କଥା ରଖିଲେ ନବୀନ: ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ହେଉଥିବା ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ବିଜୁ ଜନତା ଦଳର ମୁଖପାତ୍ର ପ୍ରତାପ କେଶରୀ ଦେବ ‘ସମ୍ବାଦ-ଡ଼ଟ୍‌-ଇନ୍‌’କୁ କହିଛନ୍ତି।

‘ମୁୁଁ ଚଳିତ ନିର୍ବାଚନ ପରେ ସରକାର ଗଢ଼ିବି ଏବଂ ଶପଥ ଗ୍ରହଣ ଉତ୍ସବକୁ ତାଙ୍କୁ ନିଶ୍ଚୟ ନିମନ୍ତ୍ରଣ କରିବି ’ବୋଲି ନବୀନ ନିର୍ବାଚନ ପ୍ରଚାର ସମୟରେ କହିଥିଲେ।

ନବୀନ ପଟ୍ଟନାୟକ ସରକାର ଏଥର କ୍ଷମତାକୁ ଆସିପାରିବ ନାହିଁ ଏବଂ ବିଜେପି ରାଜ୍ୟରେ ସରକାର ଗଢ଼ିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଉକ୍ତିର ପ୍ରତ୍ୟୁତ୍ତରରେ ନବୀନ ଏଭଳି ବିବୃତି ଦେଇଥିଲେ।

ଆସନ୍ତା ବୁଧବାର ଦିନ ପୂର୍ବାହ୍ନ ସାଢେ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ସହଯୋଗୀ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ନବୀନ ୫ମ ଥର ପାଇଁ ସରକାର ଗଢୁଥିବାରୁ ଏହାକୁ ସ୍ମରଣୀୟ କରିବା ଲାଗି ଏଥର ଏହି ଉତ୍ସବକୁ ବଡ଼ ଧରଣର କରିବା ପାଇଁ ପ୍ରଥମ ଥର ପାଇଁ ରାଜଭବନ ବାହାରେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି। ଏଥିରେ ପ୍ରାୟ ୫ ହଜାରରୁ ୬ ହଜାର ଲୋକ ଯୋଗ ଦେବେ।

ଦେଶର ସମସ୍ତ ନିର୍ବାଚିତ ସାଂସଦ,ରାଜ୍ୟର ସମସ୍ତ ନିର୍ବାଚିତ ବିଧାୟକ,ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ ମଧ୍ୟ ଏହି ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହାଛଡ଼ା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ସଂଗଠନ ଭଳି ସାମାଜିକ ଗୋଷ୍ଠୀର ପ୍ରତିନଧିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ରେ ଯୋଗ ଦେଇଥିବା ଶିଳ୍ପପତି ମାନେ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରିତ ହେଉଛନ୍ତି ବୋଲି ଶ୍ରୀ ଦେବ କହିଛନ୍ତି।

ଶପଥ ଗ୍ରହଣ ଉତ୍ସବ ସ୍ଥାନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରେ କ୍ଲୋଜ୍‌ ସର୍କିଟ୍‌ ଟିଭି (ସି.ସି.ଟି.ଭି) ଖଞ୍ଜାଯାଉଛି। ଗତକାଲି ପୋଲିସ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଏବଂ ଭୁବନେଶ୍ୱର-କଟକ ଦୈତ ମହାନଗରୀର ପୋଲିସ କମିଶନର୍‌ ସତ୍ୟଜିତ ମହାନ୍ତି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର