ଜଗତସିଂହପୁର: ପାରାଦୀପ ନିର୍ବାଚନମଣ୍ଡଳୀରେ କାହାପାଇଁ ବାଟ ସଫା କରୁଛି ବିଜେଡି? ବିଜେଡିର ଉପରମହଲରେ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଏଭଳି ଚର୍ଚ୍ଚାକୁ ହାୱା ଦେଉଛି। ଗୋଟିଏପଟେ ବିଧାୟକ ସମ୍ବିତ ରାଉତରାୟଙ୍କୁ ନେଇ ପାରାଦୀପ ବିଜେଡିରେ ହଟଚମଟ ଆରମ୍ଭ ହୋଇଯାଇଥିବା ବେଳେ ପାରାଦୀପ ନିର୍ବାଚନମଣ୍ଡଳୀର ଦୁଇ ଦୁଇ ଜଣ ବିଜେଡିର ପ୍ରମୁଖ ଆଶାୟୀଙ୍କୁ ଦଳ ନିର୍ବାଚନ ପୂର୍ବରୁ ଅନ୍ୟ ବାଟରେ ଥଇଥାନ କରିବା ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି।
କୁହାଯାଉଛି, ପାରାଦୀପରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ଦେବାଶିଷ ସାମନ୍ତରାୟ ଓ ଇଂଜିନିୟର ପ୍ରମୋଦ କିଶୋର। ତେବେ, ଦେବାଶିଷ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରମୋଦଙ୍କୁ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ଯଦିଓ ତିର୍ତ୍ତୋଲ ପରେ ନିଜର ବାରବାଟୀ-କଟକକୁ ନିଜର ରାଜନୈତିକ କ୍ଷେତ୍ର କରି ନେଇଥିଲେ, କିନ୍ତୁ ପାରାଦୀପ ନିର୍ବାଚନମଣ୍ଡଳୀ ପ୍ରତି ତାଙ୍କର ଆଗ୍ରହ କାହାକୁ ଅଛପା ନଥିଲା। ପାରାଦୀପରେ ସେ ନିୟମିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେଉଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଧାୟକ ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ୍ କରୁଥିଲେ। ଦେବାଶିଷ ରାଜ୍ୟସଭାକୁ ଯିବା ପରେ ତାଙ୍କୁ ନେଇ ପାରାଦୀପରେ ଚର୍ଚ୍ଚାର ଅନ୍ତ ଘଟିଛି।
ସେହିପରି, ଅନ୍ୟତମ ଆଶାୟୀ ଇଂ. ପ୍ରମୋଦ କିଶୋର ଜେନା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଥିବାବେଳେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ପାରାଦୀପରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ , ପରବର୍ତ୍ତୀ ଦୁଇଟି ନିର୍ବାଚନରେ ବାପି ସର୍ଖେଲ କଂଗ୍ରେସ ପ୍ରାର୍ଥୀ ହେବାରୁ ୨୦୧୯ରେ ଶ୍ରୀ ଜେନା ବିଜେଡିରେ ସାମିଲ ହୋଇଥିଲେ। ସେ ପାରାଦୀପର ବିଜେଡି ଟିକେଟ ଲବିରେ ପ୍ରମୁଖ ଦାବିଦାର ଥିବା ବେଳେ ତାଙ୍କୁ ଗତକାଲି ପିଡିଏ ଅଧ୍ୟକ୍ଷ କରି ଦିଆଯିବା ଘଟଣା ତାଙ୍କର ପ୍ରାର୍ଥିତ୍ବ ଚର୍ଚ୍ଚାରେ ବି ପୂର୍ଣ୍ଣଚ୍ଛେଦ ଟାଣିଛି। ଏଭଳି ସ୍ଥିତିରେ ବିଜେଡି ସମ୍ବିତଙ୍କ ପାଇଁ ବାଟ ସଫା କରୁଛି ନା କୌଣସି ଅପ୍ରତ୍ୟାଶିତ ପ୍ରାର୍ଥୀ ଓହ୍ଲାଇ ବାଜିମାତ ଯୋଜନାରେ ଅଛି, ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।