ଚୌଧୁରୀ ଅମିତାଭ ଦାସ

Advertisment

ଭୁବନେଶ୍ବର: ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ବିଜେଡି। ଅଛନ୍ତି ୫୧ ଜଣ ବିଧାୟକ। ସେଥିରେ ଅନୁଭବୀ ବିଧାୟକଙ୍କ ସଂଖ୍ୟା ବି ଢେର୍ ଅଧିକ। କିନ୍ତୁ ଗୃହ ଭିତରେ ପୂରା ବାଟବଣା ହୋଇଯାଇଛି ଦଳ। ବିରୋଧୀ ଦଳ ନେତା କି ଉପନେତା ଆସୁ ନାହାନ୍ତି। ଗୃହରେ ତତ୍‌କ୍ଷଣାତ୍ କିଛି ନିଷ୍ପତ୍ତି ନେଇ ଶାସକ ଦଳକୁ ଅଡ଼ୁଆରେ ପକାଇବାକୁ ପୂରା ଅସମର୍ଥ ହୋଇପଡ଼ିଛି ବିଜେଡି। ଦଳର ଏମିତି ଦୁର୍ବଳ ପ୍ରଦର୍ଶନ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। 

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ସମୟରେ ଗୃହକୁ କମ୍ ଆସୁଥିଲେ। କେବଳ ଯେତେବେଳେ ତାଙ୍କର କିଛି ସାମ୍ବିଧାନିକ ଦାୟିତ୍ବ ତୁଲାଇବାରେ ଥାଏ, ସେତେବେଳେ ହିଁ ଆସନ୍ତି। ଅଧିକାଂଶ ଦିନ ସେ ବିଧାନସଭା ଆସୁ ନଥିଲେ। ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ପରେ ଏବେ ସେ ବିରୋଧୀ ଦଳ ନେତା। କିନ୍ତୁ ସେହି ଧାରା ଏବେ ବି ସେ ଜାରି ରଖିଛନ୍ତି। ଚଳିତ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କାଁ ଭାଁ ଗୃହକୁ ଆସିଥିଲେ। କେବଳ ନିଜର ଯେତେବେଳେ କହିବାର ଥିଲା, ସେତେବେଳେ ଆସିଥିଲେ। ଗୃହରେ ହେଉଥିବା ଆଲୋଚନା ପ୍ରତି ‌ସେ ଆଗ୍ରହ ଦେଖାଉନାହାନ୍ତି। ଚଳିତ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଗତ ୨୦ ତାରିଖରୁ ଆରମ୍ଭ ହେଲା। ଏହା ମଧ୍ୟରେ ୮ଟି କାର୍ଯ୍ୟଦିବସ ସରିଛି। କିନ୍ତୁ ଥରୁଟିଏ ବି ବିରୋଧୀ ଦଳ ନେତା ବିଧାନସଭା ଆସିନାହାନ୍ତି। 

ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ଉପନେତା ଦାୟିତ୍ବ ସମ୍ଭାଳିବା କଥା। କିନ୍ତୁ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅସୁସ୍ଥତା ଯୋଗୁ ବିଧାନସଭା ଆସୁନାହାନ୍ତି। ଦୁଇ ଦିନ ହେବ ଆଉ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳର ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବି ଗୃହରେ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଗତକାଲି ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ଚାଲିଥିଲା ବେଳେ ବିରୋଧୀ ଦଳ ବିଜେଡି ଏକ ଅପ୍ରୀତିକର ସ୍ଥିତିରେ ପଡ଼ିଯାଇଥିଲା। ଶାସକ ଦଳର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ଆନ୍ତରିକତାର ଉପରେ ପ୍ରଶ୍ନ କରିଥିଲେ। ଆଜି ମଧ୍ୟ ପୂର୍ବାହ୍ନରେ ବିଭିନ୍ନ ପ୍ରସଙ୍ଗରେ ଘମାଘୋଟ ଆଲୋଚନା ଚାଲିଥିଲା ବେଳେ ବିରୋଧୀ ଦଳ ନେତା, ଉପନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ କେହି ନଥିଲେ। 

ସେମାନଙ୍କର ଅନୁପସ୍ଥିତି ଯୋଗୁ ଦୁଇ ଦିନ ହେଲା ବିଜେଡି ଗୃହରେ ଅପଦସ୍ଥ ହେଉଛି। ଗତକାଲି ମୁଖ୍ୟମନ୍ତ୍ରୀ ଉତ୍ତର ଦେଉଥିଲା ବେଳେ ପ୍ରଥମେ କଂଗ୍ରେସ ଦଳ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଥିଲା। କଂଗ୍ରେସ ବିଧାୟକଙ୍କ ସହିତ ହଠାତ କିଛି ବିଜେଡି ବିଧାୟକ ଉଠି ଚାଲିଯାଇଥିଲେ। କିଛି ସମୟ ପରେ ଜଣେ ଜଣେ କରି ବିଜେଡି ବିଧାୟକ ଠିଆ ହେଲେ ଓ ବାହାରକୁ ଚାଲିଗଲେ। କାହିଁକି କକ୍ଷତ୍ୟାଗ କଲେ, ତାହାର କାରଣ ନ ଦର୍ଶାଇ ପଳାଇଲେ। ଆଜି ଶୂନ୍ୟକାଳରେ ବି ସମାନ ସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ ସଭ୍ୟମାନେ ସଂରକ୍ଷଣ ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିଥିଲେ। ବିଜେଡି ବିଧାୟକମାନେ ଆଉ ଏକ ପ୍ରସଙ୍ଗ ଉଠାଇ ପ୍ରତିବାଦ ଆରମ୍ଭ କରିଥିଲେ। କିନ୍ତୁ ଗୃହ ମଧ୍ୟ ଭାଗକୁ ଆସିବେ କି ନାହିଁ ପରସ୍ପରକୁ ଚାହିଁଲେ। ଗଣେଶ୍ବର ବେହେରା କହୁଥିଲା ବେଳେ ହଠାତ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ପଳାଇ ଆସିଲେ। 

ଗୃହ ଭିତରେ ବିଜେଡିର ହାବଭାବ ଦେଖିଲେ, ଦଳ ଯେ ଦିଗହରା ହୋଇ ଚାଲିଛି ତାହା ସ୍ପଷ୍ଟ ଅନୁମାନ କରିହେଉଛି। ଆଉ ବିଧାନସଭା ଗୃହରେ କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳ ଭାବେ ପ୍ରତୀୟମାନ ହେଉଛି। ସଂଖ୍ୟାରେ ଯଥେଷ୍ଟ କମ୍ ଥିଲେ ବି କଂଗ୍ରେସ ସଭ୍ୟମାନେ ବେଶ୍ ପ୍ରଭାବୀ ଢଙ୍ଗରେ ଶାସକ ଦଳକୁ ଘେରୁଛନ୍ତି। ପୁଣି ବିଜେଡିର ୨୪ ବର୍ଷର ଶାସନକୁ ଟାର୍ଗେଟ୍ କରିବାର ସୁଯୋଗକୁ ହାତଛଡ଼ା କରୁନାହାନ୍ତି। 

୨୦୦୦ ମସିହା ପରଠାରୁ ଓଡ଼ିଶାରେ ୬ଟି ବିଧାନସଭା ନିର୍ବାଚନ ହୋଇଛି। ୨୦୦୦ରୁ ୨୦୧୪ ଯାଏ ଚାରିଟି ବିଧାନସଭାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। ୨୦୧୪ରୁ ୨୦୧୯ ଯାଏ ଥରେ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। ଏବେ ମୁଖ୍ୟ ବିରୋଧୀ ଦଳ ହୋଇଛି ବିଜେଡି। ତେବେ ୬ଟି ଯାକ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସବୁଠାରୁ ଶକ୍ତିଶାଳୀ ବିରୋଧୀ ଦଳ ହୋଇଛି ବିଜେଡି। ପୂର୍ବ ୫ ଥରରେ ମୁଖ୍ୟ ବିରୋଧୀ ଦଳ କେବେ ବି ୫୦ ଆସନ ଛୁଇଁ ନଥିଲା। ଏଥର ଶକ୍ତିଶାଳୀ ବିରୋଧୀ ଦଳର ନେତୃତ୍ବ ନେଉଛନ୍ତି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଥିବା ସର୍ବାଧିକ ଅନୁଭବୀ ନେତା ନବୀନ ପଟ୍ଟନାୟକ। ରାଜ୍ୟରେ ତଥା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଭୂମିକା କ’ଣ, ତାହା ଉଲ୍ଲେଖ କରିବା ଆବଶ୍ୟକ ନାହିଁ। ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ବିରୋଧୀ ଦଳ ନେତା ଅଧିକାଂଶ ସମୟ ଗୃହରେ ଉପସ୍ଥିତ ରହିବାର ଆବଶ୍ୟକତା ରହିଛି। କିନ୍ତୁ ଶ୍ରୀ ପଟ୍ଟନାୟକ ଲଗାତାର ଅନୁପସ୍ଥିତ ରହି ସଂସଦୀୟ ବ୍ୟବସ୍ଥାରେ ଅଲୋଡ଼ା ରେକର୍ଡ ସ୍ଥାପନ କରୁଛନ୍ତି।