିବର୍ତ୍ତନରେ ରାଜ୍ୟ ବିଜେଡିରେ ମୟୂରଭଞ୍ଜ ଆପାତତଃ ପ୍ରଥମ ଜିଲ୍ଲା ହୋଇପାରେ।

ଏ ନେଇ ଦଳର ପର୍ଯ୍ୟବେକ୍ଷକ ତଥା ବିଜେଡି ସଂଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାର ପୂର୍ବତନ ପର୍ଯ୍ୟବେକ୍ଷକ ତଥା ବିଜେଡି ମୁଖ୍ୟାଳୟର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏବଂ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ବିଧାୟକ ପ୍ରତାପ କେଶରୀ ଦେବ ଆସନ୍ତା ୧୨ ତାରିଖ (ଗୁରୁବାର)ରେ ବାରିପଦା ଗସ୍ତରେ ଆସୁଛନ୍ତି। ସେହିଦିନ ବାରିପଦାର ଏକ ଘ‌ରୋଇ ହୋଟେଲ ସମ୍ମିଳନୀ କକ୍ଷରେ ପ୍ରତି ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ସହିତ ସଦ୍ୟ ସମାପ୍ତ ସଭ୍ୟ ସଂଗ୍ରହ ଅଭିଯାନକୁ ନେଇ ବିଚାରବିମର୍ଶ ହେବ। ‌ ପରଦିନ (ଶୁକ୍ରବାର) ବବି, ସଞ୍ଜୟ ଏବଂ ପ୍ରତାପ ରାଇରଙ୍ଗପୁରରେ ସାରସକଣା, ଯଶୀପୁର, ରାଇରଙ୍ଗପୁର, କରଞ୍ଜିଆ ଭଳି ୪ଟି ନିର୍ବାଚନମଣ୍ଡଳୀର ପ୍ରମୁଖ ନେତା, କର୍ମୀଙ୍କ ସହିତ ଆଲୋଚନା କରିବେ। ତେବେ ସାଂଗଠନିକ ସଂରଚନା ପରିବର୍ତ୍ତନ ପରେ ମୟୂରଭଞ୍ଜ ବିଜେଡିର ଦୁଇଜଣ ଜିଲ୍ଲା ସଭାପତି ରହିବା ଏକପ୍ରକାର ସ୍ଥିର। ଏହି ବ୍ୟବସ୍ଥା ବିଜେଡିକୁ ଜିଲ୍ଲାରେ କଣ ସଫଳତା ଦେବ ତାହା ସମୟ କହିବ। ମାତ୍ର ତୃଣମୂଳସ୍ତରରୁ କର୍ମୀଙ୍କ ପାଖକୁ ବିଜେଡି ଯିବା ସହିତ ପ୍ରତି ପରିବାର ନିକଟରେ ଦଳର ନୀତି ଆଦର୍ଶକୁ ପହଞ୍ଚାଇବାକୁ ଏପରି ପ୍ରୟାସ ଆରମ୍ଭ ହୋଇଥିବା କୁହାଯାଉଛି। ବିଜେଡି ପକ୍ଷରୁ ଏଭଳି ସାଂଗଠନିକ ସଂରଚନାର ପରିବର୍ତ୍ତନକୁ ନେଇ ରାଜନୈତିକ ମହଲରେ ମଧ୍ୟ ଉତ୍ସୁକତା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର