ଭୁବନେଶ୍ବର: ଗତ ତିନି ଦିନ ହେଲା ବିଧାନସଭାରେ ସଂରକ୍ଷଣକୁ ନେଇ ପ୍ରତିବାଦ ଜାରି ରଖିଥିଲା ବିଜେଡି। ଆଜି ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇଥିଲା। କଂଗ୍ରେସ ଦଳର ଅନୁପସ୍ଥିତିରେ ହୋଇଥିବା ଆଲୋଚନାରେ ବିଜେଡି ସଭ୍ୟମାନେ ଜାତିଭିତ୍ତିକ ସଂରକ୍ଷଣ ପାଇଁ ଜୋର୍ଦାର ଦାବି ଉପସ୍ଥାପନ କରିଥିଲେ। ଶାସକ ଦଳ ସଭ୍ୟମାନେ ପୂର୍ବ ସରକାରକୁ ଟାର୍ଗେଟ୍ କରି ବିଜେଡି ସଭ୍ୟଙ୍କୁ ସମାଲୋଚନା କରିଥିଲେ।
ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ମାନବ ଜାତିର ଇତିହାସ ଦେଖିଲେ ସଂରକ୍ଷଣ ବ୍ୟବସ୍ଥା ନଜରକୁ ଆସେ। ଏହା ପାରମ୍ପରିକ ଭାବେ ଏବେ ମଧ୍ୟ ପ୍ରଚଳିତ। ଶାସନ ବ୍ୟବସ୍ଥାରେ ବାପା ପରେ ପୁଅ ପାଇଁ ଆସନ ସଂରକ୍ଷଣ ଅଘୋଷିତ ଭାବେ କରାଯାଉଛି। ସାହିତ୍ୟ, ସଂସ୍କୃତି ଆଦି ପ୍ରତ୍ୟେକ କ୍ଷେତ୍ରରେ ଦୁଇଟି ଉଚ୍ଚବର୍ଗ ପାଇଁ ଅଘୋଷିତ ସଂରକ୍ଷଣ ଲାଗୁ ହୋଇଛି। ଦଳିତ, ଆଦିବାସୀଙ୍କ ଉତ୍ଥାନ ନହେବା ପଛରେ ସରକାରୀ ଉଦାସୀନତା ବେଶୀ ଦାୟୀ। ବିଗତ ସରକାର ଓ ବର୍ତ୍ତମାନର ସରକାର କେହି ଏହାକୁ ଗୁରୁତର ସହ ନେଉ ନାହାନ୍ତି। ସଂରକ୍ଷଣ ଆଇନକୁ ବାରମ୍ବାର ଭଙ୍ଗାଯାଉଛି। କେନ୍ଦ୍ର ସରକାର ଜନଗଣନା ପାଇଁ ବ୍ୟବସ୍ଥା କଲେଣି। କିନ୍ତୁ ଜାତିଭିତ୍ତିକ ଜନଗଣନାକୁ ଟାଳି ଦେଉଛନ୍ତି। ଜାତିଭିତ୍ତିକ ଗଣନା ହେଲେ ହିଁ ସବୁ ଜାତିର ଲୋକ ନ୍ୟାୟ ପାଇପାରିବେ। ଆମ ଜନସଂଖ୍ୟାରେ ସାଧାରଣ ବର୍ଗଙ୍କ ସଂଖ୍ୟା ମାତ୍ର ୬% ହୋଇଥିଲେ ବି ସେମାନେ ସବୁ ସୁବିଧା ନେଉଛନ୍ତି।
ଏସ୍ସି, ଏସ୍ଟି, ଓବିସି ସଂରକ୍ଷଣ ପାଇଁ ଗର୍ଜିଲା ବିଜେଡି
ହାତୀ, କୁମ୍ଭୀର ଗଣୁଛ, ଜାତି ଗଣିବାରେ ଅସୁବିଧା କେଉଁଠି?
ବିଜେଡି ସରକାର କାହିଁକି ଲାଗୁ କରି ନଥିଲେ: ବିଜେପି
ବିଧାୟକ ଅରୁଣ ସାହୁ କହିଲେ, ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଅଛି ବୋଲି ଏବେ ବିଧାନସଭାରେ ୫୮ ଜଣ ଏସ୍ସି, ଏସ୍ଟି ବିଧାୟକ ନିର୍ବାଚିତ ହୋଇଛନ୍ତି। ରାଜ୍ୟରେ ଏବେ ଏସ୍ସି ୧୬.୨୫%, ଏସ୍ଟି ୨୨.୦୫%, ଓବିସି ୫୪% ଅଛନ୍ତି। କିନ୍ତୁ ଚାକିରି କ୍ଷେତ୍ରରେ ଏସ୍ସି/ଏସ୍ଟିଙ୍କ ପାଇଁ ୩୮.୭୫%, ଓବିସିଙ୍କ ପାଇଁ ୧୧.୨୫% ଓ ଆର୍ଥିକ ଦୁର୍ବଳ ବର୍ଗ ପାଇଁ ୧୦% ଆସନ ସଂରକ୍ଷିତ ରହିଛି। ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ହାର ଆହୁରି କମ୍। ଏସ୍ସି/ଏସ୍ଟିଙ୍କ ପାଇଁ ମାତ୍ର ୨୦% ସଂରକ୍ଷଣ ଥିଲା ବେଳେ ଓବିସିଙ୍କ ପାଇଁ ଆଦୌ ନାହିଁ। ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନଦେଲେ ଏହି ବର୍ଗରୁ ଚାକିରି କ୍ଷେତ୍ରରେ ପ୍ରାର୍ଥୀ କେଉଁଠୁ ମିଳିବେ? ମହାକୁମ୍ଭରେ ସରକାର ଲୋକଙ୍କ ସଂଖ୍ୟା ଗଣିଦେଲେ। ହାତୀ, ବାଘ, ପକ୍ଷୀ ସବୁ ଗଣନା ହୋଇପାରୁଛି। କିନ୍ତୁ ଜାତିଭିତ୍ତିକ ଗଣନା ହୋଇପାରୁନି। ବିଜେଡି ସଭ୍ୟ ଗଣେଶ୍ବର ବେହେରା ଓ ରମେଶ ବେହେରା ବି ସଂଖ୍ୟାନୁପାତରେ ଜାତିଭିତ୍ତିକ ସଂରକ୍ଷଣ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ।
ଶାସକ ଦଳ ସଭ୍ୟ ଈରାଶିଷ ଆଚାର୍ଯ୍ୟ ବିଜେଡିକୁ ଟାର୍ଗେଟ୍ କରି କହିଥିଲେ, ପୂର୍ବ ସରକାରକୁ ସଂରକ୍ଷଣ ଲାଗୁ କରିବାରେ କିଏ ପ୍ରତିବନ୍ଧକ ସାଜିଥିଲା? ମଣ୍ଡଳ କମିସନ୍ ବିରୋଧରେ ତ ବିଜୁ ବାବୁ ସୁପ୍ରିମକୋର୍ଟ ଯାଇଥିଲେ। ଏହା ସ୍ବୀକାର କରିବାକୁ ପଡ଼ିବ ଯେ ସାମାଜିକ ନ୍ୟାୟ କ୍ଷେତ୍ରରେ ଓଡ଼ିଶା ଏବେ ବି ପଛୁଆ ରହିଛି। ଓବିସି ଗଣନା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ। କିନ୍ତୁ କଲେନି କାହିଁକି? ସେତେବେଳେ ବିଜେଡିର ସଭ୍ୟମାନେ କାହିଁକି ଚୁପ୍ ବସିଥିଲେ? ସନାତନ ବିଜୁଳି, ସନ୍ତୋଷ ଖଟୁଆ ଓ ଦୁର୍ଗା ପ୍ରସନ୍ନ ନାୟକ ପ୍ରମୁଖ ପୂର୍ବ ବିଜେଡି ସରକାରକୁ ସମାଲୋଚନା କରିଥିଲେ।