ଯାଜପୁର : ବରୀ ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି। ବିଧାୟିକା ସୁନନ୍ଦା ଦାସ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ଅନ୍ୟତମ ବିଜେଡି ନେତା ବିଶ୍ବରଞ୍ଜନ ମଲ୍ଲିକ। ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଆଗାମୀ ନିର୍ବାଚନରେ ନିଶ୍ଚିତ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଘୋଷଣା କଲେଣି। ଏକଦା ଦେବାଶିଷଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଟାଲି ଓରଫ ସେକ୍ ସଫିକଉଦ୍ଦିନ୍ ଏବେ ବରୀର ସମିତି ସଭ୍ୟ ତଥା ଶିଳ୍ପପତି ସଂଜୀବ ଜେନାଙ୍କ ମଙ୍ଗ ଧରିଛନ୍ତି। ଏହି କାରଣରୁ ବରୀରେ ବିଜେଡ଼ି ବହୁଭାଗରେ ବିଭକ୍ତ ହୋଇଛି। ଏହି ପରିସ୍ଥିତିରେ ଗତ ୧୭ତାରିଖରେ ବିଧାୟିକା ସୁନନ୍ଦା ଦାସ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ରଖିଥିଲେ। ଏଥିରେ ପର୍ଯ୍ୟଟନ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଓ ସାଂସଦ ଶର୍ମିଷ୍ଠା ସେଠୀ ଅତିଥି ରୂପେ ଯୋଗଦେଇଥିଲେ। ତେବେ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ୍ ଉପାଧ୍ୟକ୍ଷାଙ୍କ ଅନୁପସ୍ଥିତ ରହିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
ଗତ ପଞ୍ଚାୟତ ନିର୍ବାଚନ ପରେ ବରୀ ବ୍ଲକର ଦୁଇଜଣ ଲେଖାଏଁ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷା ବିଶ୍ବ ଏବଂ ସୁନନ୍ଦାଙ୍କ ଗୋଷ୍ଠୀ ମଧ୍ୟରେ ଭାଗ ହୋଇଯାଇଥିଲେ। ବିଧାୟିକା ସୁନନ୍ଦାଙ୍କ ସପକ୍ଷରେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ସାମଲ ଓ ଅଶୋକ ସାମଲ ସହିତ ବ୍ଲକ୍ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ ଥିଲେ। ସେହିପରି ବିଶ୍ବଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ସୁମିତ୍ରା ଯାଦବ ଓ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡି ଅଛନ୍ତି। ବିଧାୟିକାଙ୍କ ଶିବିରରୁ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ସାମଲ ଦୂରେଇ ଯାଇଥିବା ବେଳେ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଅନୁପସ୍ଥିତ ରହିଥିଲେ। ଯାହାକୁ ନେଇ ବିଶ୍ବଙ୍କ ଶିବିର ବେଶ ଉତ୍ସାହିତ। ବିଧାୟିକାଙ୍କ ଗୋଷ୍ଠୀକୁ ଦୁର୍ବଳ କରି ନିଜର ଶକ୍ତିବୃଦ୍ଧି ପାଇଁ ବିଶ୍ବଙ୍କ ସମର୍ଥକମାନେ ଲାଗି ପଡ଼ିଛନ୍ତି। ଏହି ପରିସ୍ଥିତିରେ ରାଜ୍ୟ ନେତୃମଣ୍ଡଳୀଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/bjd-fl.jpg)