ବ୍ରହ୍ମପୁର : ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍‌ ଗଣତି ଶାନ୍ତିଶୃଙ୍ଖଳାରେ ଜାରି ରହିଛି। ଗଞ୍ଜାମ ଜିଲ୍ଲାରେ ୬୯ଟି ଜିଲ୍ଲା ପରିଷଦ ଜୋନ୍‌ ରହିଥିବା ବେଳେ ଆଜି ପ୍ରଥମ ଦିନରେ ୨୨ଟି ବ୍ଲକରେ ୨୨ଟି ଜୋନ୍‌ର ଗଣତି ଜାରି ରହିଛି। ଷଷ୍ଠ ରାଉଣ୍ଡ୍‌ ପରେ ରାତି ୧୦ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ବିଜେଡି ଆଗୁଆ ରହିଛି। ବିଜେଡି ସମସ୍ତ ୨୨ଟି ଜୋନ୍‌ରେ ଆଗୁଆ ରହିଛି। ଚତୁର୍ଥ ପର୍ଯ୍ୟାୟ ଗଣତି ପର୍ଯ୍ୟନ୍ତ ରଂଗେଇଲୁଣ୍ଡା ବ୍ଲକର ୫୩ନମ୍ବର ଜୋନ୍‌ରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିଲେ। କିନ୍ତୁ ପଞ୍ଚମ ରାଉଣ୍ଡ୍‌ ଗଣତି ପରେ ବିଜେପି ପଛରେ ପଡ଼ି ଯାଇଛି। ଏଣୁ ଗଞ୍ଜାମ ଜିଲ୍ଲାରେ ୨୨ଟି ଜୋନ୍‌ରେ ବର୍ତ୍ତମାନ ସୁଦ୍ଧା ବିଜେଡି ଆଗୁଆ ରହିଛି। ଗଣତି ପାଇଁ ପ୍ରଶାସନ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Advertisment

ସେହିପରି କନ୍ଧମାଳ ଜିଲ୍ଲାର ମୋଟ ୧୮ଟି ଜୋନ୍‌ରୁ ୧୨ଟି ବ୍ଲକର ୧୨ଟି ଜୋନ୍‌ର ଗଣତି ଚାଲିଛି। କୋଟଗଡ଼ ବ୍ଲକର ୨ନମ୍ବର ଜୋନ୍‌ରେ କଂଗ୍ରେସ ବିଜେଡିକୁ ପଛରେ ପକାଇ ଆଗରେ ଚାଲିଛି। କଂଗ୍ରେସ ପ୍ରାର୍ଥୀ ଜିରମେୟ ପାଟମାଝୀ ୧୨୮୧ଭୋଟ୍‌ରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବିତ ବିଜେଡି ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଛନ୍ତି। ସେହିପରି ରାଇକିଆ ବ୍ଲକର ୧୭ନମ୍ବର ଜୋନ୍‌ରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟ ପାତ୍ର ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେଡି ପ୍ରାର୍ଥୀଙ୍କ ଠାରୁ ୨୭୭ ଭୋଟ୍‌ରେ ଆଗୁଆ ରହିଛନ୍ତି। ବଳକା ରହିଥିବା ୧୦ଟି ଜୋନ୍‌ରେ ବିଜେଡି ଆଗୁଆ ରହିଛି।

ସେହିଭଳି ଗଜପତି ଜିଲ୍ଲାର ୧୪ଟି ଜୋନ୍‌ ମଧ୍ୟରୁ ୭ଟି ବ୍ଲକରେ ୭ଟି ଜୋନ୍‌ର ଗଣତି ଚାଲିଛି। ଗୁମ୍ମା ବ୍ଲକ ୩ନମ୍ବର ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ‌ ରେଣୁକା ପାତ୍ର ୧୯୦୬ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ଗ୍ଲେଡି ଗମାଙ୍ଗଙ୍କ ଠାରୁ ଆଗୁଆ ରହିଛନ୍ତି। ନୂଆଗଡ଼ ବ୍ଲକ ୫ନମ୍ବର ଜୋନ୍‌ରେ କଂଗ୍ରେସ ପ୍ରାର୍ଥୀ ରାଜୀବ ଦୋରା ୩ହଜାର ୬୫୮ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ଜେମ୍‌ସ ରାଇକାଙ୍କ ଠାରୁ ଆଗୁଆ ରହିଛନ୍ତି। ବାକି ରହିଥିବା ୫ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି।