ପଞ୍ଚାୟତ ଭୋଟ: ପଶ୍ଚିମ ଓଡ଼ିଶାରେ ବିଜେଡି; ହାତ ସଫା, ପଦ୍ମ ମରୁଡ଼ି

ସମ୍ବଲପୁର :ପଶ୍ଚିମା ପୋଖରୀରୁ ଝଡ଼ି ପଡ଼ିଛି ପଦ୍ମ। ଗାଁଗାଁରେ ଶୁଭିଛି ଶଂଖନାଦ। ୨୦୧୭ରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ମଧ୍ୟରୁ ୬ଟିରେ ସଂଖ୍ୟା ଗରିଷ୍ଠ ହୋଇ ଜିଲ୍ଲା ପରିଷଦ ଗଢ଼ିଥିବା ଭାରତୀୟ ଜନତା ପାର୍ଟି ଭୋଟ ଗଣତିର ପ୍ରଥମ ଦିନ ସମସ୍ତ ୧୦ଟି ଯାକ ଜିଲ୍ଲାରେ ପଛେଇ ଯାଇଛି। ଖାଲି ପଛେଇ ନାହିଁ ସ୍ଥିତି ଶୋଚନୀୟ ହୋଇଛି। ପ୍ରଥମ ଦିନର ଫଳାଫଳରୁ କୌଣସି ଗୋଟିଏ ଜିଲ୍ଲାରେ ବି ଏହି ଜାତୀୟ ଦଳ ଜିଲ୍ଲା ପରିଷଦ ଗଢ଼ିବା ଭଳି ସାମାନ୍ୟତମ ସମ୍ଭାବନା ସୃଷ୍ଟି କରି ନାହିଁ। ଅପରପକ୍ଷରେ ୨୦୧୭ ପଞ୍ଚାୟତ ନିର୍ବାଚନ ତଥା ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଜୋରଦାର ଝଟ୍‌କା ଖାଇଥିବା ବିଜୁ ଜନତା ଦଳ ଏଥର ଅବିଶ୍ବସନୀୟ ପ୍ରତ୍ୟାବର୍ତ୍ତନ କରିଛି। ସବୁ ଆଲୋଚନା, ଆକଳନ ଓ ସମୀକ୍ଷାକୁ ପଛରେ ପକାଇ ଏହି ଦଳ ପଶ୍ଚିମ ଓଡ଼ିଶାର ସମସ୍ତ ୧୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅକ୍ତିଆର କରିବାର ରାସ୍ତା ପ୍ରଶସ୍ତ କରିଛି। କିଛି ଜିଲ୍ଲାରେ ୨ ଦିନ ଓ ଆଉ କେତେକ ଜିଲ୍ଲାରେ ୩ ଦିନ ଧରି ଭୋଟ ଗଣତି ଚାଲିବ। ତେବେ ପ୍ରଥମ ଦିନ ସଂଧ୍ୟା ସୁଦ୍ଧା ଆସୁଥିବା ସୂଚନାରୁ ହିଁ ପଶ୍ଚିମ ଓଡ଼ିଶାରେ ବିଜେଡି ବିଜୟର ପୂର୍ବଭାଷ ମିଳିଯାଇଛି। ମମିତା ମେହେର ହତ୍ୟାକାଣ୍ଡଠୁ ‌ଆରମ୍ଭ କରି ସରକାର ବି‌େ‌ରାଧୀ ସମସ୍ତ ପ୍ରସଂଗ ଏହି ନିର୍ବାଚନରେ ଫିକା ପଡ଼ିଯାଇଛି। ମୋଦୀ ମ୍ୟାଜିକ୍ ବି ଦେଖିବାକୁ ମିଳିନି। ପଶ୍ଚିମ ଓଡ଼ିଶା ଗ୍ରାମାଞ୍ଚଳ ଭୋଟର୍‌ଙ୍କ ମୁଡ୍ ଏଥର ସଂପୂର୍ଣ୍ଣ ବଦଳି ଯାଇଛି। କଂଗ୍ରେସ୍ ପୂରା ଧରାଶାୟୀ ହୋଇଯାଇଛି।

ପଶ୍ଚିମ ଓଡ଼ିଶାରୁ ଗତ ସାଧାରଣ ନିର୍ବାଚନରେ ସମସ୍ତ ୫ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା। ସେହିପରି ୩୬ରୁ ୮ଟି ବିଧାନସଭା ଆସନ ବି ଜିତିଥିଲା। କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ସାଂସଦ, ବିଧାୟକଙ୍କ ସମ୍ମାନ ଧୂଳିସାତ୍ ହୋଇଛି। ଜୁଏଲ୍ ଓରାମ, ନିତେଶ ଗଂଗଦେବ, ସୁରେଶ ପୂଜାରୀ, ସଂଗୀତା ସିଂହଦେଓ ଓ ବସନ୍ତ ପଣ୍ଡା ପ୍ରମୁଖ ପାଞ୍ଚ ଜଣ ଯାକ ସାଂସଦ ନିଜ ନିଜ ଅଞ୍ଚଳରେ ଦଳର ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଛନ୍ତି। ସେହିପରି ଗତଥରର ବିପରୀତ ଜୟ ନାରାୟଣ ମିଶ୍ର, କେଭି ସିଂହଦେଓଙ୍କ ଭଳି ବିଜେପିର ବଡ଼ ନେତାଙ୍କ ଯାଦୁ ବି ଚାଲି ନାହିଁ। ନରସିଂହ ମିଶ୍ର, ଭକ୍ତ ଦାସ, ସନ୍ତୋଷ ସିଂହ ସାଲୁଜାଙ୍କ ଭଳି କଂଗ୍ରେସ୍‌ର ବଡ଼ ଚେହେରୋ କୌଣସି କରିସ୍ମା କରିପାରି ନାହାନ୍ତି। ଅପରପକ୍ଷରେ ଚଳିତ ବର୍ଷ ପଶ୍ଚିମ ଓଡ଼ିଶାରେ ଶାସକ ଦଳର ମଙ୍ଗ ଧରିଥିବା ସୁଶାନ୍ତ ସିଂହ, ନବ ଦାସଙ୍କ ଭଳି ନେତା ମାନେ ନିଜ ଆଧିପତ୍ୟ ଜାହିର କରି ପାରିଛନ୍ତି। ନିରଂଜନ ପୂଜାରୀ, ପ୍ରଦୀପ୍ତ ଅମାତ, ଦିବ୍ୟ ଶଂକର ମିଶ୍ର, ଟୁକୁନୀ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀଙ୍କ ଭଳି ବିଜେଡି ନେତା ମାନେ ନିଜ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ସହ ସଂପୂର୍ଣ୍ଣ ଜିଲ୍ଲାରେ ଭୋଟକୁ ପ୍ରଭାବିତ କରି ପାରିଛନ୍ତି।

ପଞ୍ଚାୟତ ଭୋଟ ଗଣତିର ପ୍ରଥମ ଦିନରେ ସବୁ ବ୍ଲକ୍‌ର ଜିଲ୍ଲା ପରିଷଦ ଜୋନ୍-୧ର ଭୋଟ ଗଣା ଯାଇଛି। ସମ୍ବଲପୁର ଜିଲ୍ଲାରେ ପ୍ରଥମ ଦିନ ୯ଟି ଆସନରେ ଗଣତି ହେଉଥିବାବେଳେ ବିଜେଡି ଗୋଟିଏ ଜିତି ନେଇଛି ଓ ଅନ୍ୟ ୮ଟିରେ ଆଗୁଆ ରହିଛି। ଗତ ଥର ବିଜେପି ୧୮ରୁ ୧୩ ଆସନ ଜିତି ପରିଷଦ ଗଢ଼ିଥିଲା ବେଳେ ବିଜେଡି ମାତ୍ର ୫ରେ ସନ୍ତୁଷ୍ଟ ରହିଥିଲା। ବରଗଡ଼ ଜିଲ୍ଲାରେ ୧୨ଟି ଆସନରେ ଗଣତି ହେଉଥିଲାବେଳେ ବିଜେଡି ୧୦ ଓ ବିଜେପି ୨ ଆସନରେ ଆଗୁଆ ଅଛନ୍ତି। ୩୪ ଆସନ ବିଶିଷ୍ଟ ଏହି ଜିଲ୍ଲାରେ ଗତଥର ବିଜେପି ୨୫ ଓ ବିଜେଡି ୯ ଆସନ ଜିତିଥିଲା। ବଲାଙ୍ଗୀର ଜିଲ୍ଲାରେ ୧୪ ଆସନରେ ଭୋଟ ଗଣତି ଚାଲିଥିଲାବେଳେ ବିଜେଡି ୧୨ ଓ ବିଜେପି ପ୍ରାର୍ଥୀ ୨ ଆସନରେ ଆଗୁଆ ଅଛନ୍ତି। ଗତ ଥର ୩୩ ଆସନ ବିଶିଷ୍ଟ ବଲାଙ୍ଗୀର ଜିଲ୍ଲାରେ ବିଜେପି ୨୩, ବିଜେଡି ୮ ଓ କଂଗ୍ରେସ୍ ୨ ଆସନ ଜିତିଥିଲା। କଳାହାଣ୍ଡି ଜିଲ୍ଲାରେ ୨୦୧୭ରେ ବିଜେପି ୩୬ ଆସନରୁ ୩୩ଟି ଜିତିଥିଲା। ବିଜେଡିକୁ ଗୋଟିଏ ଓ କଂଗ୍ରେସ୍‌କୁ ୨ଟି ମିଳିଥିଲା। ହେଲେ ଏଥର ପ୍ରଥମ ଦିନ ଗଣତି ହେଉଥିବା ୧୩ ଆସନ ମଧ୍ୟରୁ ୧୦ଟି ବିଜେଡି ଓ ମାତ୍ର ୩ଟିରେ ବିଜେପି ଆଗୁଆ ଅଛି। ଦେବଗଡ଼ ଜିଲ୍ଲାରେ ଗତଥର ବିଜେପି ୭ରୁ ୬ ଆସନ ଜିତିଥିଲା ଓ କଂଗ୍ରେସ୍‌ ଖାତାକୁ ଗୋଟିଏ ଯାଇଥିଲା। ଏଥର ପ୍ରଥମ ଦିନ ଗଣତି ହେଉଥିବା ୩ଟି ଯାକ ଆସନରେ ବିଜେଡି ଆଗୁଆ ରହିଛି। ସୁବର୍ଣ୍ଣପୁର ଜିଲ୍ଲାରେ ୧୩ ଆସନ ମଧ୍ୟରୁ ପ୍ରଥମ ଦିନ ୬ଟିରେ ଗଣତି ଚାଲିଛି ଓ ସବୁଥିରେ ବିଜେଡି ଆଗୁଆ ରହିଛି। ୨୦୧୭ରେ ଏଠାରେ ୧୦ ଆସନ ଜିତି ବିଜେପି ପରିଷଦ ଗଢ଼ିଥିଲା ଓ ବିଜେଡିକୁ ୩ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

୩୫ ଆସନ ବିଶିଷ୍ଟ ସୁନ୍ଦରଗଡ଼ ଜିଲ୍ଲାରେ ଗତଥର ଝୁଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡି, କଂଗ୍ରେସ୍‌ ମେଣ୍ଟ କରି ପରିଷଦ ଗଢ଼ିଥିଲେ ଓ ବିଜେପି ବିରୋଧୀ ଦଳ ଥିଲା। ଏଥର ସୁନ୍ଦରଗଡ଼ରେ ପ୍ରଥମ ଦିନ ୧୭ ଆସନରେ ଗଣତି ଚାଲିଥିଲାବେଳେ ୧୫ଟିରେ ବିଜେଡି ଆଗୁଆ ରହିଛି। ବୌଦ୍ଧ ଜିଲ୍ଲା‌େର ଗତଥର ୯ରୁ ୬ ଆସନ ଜିତି ବିଜେଡି ପରିଷଦ ଗଢ଼ିଥିଲା ଓ ଏଥର ମଧ୍ୟ ଭଲ ପ୍ରଦର୍ଶନ ବଜାୟ ରଖିଛି। ୩ ଆସନରେ ଗଣତି ଚାଲିଥିବାବେଳେ ଦଳ ସବୁଥିରେ ଆଗୁଆ ଅଛି। ୧୪ ଆସନ ବିଶିଷ୍ଟ ନୂଆପଡ଼ା ଜିଲ୍ଲାରେ ୫ଟିରେ ଗଣତି ହେଉଥିଲାବେଳେ ସବୁଥିରେ ବିଜେଡି ଆଗରେ ରହିଛି। ୨୦୧୭ରେ ପଶ୍ଚିମ ଓଡ଼ିଶାରେ ଏହି ଜିଲ୍ଲା ଏକ ବ୍ୟତିକ୍ରମ ଥି‌ଲା ଯେଉଁଠି ବିଜେପି ଗୋଟିଏ ବି ଆସନ ଜିତି ନଥିଲା। ବିଜେଡି ୮ ଓ କଂଗ୍ରେସ ୬ ଆସନ ପାଇଥିଲା। ସେହିପରି ଏକ ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ନବ ଦାସଙ୍କ କରାମତି ବଳରେ କଂଗ୍ରେସ୍ ୯ରୁ ୮ ଆସନ ଜିତି ପରିଷଦ ଗଢ଼ିଥିଲା। ଏଥର ନବ ବିଜେଡିରେ ଅଛନ୍ତି ଓ ବାଜି ମଧ୍ୟ ସେହି ଅନୁଯାୟୀ ପଲଟି ଯାଇଛି। ଗଣତି ହେଉଥିବା ୫ଟି ଯାକ ଆସନରେ ବିଜେଡି ଆଗୁଆ ରହିଛି।

ସମ୍ବନ୍ଧିତ ଖବର