ଭୁବନେଶ୍ୱର: ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜୁ ଜନତା ଦଳ। ମହାପ୍ରଭୁ ଜଗନ୍ନାଥ ନାଁରେ ଚାଉଳ, ଗୁଆ, ନଡ଼ିଆ, ଘିଅ, ସୁନା, ରୁପା ମାଗି ଲୋକଙ୍କ ଶ୍ରଦ୍ଧା, ଭାବନା ସହ ଖେଳ ଖେଳି କୁଠାରଘାତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଜଗନ୍ନାଥଙ୍କ ନାମ ନେଇ ଯେଉଁ ରାଜନୀତି କରୁଥିଲେ ତାହା ପଦାରେ ପଡିଛି। ଓଡ଼ିଶାବାସୀ ଏ ସରକାରକୁ କେବେ କ୍ଷମା ଦେବେ ନାହିଁ ବୋଲି ବିଧାୟକ ନାଉରୀ ନାଏକ କହିଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ଜଗତରନାଥ ଶ୍ରୀଜଗନ୍ନାଥଙ୍କ କୌଣସି କାର୍ଯ୍ୟରେ ଲାଗିବା ପାଇଁ ଶ୍ରଦ୍ଧାଳୁ ଶ୍ରଦ୍ଧାରେ ‘ଚାଉଳ ଓ ଗୁଆ, ଶ୍ରୀଫଳ, ଅର୍ଘ୍ୟ’ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଭକ୍ତଙ୍କ ଭାବନାକୁ ନବୁଝି ଚାଉଳ ଯେମିତି ବ୍ୟବହାର କରିବାକୁ କହିଛନ୍ତି ତାହା ଜାଣିବା ପରେ ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ଚାଉଳ ମାଗିବା ହେଉ ବା ଅର୍ପଣ ରଥ ଗଡ଼ିବା, ତାହା ପରିଚାଳନା କମିଟିର ନିଷ୍ପତ୍ତି ନଥିଲା। ରାଜ୍ୟ ସରକାର ସ୍ୱାର୍ଥ ହାସଲ ପାଇଁ ମନଇଛା ନିଷ୍ପତ୍ତି ନେଇଥିଲେ।

Advertisment

ଏଥରୁ ସ୍ପଷ୍ଟ ପରିଚାଳନା କମିଟିର ମତ ନନେଇ ଅଦିନରେ ଅର୍ପଣ ରଥ ଗଡ଼ାଯାଇଛି। ପ୍ରଭୁଙ୍କୁ ଶ୍ରଦ୍ଧା କରି ଲୋକେ ଚାଉଳ ଦେଇଥିଲେ। କିନ୍ତୁ ସେହି ଚାଉଳ କେଉଁ କାର୍ଯ୍ୟରେ ଲାଗିଲା ବୋଲି ଓଡ଼ିଶାବାସୀ ଯେତେବେଳେ ପ୍ରଶ୍ନ କଲେ ସେତେବେଳେ ରାଜ୍ୟ ସରକାର କହୁଛନ୍ତି ‘ଖେଚୁଡି, ପିଠା’ କରି ବାଣ୍ଟିବେ। ବିଜେଡି ସରକାର ରାଜନୀତି କରିବ ବୋଲି ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭାବନା ସହ ଖେଳିଛି। ଏନେଇ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କୁ କ୍ଷମା ଦେବେ ନାହିଁ। ଗଜପତିଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି ବୋଲି ଶ୍ରୀ ନାଏକ କହିଛନ୍ତି। ସୁଆର ମହାସୁଆର ନିଯୋଗ ଏବେ ରାଜ୍ୟ ସରକାର ଓ ବିଜେଡିର ସୁରକ୍ଷା କବଚ ସାଜି ସରକାରଙ୍କ ଏଜେଣ୍ଟ ହେବାକୁ ପଛାଇ ନାହିଁ ବୋଲି ସେ ଆରୋପ ଲଗାଇଛନ୍ତି।